ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍କ୍ରିଷ୍ଣା ଆଜି ସୁନ୍ଦରଗଡ ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍ଷ୍ଟେସନ, ଭେଡାବାହାଲ କୋଲ୍ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡୀ କେନ୍ଦ୍ର ଏବଂ କିଂଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।
କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ଆଇସିୟୁ ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ସୁନ୍ଦରଗଡସ୍ଥିତ ଏନଟିପିସି କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।
ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର 50ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ। ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭରଚୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ସ୍କୁଲର ବିଜ୍ଞାନଗାର, ଖେଳପଡିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ ।
ସୁନ୍ଦରଗଡ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ସେମାନେ ପରିଦର୍ଶନ କରିଥିଲେ । ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡୀ କେନ୍ଦ୍ର ତିଆରି କରାଯାଇଛି । ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ସହିତ ନୂଆ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ଜିଲ୍ଲାପାଳ, ଜିଲ୍ଲାର ଏସ୍.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।



