‘‘ଆମ ଦେଶରେ ସାମ୍ପ୍ରତିକ ଗଣତାନ୍ତ୍ରିକ ପ୍ରଶାସନ ଲୋକ ପ୍ରତିନିଧିଙ୍କ ଜରିଆରେ ଆପଣାକୁ ରାଜନୈତିକ ଦଳ ଦ୍ବାରା ପ୍ରଶାସନ ଭାବରେ ପରିବର୍ତ୍ତିତ କରି ଦେଇଛି। ଏଥିପାଇଁ ଆମ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ରାଜନୈତିକ ଦଳଗୁଡ଼ିକର ଇତିହାସ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ କ୍ଷମତାଲୋଭୀ ବ୍ୟକ୍ତିମାନଙ୍କ ଦ୍ବାରା ଏହି ଦଳଗୁଡ଼ିକ ଗଢ଼ା ହୋଇଥିଲା। ଏମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନଥିଲା। କ୍ଷମତାକୁ ଧରି ରଖିବା ପାଇଁ ଏମାନଙ୍କର ଆପ୍ରାଣ ଚେଷ୍ଟା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏପରି ଗୋଟିଏ ରାଜନୈତିକ ଗୋଷ୍ଠୀର ସୃଷ୍ଟି ହେଲା ଯେଉଁମାନେ ଦଳମାନଙ୍କର ସଭ୍ୟସଂଖ୍ୟା ପୂରଣ କଲେ। ସେମାନେ କ୍ଷମତା ବ୍ୟବହାର କରି ନାନା ପ୍ରକାର ସୁବିଧା ସୁଯୋଗ ପାଇଲେ, ଆପଣାର ଆର୍ଥିକ ସ୍ବଚ୍ଛଳତା ବଢ଼େଇଲେ। ସବୁ ଆଞ୍ଚଳିକ ଦଳମାନେ ଟିକସ ପଇସାକୁ ମନମୁଖି ଖର୍ଚ୍ଚ କଲେ। ଏହି ଖର୍ଚ୍ଚର ନା କୌଣସି ହିସାବ ରଖାଗଲା ନା ଏହାର ତନଖି କରାଗଲା। ତୁରନ୍ତ ପ୍ରୟୋଜନ ମେଣ୍ଟାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ଋଣ ଉଠେଇବା ଆରମ୍ଭ କଲେ। ଏହି ଟଙ୍କା ଅନାଚାର ପାଇଁ ଓ ଭୋଟ କିଣିବା ପାଇଁ ଖର୍ଚ୍ଚ କରାଗଲା। ଫଳରେ ଦୀର୍ଘକାଳୀନ ବିକାଶ ଯୋଜନା ପାଇଁ ଅଭାବ ହେଲା।
କ୍ଷମତା ଅଧିକାର କରି ଉପଭୋଗ କଲାପରେ ଏହା ପରପିଢ଼ିକୁ ହସ୍ତାନ୍ତର କରାଗଲା। ଯେଉଁ ଦଳମାନେ କ୍ଷମତା ବାହାରେ ରହିଲେ େସମାନେ ଏମାନଙ୍କୁ କ୍ଷମତାରୁ ହଟେଇବା ପାଇଁ ଆନ୍ଦୋଳନ କଲେ। ତେଣୁ ଲୋକ ମଙ୍ଗଳ ପାଇଁ କାହାରି ବେଳ ହେଲାନାହିଁ। ଏହିପରି ଦ୍ବନ୍ଦ୍ବ ପରେ ଯେଉଁ ସରକାର ଗଢ଼ାଗଲା ସେମାନେ ସ୍ବଭାବତଃ ଅସହନଶୀଳ ଓ ଏକଛତ୍ରବାଦୀ ହେଲେ। କୌଣସି ଦଳରେ ନଥିବା ଲୋକଙ୍କର ସମାଲୋଚନା ଓ ପରାମର୍ଶ ସେମାନେ ସହିପାରୁନଥିଲେ। ସେମାନେ ଲୋକଙ୍କ ପାଇଁ କାମ କରିବାର ଛଳନା କରୁଥିଲେ। ପ୍ରଶାସକମାନେ ଆପଣା କ୍ଷମତା ଉପଭୋଗ କରୁଥିଲେ। ଆଇନ ଉପରେ ଆଇନ କରି, ଆଇନ ଖିଲାପପାଇଁ ଅନୁସନ୍ଧାନ କମିଟି ଉପରେ କମିଟି ବସେଇ ସମୟ ନଷ୍ଟ କରି ଭ୍ରଷ୍ଟାଚାରକୁ ଘଣ୍ଟ ଘୋଡ଼େଇ ରଖିବାରେ ସେମାନେ ମାହେର।
ଘରୋଇ ସଂସ୍ଥାର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରି, ସାମାଜିକ କର୍ମୀମାନଙ୍କୁ ମିଛ ମକଦ୍ଦମାରେ ଫସେଇ ଏବଂ ଗଣମାଧ୍ୟମକୁ ପଇସା ଦେଇ କିଣି କିମ୍ବା ଡରେଇ ସେମାନଙ୍କୁ ଆପଣା କବଳରେ ରଖି ସେମାନେ ପ୍ରମାଣ କରିଥାନ୍ତି ଯେ ତାଙ୍କଠାରୁ ଅଧିକ ବୁଦ୍ଧିମାନ ଓ ଅଧିକ କୌଶଳୀ କେହି ନାହାନ୍ତି। ବୁଦ୍ଧିଜୀବୀ କିମ୍ବା ନିର୍ଦଳୀୟ ସ୍ବେଚ୍ଛାସେବୀ ମାନଙ୍କର ଏହି ସମାଜରେ କୌଣସି କାର୍ଯ୍ୟନାହିଁ। ପ୍ରତ୍ୟେକ ଦଳ ଚାହାନ୍ତି ଯେ ସେ ଏକମାତ୍ର ଦଳ ହୋଇ ରହିବେ ଏବଂ ଚୀନ ପରି ସମସ୍ତ ସମାଜ ଓ ରାଜ୍ୟ ଉପରେ ତାଙ୍କର କର୍ତ୍ତୃତ୍ବ ରହିବ। ଆମ ପ୍ରତିନିଧିମାନେ ଶାସନରେ ଲୋକଙ୍କର ଭାଗୀଦାରି ବଢ଼େଇବା ଚାହୁଁନାହାନ୍ତି; କିନ୍ତୁ ଆମ ସମାଜ ଅଧିକ ଅର୍ଥନୈତିକ ଓ ସାମାଜିକ ଗଣତନ୍ତ୍ର ଦିଗରେ ଗତିକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଜାତି ଓ ଗୋଷ୍ଠୀଭିତ୍ତିକ ବିଭିନ୍ନତାକୁ ଆର୍ଥିକ ସାହାଯ୍ୟ ଦିଆଯାଉଛି। ପାରସ୍ପରିକ ଅବିଶ୍ବାସ ,ସନ୍ଦେହ, ଦୋଷାରୋପ ଓ ଶତ୍ରୁତା ଦ୍ବାରା ଏହି ରାଜନୈତିକ କ୍ଷମତା ଦଉଡ଼ରେ ବ୍ୟସ୍ତ ଲୋକେ ମାନବ ସମ୍ପର୍କରେ ବିଷ ଗୋଳୋଉଛନ୍ତି। ଏମାନେ ଆମକୁ ପାରସ୍ପରିକତା, ଭାଇଚାରା ଉପରେ ଗଢ଼ା ସମନ୍ବିତ ସମାଜ ସ୍ଥାପନ ପାଇଁ କାମ କରିବାଠାରୁ ଦୂରେଇ ଦେଉଛନ୍ତି।’ ଡଃ ରାଓ ଭିବିଜେ ଚେଲିକନି, ସମ୍ପାଦକ, ତାରନାକାଟଇମସ, (ଭଲ୍ୟୁମ ୧୦, ସଂଖ୍ୟା ୧୦ ଅେପ୍ରଲ ୨୦୨୧)।
