www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନୀ ଚାନ୍ଦା ଓ ରାଜନୈତିକ ଦଳ

ଆମ ଦେଶର ନିର୍ବାଚନ ପ୍ରକ୍ରିୟା ଏତେ ବ୍ୟୟବହୁଳ ଓ କଳୁଷିତ ହେଲାଣି ଯେ ବିନା ଅର୍ଥ ଓ ବାହୁବଳରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ସମ୍ଭବ ନୁହେଁ; ଜିତିବା ତ ଦୂରର କଥା। ସମସ୍ତେ ଜାଣିଛନ୍ତି ଯେ ଆଜି ଅଧିକାଂଶ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ବିଭିନ୍ନ ଅନୈତିକ ପଥ ଅବଲମ୍ବନ କରି କଳାଟଙ୍କା ଠୁଳ କରୁଛନ୍ତି ଏବଂ ନିର୍ବାଚନରେ ହଜାରହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ସଂସ୍କାର ନ ଆଣିଲେ ଦେଶରୁ ଦୁର୍ନୀତି, କଳାଟଙ୍କା ହ୍ରାସ ପାଇବା ସମ୍ଭବ ନୁହେଁ। ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା କଥା କହି ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮ ଜାନୁଆରୀରେ ‘ଇଲେକ୍ଟୋରାଲ ବଣ୍ଡ୍‌’ ବା ନିର୍ବାଚନୀ ବଣ୍ଡ୍‌ ପ୍ରଚଳନ କରିଥିଲେ। ଏହାର ଲକ୍ଷ୍ୟ କୌଣସି ବ୍ୟକ୍ତି ବା ସଂସ୍ଥା ବା ଘରୋଇ କମ୍ପାନୀ ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଚାହିଁଲେ ସେମାନେ ଟଙ୍କା ବଦଳରେ, ‘ଇଲେକ୍ଟୋରାଲ୍ ବଣ୍ଡ୍‌’ ଦେଇପାରିବେ; କିନ୍ତୁ ତାହା ସ୍ବଚ୍ଛତା ଆଣିପାରିଲା ନାହିଁ। ସେଣ୍ଟର ଫର ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍ )ଦ୍ୱାରା ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ୨୦୧୯ ଲୋକାସଭା ନିର୍ବାଚନରେ ରାଜନୈତିକ ଦଳଗୁଡିକ ଦ୍ୱାରା ହୋଇଥିବା ମୋଟ ଖର୍ଚ୍ଚ ପରିମାଣ ପ୍ରାୟ ୬୦,୦୦୦ କୋଟି ଟଙ୍କା ହେବ। ବିଜେପି ପ୍ରାୟ ୨୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ସିଏମ୍ଏସ୍ ଅଧ୍ୟକ୍ଷ ଏନ ଭାସ୍କରା ରାଓଙ୍କ ଅନୁଯାୟୀ, ଏହି ହାରରେ ଯଦି ଖର୍ଚ୍ଚ ହୁଏ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ।

ଉଲ୍ଲେଖଯୋଗ୍ୟ ଯେ ଏନ୍‌ଡିଟିଭି ଦ୍ୱାରା ମିଳିଥିବା ତଥ୍ୟରେ ଦର୍ଶାଯାଇଛି ଯେ ୨୦୧୯-୨୦ରେ ସମୁଦାୟ ୩୩୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି ହୋଇଥିଲା, ଯେଉଁଥିରୁ ବିଜେପିର ଆୟ ୨୫୫୫ କୋଟି ଟଙ୍କା ଥିଲା। ପୂର୍ବବର୍ଷ ନିର୍ବାଚନ ବଣ୍ଡ ଜରିଆରେ ମିଳିଥିବା ୧୪୫୦ କୋଟି ଟଙ୍କା ତୁଳନାରେ ଏହା ୭୫% ଅଧିକ ଥିଲା। ବିଜେପିର ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ୩୧୮ କୋଟି ଟଙ୍କା ପାଇଛି, ଯାହା ପୂର୍ବ ବର୍ଷର ନିର୍ବାଚନୀ ବଣ୍ଡ୍‌ ଜରିଆରେ ମିଳିଥିବା ୩୮୩ କୋଟି ଟଙ୍କା ତୁଳନାରେ ୧୭% କମ୍‌ ଥିଲା। ବାକି ବିରୋଧୀଙ୍କ ମଧ୍ୟରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୧୦୦.୪୬ କୋଟି ଟଙ୍କା, ଶରଦ ପୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି ୨୯.୨୫ କୋଟି ଟଙ୍କା, ଶିବସେନା ୪୧ କୋଟି ଟଙ୍କା, ଡିଏମ୍‌କେ ୪୫ କୋଟି ଟଙ୍କା, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨.୫ କୋଟି ଟଙ୍କା ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମି ପାର୍ଟି ୧୮କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଯଦି ନିର୍ବାଚନୀ ବଣ୍ଡ ସହିତ ଅନ୍ୟାନ୍ୟ ଅନୁଦାନକୁ ବିଚାରକୁ ନିଆଯାଏ ତାହାର ପରିମାଣ ଅଧିକ ହେବ। ଭାରତର ନିର୍ବାଚନ ଆୟୋଗ ଅନୁସାରେ ବିଜେପି ୩୬୨୩ କୋଟି ଟଙ୍କା, କଂଗ୍ରେସ ୬୮୨ କୋଟି ଟଙ୍କା, ତୃଣମୂଳ କଂଗ୍ରେସ ୧୪୩.୬୭ କୋଟି ଟଙ୍କା, ସିପିଏମ୍‌ ୧୫୮.୬୨ କୋଟି ଟଙ୍କା, ଜାତୀୟତାବାଦୀ କଂଗ୍ରେସ ପାର୍ଟି ୮୫.୫୮ କୋଟି ଟଙ୍କା, ବିଏସ୍‌ପି ୫୮.୨୫ କୋଟି ଟଙ୍କା, ଆମ୍ ଆଦମି ପାର୍ଟି ୪୯.୬୫କୋଟି ଟଙ୍କା, ସିପିଆଇ ୬.୫୮ କୋଟି ଟଙ୍କା ପାଇଛନ୍ତି। ବାସ୍ତବରେ ଇଲେକ୍ଟୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ୍ ଯେଉଁ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଇଥିଲା ତାହା ପୂରଣ ନ ହୋଇ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଅସ୍ବଚ୍ଛ କରିଛି ଏବଂ କ୍ଷମତାରେ ଥିବା ଦଳକୁ ବେଶି ପାଣ୍ଠି ଆସୁଛି। ଏହା ଦର୍ଶାଉଛି ଯେ ରାଜନୈତିକ ଦଳକୁ ଦେଲାବେଳେ କାହାଦ୍ବାରା ବ୍ୟକ୍ତିଗତ ସ୍ବାର୍ଥସାଧନ ବେଶି ହେବ ତାହା ନିର୍ଣ୍ଣାୟକ ହେଉଛି।

- Advertisement -

