ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜି (ମଙ୍ଗଳବାର) ଠାରୁ ଖୋଲୁଛି । ସୋମବାର ରାଜ୍ୟ ସରକାର ଏନେଇ ୧୪ଟି ମାର୍ଗଦର୍ଶିକା ଜାରି କରିଛନ୍ତି । ଉଭୟ ଉଦ୍ୟାନ ବୁଲିବା ପାଇଁ କେତେ ସଂଖ୍ୟକ ପର୍ଯ୍ୟଟକ ବୁଲିପାରିବେ ସେଥିରେ କୌଣସି କଟକଣା ନାହିଁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ତୁଣ୍ଡି ବାଧ୍ୟତାମୂଳକ ହେବ। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବଣଭୋଜିକୁ ବାରଣ କରାଯାଇଛି।
ପିସିସିଏଫ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ ସଂକ୍ରମଣ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ଟିକଟ କାଉଣ୍ଟରରେ ଭିଡ଼ ହ୍ରାସ ପାଇଁ ଇ-ଟିକଟ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ସଂକ୍ରମଣ ଆଶଙ୍କାରେ ବୟସ୍କ ଲୋକ ଏବଂ ଶିଶୁଙ୍କୁ ସାଙ୍ଗରେ ଧରି ନନ୍ଦନକାନନ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପ୍ରବେଶ ପଥରେ ସମ୍ପୂର୍ଣ୍ଣ ଶରୀର ବିଶୋଧନ ବ୍ୟବସ୍ଥା ରହିବ ଏବଂ ପ୍ରତ୍ୟେକ ଆଗନ୍ତୁକ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ କରିବେ।
ଉଦ୍ୟାନ ଭିତରେ ପଶୁପକ୍ଷୀ ବୁଲି ଦେଖିବା ସମୟରେ ଜନ୍ତୁ ଖୁଆଡ଼କୁ ବାରଣ ଥିବାବେଳେ କୃତ୍ରିମ ଜଳାଶୟ (ଆକ୍ବାରିୟମ୍) ମଧ୍ୟକୁ ଏକା ସଙ୍ଗେ ୬ଜଣଙ୍କୁ ଅନୁମତି ରହିଛି। ପର୍ଯ୍ୟଟକମାନେ ସାଙ୍ଗରେ ଆଣିଥିବା ଯାତ୍ରାକାଳୀନ ମାଲପତ୍ର (ଲଗେଜ) ଭିତରକୁ ନ ନେଇ ପ୍ରବେଶ ଫାଟକ ପାଖରେ ଥିବା ସ୍ବତନ୍ତ୍ର କୋଠରିରେ ରଖିବା ପ୍ରଭୃତି ବ୍ୟବସ୍ଥା ରହିଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାଇଁ ମଧ୍ୟ ସମାନ ନିୟମ ଲାଗୁହେବ ବୋଲି ନନ୍ଦନକାନନ ଉପନିର୍ଦେଶକ ଡ. ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି।
ଆଜି ଖୋଲୁଛି ନନ୍ଦନକାନନ : ମାର୍ଗଦର୍ଶିକା ଜାରି
Popular Categories