ଏହି ସମ୍ପାଦକୀୟ ଶେଷରେ ରାଜନୈତିକ ଅଧପତନରୁ, ଗଣତାନ୍ତ୍ରିକ ଅବମୂଲ୍ୟାୟନରୁ ଦେଶକୁ ବଞ୍ଚେଇବାକୁ ଯିଏ ଯାହା କରନ୍ତୁ ବା ଭାବନ୍ତୁ ନା କାହିଁକି, ତାଙ୍କର ନିମ୍ନଲିଖିତ ତିନିଟି ସୁୁପାରିସକୁ କାର୍ଯ୍ୟକାରୀ କରିବାକୁ ସେ ଆହ୍ବାନ ଦେଇଛନ୍ତି।
୧- ସ୍ଥାନୀୟ, ରାଜ୍ୟସ୍ତରୀୟ କିମ୍ବା ଜାତୀୟ କୌଣସି ନିର୍ବାଚନରେ ଭାଗନେଲାବେଳେ କୌଣସି ପ୍ରାର୍ଥୀଙ୍କୁ ଦଳର ପ୍ରରୋଚନା କିମ୍ବା ସଙ୍କେତ ଚିହ୍ନ ଦେଖି ଭୋଟ ଦେବା ଅପେକ୍ଷା ତାଙ୍କ କାମ କିମ୍ବା ଫଟୋ ଦ୍ବାରା ଚିହ୍ନି ଭୋଟ ଦେବାପାଇଁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତେଇବେ।
୨- ସାମାଜିକ ସ୍ବେଚ୍ଛାସେବୀ ପ୍ରତିଷ୍ଠାନମାନଙ୍କ ଜରିଆରେ ହେଉ କିମ୍ବା ନିଜ ପ୍ରଚେଷ୍ଟାରେ ହେଉ, ସାଧାରଣ ଲୋକଙ୍କୁ ସ୍ଥାନୀୟ, ଆଞ୍ଚଳିକ,ରାଜ୍ୟସ୍ତରୀୟ ସମସ୍ତ ପ୍ରଶାସକୀୟ ସଂସ୍ଥାର କାର୍ଯ୍ୟରେ ଭାଗୀଦାର ହେବାପାଇଁ ଲୋକଙ୍କୁ ପ୍ରବର୍ତ୍ତେଇବେ।
୩- କେବଳ ସେଇ ଖବରକାଗଜ ପଢ଼ିବେ ଏବଂ ସେହି ଟେଲିଭିଜନ କାର୍ଯ୍ୟକ୍ରମ ଦେଖିବେ, ଯାହା କୌଣସି ଦଳୀୟ ପ୍ରଚାର ପାଇଁ ଉଦ୍ଦିଷ୍ଟ ନୁହେଁ। ଯାହା ବିଭିନ୍ନ ଦଳର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏବଂ ସବୁ ବିଷୟରେ ସତ୍ୟ ସମ୍ବାଦ ଦେଉଥିବା ସେହିପରି ଜିନିଷ ପଢ଼ିବେ ଓ ଦେଖିବେ।
ପରିଶେଷରେ ମୁଁ ଏତିକି କହିବି ଯେ ଛବିଶ ହଜାର ଗ୍ରାହକ ଥିବା ଏହି ପ୍ରତିକାଟି ମୁଖ୍ୟତଃ ସ୍ଥାନୀୟ ସଂହତି ଠାରୁ ଜାତୀୟ ସଂହତି ପ୍ରଖ୍ୟାପନ ଦିଗରେ କାମକରୁଛି। ଏହାକୁ ପଢ଼ି କେହି ଇଚ୍ଛା କଲେ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିପାରନ୍ତି।