ସାଧାରଣତଃ ସରକାର ଏବଂ କମ୍ପାନୀ ଯେତେବେଳେ ଟଙ୍କା ଉଠାଇବାକୁ ଚାହାନ୍ତି ସେତେବେଳେ ‘ବଣ୍ଡ୍‌’ ବାହାର (ଇସ୍ୟୁ) କରନ୍ତି। ଏହା ପୁଞ୍ଜିବଜାରର ଏକ ଅଂଶ ଏବଂ ସଞ୍ଚୟ କରିବାର ଏକ ମାଧ୍ୟମ। ଯିଏ ବଣ୍ଡ କିଣେ ସେ ସରକାର ବା କମ୍ପାନୀକୁ ପରୋକ୍ଷରେ ଋଣ ଦିଏ। ଏହାର ପ୍ରତି ବଦଳରେ ସରକାର ଏବଂ କମ୍ପାନୀ ନିୟମିତ ସୁଧ ଏବଂ ଏକ ନିର୍ଦ୍ଦିଷ୍ଟ ଦିନରେ ମୂଳଧନ ବା ପରିପକ୍ୱ ଅର୍ଥରାଶି ଫେରସ୍ତ କରନ୍ତି। ଯେତେବେଳେ ସରକାର ବା ରାଷ୍ଟ୍ରାୟତ୍ତ ଶିଳ୍ପ/ସଂସ୍ଥା ଏହି ପ୍ରକ୍ରିୟାରେ ଋଣ କରନ୍ତି ତାକୁ ବଣ୍ଡ କୁହାଗଲାବେଳେ ଘରୋଇ ସଂସ୍ଥା କ୍ଷେତ୍ରରେ ତାହାକୁ ଡିବେନ୍ଚର (debenture) କୁହାଯାଏ; କିନ୍ତୁ ଏହି ନିର୍ବାଚନୀ ବଣ୍ଡ୍‌ ଟିକେ ଭିନ୍ନ। ୨୦୧୭-୧୮ ବର୍ଷ ଲାଗି ବଜେଟ ଉପସ୍ଥାପନ ବେଳେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏପରି ବଣ୍ଡ୍‌ ସଂପର୍କରେ ସୂଚନା ଦେଇଥିଲେ। ଫାଇନାନ୍ସ ବିଲ୍ ୨୦୧୭ରେ ‘ନିର୍ବାଚନୀ ବଣ୍ଡ୍‌’କୁ ‘ପ୍ରୋମିସରୀ ନୋଟ୍’ ପରି ସୁଧମୁକ୍ତ ଯୋଜନା ଭାବରେ ଉପସ୍ଥାପନ କରଯାଇଥିଲା। ଯଦିଓ ଏହାକୁ ‘ବଣ୍ଡ୍’ କୁହାଯାଉଛି; କିନ୍ତୁ ଏହା ଉପରେ କୌଣସି ସୁଧ ମିଳେ ନାହିଁ। ପ୍ରୋମିସରୀ ନୋଟ୍ କହିଲେ ନିର୍ଦିଷ୍ଟ ବ୍ୟକ୍ତି ବା ଧାରକକୁ ଏକ ନିର୍ଦିଷ୍ଟ ତାରିଖ କିମ୍ବା ଚାହିଦାରେ ନିର୍ଦିଷ୍ଟ ରାଶି ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଥିବା ଏକ ଦସ୍ତଖତ ଦଲିଲ।

ଏହି ‘ବଣ୍ଡ୍‌’ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ ଶାଖାରୁ କିଣାଯାଇପାରିବ। ଏହି ବଣ୍ଡ୍ ପ୍ରତି ବର୍ଷର ଜାନୁଆରୀ, ଏପ୍ରିଲ୍, ଜୁଲାଇ ଏବଂ ଅକ୍ଟୋବରରେ ମାସରେ ପ୍ରଥମ ୧୦ ଦିନ ଉପଲବ୍ଧ ହେବ। ସାଧାରଣ ନିର୍ବାଚନ ହେବାକୁ ଥିବା ବର୍ଷରେ ଏହା ୩୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ବଣ୍ଡ୍‌ଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ ବୈଧ ରହିଥାଏ। ୧୦୦୦ ଟଙ୍କା, ୧୦ ହଜାର ଟଙ୍କା, ଲକ୍ଷେ ଟଙ୍କା, ୧୦ ଲକ୍ଷ ଟଙ୍କା ଏବଂ ୧ କୋଟି ଟଙ୍କାର ଗୁଣିତକ ହିସାବରେ ନିର୍ବାଚନୀ ବଣ୍ଡ୍ ଖରିଦ କରାଯାଇପାରୁଛି; କିନ୍ତୁ ଏହି ବଣ୍ଡ୍ ପାଇବାକୁ ହେଲେ ଆବଶ୍ୟକ କାଗଜପତ୍ର (କେୱାଇସି) ଦାଖଲ କରିବାକୁ ପଡେ। ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନୀ ବଣ୍ଡ ଦେଇଥିବା ଲୋକର ନାମ ପ୍ରକାଶ କରିବାକୁ ପଡେ ନାହିଁ। ଅର୍ଥାତ୍‌ ଖରିଦ କରିଥିବା ବ୍ୟକ୍ତିଙ୍କ ନାମ ବଣ୍ଡ୍‌ରେ ରହେ ନାହିଁ। ନିର୍ବାଚନୀ ବଣ୍ଡ୍ କେବଳ ପଞ୍ଜିକୃତ ହୋଇଥିବା ସେହି ରାଜନୈତିକ ଦଳଗୁଡ଼ିକୁ ମିଳିଥାଏ, ଯେଉଁମାନେ ଶେଷ ନିର୍ବାଚନରେ ଅତି କମ୍‌ରେ ୧% ଭୋଟ୍ ହାସଲ କରିଥିବେ। ଦଳ ପକ୍ଷରୁ ଅତି କମ୍‌ରେ ଗୋଟିଏ ବ୍ୟାଙ୍କଖାତା ନମ୍ବର ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବାକୁ ପଡ଼ିଥାଏ। କେବଳ ଭାରତୀୟ ନାଗରିକ ଓ ଭାରତରେ ପ୍ରତିଷ୍ଠା କରାଯାଇଥିବା ସଂସ୍ଥା ‘ବଣ୍ଡ୍’ ଖରିଦ କରିପାରନ୍ତି।

‘ବଣ୍ଡ୍’ ପ୍ରଚଳନ ପୂର୍ବରୁ ଏ ସମ୍ପର୍କରେ ନିର୍ବାଚନ ଆୟୋଗ, ରିଜର୍ଭ ବ୍ୟାଙ୍କ ଓ ରାଜନୈତିକ ଦଳଗୁଡିକର ଔପଚାରିକ ପରାମର୍ଶ ସରକାରଙ୍କ ତରଫରୁ ନିଆ ଯାଇଥିଲା। ଅବଶ୍ୟ ସରକାର ପରାମର୍ଶ ଗ୍ରହଣ କରିନଥିଲେ। ସେତେବେଳେ ବିରୋଧୀ ଦଳ ତରଫରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ଏହା ଦୁର୍ନୀତିକୁ ଆଇନଗତ ମାନ୍ୟତା ଦେବ ବୋଲି କହିଥିଲେ। ସେତେବେଳେ ଜେଟ୍‌ଲି କହିଥିଲେ ଯେ ଯେଉଁମାନେ ରାଜନୈତିକ ଦଳକୁ ଚାନ୍ଦା ଦେବେ ସେମାନେ ସବିଶେଷ ତଥ୍ୟ ସେମାନଙ୍କ ‘ବାଲାନ୍ସ ସିଟ୍‌’ରେ ମଧ୍ୟ ପ୍ରଦର୍ଶନ କରିବେ। ଏଥିରୁ ଜଣାପଡ଼ିବ ଯେ ରାଜନୈତିକ ଦଳ ପାଖକୁ ଆସିଥିବା ଅର୍ଥ ହେଉଛି ସ୍ୱଚ୍ଛ। ଯେତେବେଳେ ଏ ସମ୍ପର୍କିତ ପ୍ରସ୍ତାବ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପଠାଇଲେ, ଏହାର ଉତ୍ତରରେ ରିଜର୍ଭ ବ୍ୟାଙ୍କ କହିଲେ ଯେ ଏହି ବ୍ୟବସ୍ଥା କଳାଧନକୁ ରାଜନୀତିରେ ପ୍ରବେଶ କରାଇବା ଲାଗି ସୁଯୋଗ ଦେବ। ଏହା ଆମର ମୁଦ୍ରାକୁ ଦୁର୍ବଳ କରିବା ସହିତ ଆର୍ଥିକ ଭ୍ରଷ୍ଟାଚାରକୁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ରୋକଠୋକ୍‌ କହିଥିଲା। ତେବେ ଅର୍ଥ ମନ୍ତ୍ରଣାଳୟ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ ଖାରଜ କରିଦେଇ ଏଇ ବ୍ୟବସ୍ଥାକୁ ଫେବୃଆରୀ ୨୦୧୭ ବଜେଟରେ ସାମିଲ କରିଥିଲା।

ନିର୍ବାଚନ ଆୟୋଗ ଏହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଥିଲେ। ଏଥିଯୋଗୁଁ ରାଜନୈତିକ ଦଳଗୁଡ଼ିକ ଚାନ୍ଦା ହାସଲରେ ସ୍ବଚ୍ଛତା ରହିବ ନାହିଁ ଏବଂ ଏହା ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେବ ବୋଲି ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ଦାଖଲ କରି କହିଥିଲେ। ଏହି ବଣ୍ଡ୍‌ ଦ୍ବାରା ରାଜନୈତିକ ଦଳମାନେ ସରକାରୀ କମ୍ପାନୀ ଏବଂ ବିଦେଶୀ ଉତ୍ସରୁ ଅର୍ଥ ସଂଗ୍ରହ କରିପାରିବେ, ଯାହାକି ଆଇନର ଉଲ୍ଲଙ୍ଘନ ହେବ। ଚାନ୍ଦା ଆଦାୟରେ ସ୍ବଚ୍ଛତା ରଖିବା ପାଇଁ ଯେଉଁସବୁ ପଦକ୍ଷେପ ନିର୍ବାଚନ ଆୟୋଗ ଗ୍ରହଣ କରୁଛନ୍ତି, ଏହି ବ୍ୟବସ୍ଥା ତାହାର ଘୋର ବିରୋଧୀ ବୋଲି ଆୟୋଗ ସତ୍ୟପାଠ ଦାଖଲ କରିଥିଲେ। ତେବେ ଗତ ଏପ୍ରିଲ ୧ରୁ ୧୦ ତାରିଖ ଯାଏ ଜାରି ହେଇଥିବା ନିର୍ବାଚନୀ ବଣ୍ଡ୍‌ ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ନାମକ ସଂସ୍ଥା ଆବେଦନ କରିଥିଲା; କିନ୍ତୁ ଏହାର ଶୁଣାଣି କରି ଅଦାଲତ କହିଥିଲେ ଯେ ଯେହେତୁ ଯୋଜନା ୨୦୧୮ରୁ ଲାଗୁ ହୋଇଛି, ଏବେ ମଧ୍ୟ ଜାରି ରହିବ। ଅନ୍ୟପଟେ ଅଦାଲତଙ୍କର ଏହି ରାୟ ଉପରେ ଯୁକ୍ତି ରଖି ବରିଷ୍ଠ ଅାଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ନିର୍ବାଚନୀ ବଣ୍ଡ୍‌ ଜରିଆରେ ବ୍ୟବସାୟୀମାନେ ଶାସକ ଦଳକୁ ଟଙ୍କା ଦେଇ ନିର୍ବାଚନ ପରେ ସ୍ୱାର୍ଥ ହାସଲ କରିଥା’ନ୍ତି। ବ୍ୟବସାୟୀ ଓ ରାଜନୈତିକ ଦଳଙ୍କ ମଧ୍ୟରେ ଲାଞ୍ଚ କାରବାରର ନିର୍ବାଚନୀ ବଣ୍ଡ୍‌ ଏକ ମାଧ୍ୟମ ସାଜିଛି ବୋଲି ମଧ୍ୟ ସେ ଯୁକ୍ତି କରିଥିଲେ।

ବାସ୍ତବରେ ନିର୍ବାଚନୀ ବଣ୍ଡ୍‌ରେ କିଏ, କାହିଁକି ଓ କାହା ପାଇଁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଉଛି, ତାହା ଗୋପନ ହୋଇ ରହୁ ବୋଲି ବ୍ୟବସ୍ଥା କରାଯାଇଛି। ଆମ ଦେଶରେ ନାଗରିକ ଟଙ୍କାଟିଏ ଯେମିତି ଗୋପନ ରଖିନପାରେ ସେଥିଲାଗି ଆଧାର କାର୍ଡକୁ ବ୍ୟାଙ୍କ ଏକାଉଣ୍ଟ ସହିତ ଯୋଡାଯାଇଥିବାବେଳେ, ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା କୋଟିକୋଟି ଟଙ୍କାର ଚାନ୍ଦାକୁ ଗୋପନୀୟ ରଖାଯାଉଛି। ଏହା ହିଁ ବଡ଼ ବିଡ଼ମ୍ବନା। ଯେତେବେଳେ ସଞ୍ଚୟକାରୀ ତାଙ୍କ କଷ୍ଟାର୍ଜିତ ସଞ୍ଚୟ ଉପରେ ବିଯୁକ୍ତାତ୍ମକ ବାସ୍ତବ ସୁଧ ପାଉଛନ୍ତି, ସଞ୍ଚୟ ସୁଧ ଉପରେ ଟିକସ ଦେଉଛନ୍ତି, ବେତନଭୋଗୀ ଟଙ୍କାଟିଏ ଟିକସ ଚାହିଁଲେ ବି ଫାଙ୍କିପାରିବ ନାହିଁ, ସେତେବେଳେ ବେଆଇନ କାର୍ଯ୍ୟ ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଉଥିବା ‘ଇଲେକ୍ଟୋରାଲ ବଣ୍ଡ୍‌’ ବ୍ୟବସ୍ଥାକୁ ବାତିଲ କରାଯିବା ଅତ୍ୟନ୍ତ ଜରୁରୀ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories