ଲିଖିତ କ୍ଷମା ମାଗିଲେ କେଜେରିୱାଲ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜେରିୱାଲ ଏକ ମାନହାନୀ ମାମଲାରେ ଅକାଳି ଦଳ ନେତା ବିକ୍ରମ ମାଜିଠିଆଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ କେଜେରିୱାଲଙ୍କ କ୍ଷମା ପ୍ରାର୍ଥନାକୁ ନେଇ ପଞ୍ଜାବ ଆପରେ ଅସନ୍ତୋଷ ପ୍ରକାଶ ପାଇଛି ।

ପଞ୍ଜାବ ଆପ ନେତା ସୁଖପାଲ ସିଂହ କହିଛନ୍ତି ଯେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ନକରି କେଜେରିୱାଲ ଏଭଳି ପଦକ୍ଷେପ ନେଇଛନ୍ତି । ସେହିପରି ଦଳର ଅସନ୍ତୁଷ୍ଟ ନେତା କୁମାର ବିଶ୍ୱାସ ବି କ୍ଷମା ପ୍ରାର୍ଥନା ନେଇ କେଜେରିୱାଲଙ୍କୁ କଡା କଟାକ୍ଷ କରିଛନ୍ତି । କଟାକ୍ଷ କରି କୁମାର ଟ୍ୱିଟ୍‌ କରିଛନ୍ତି ଯେ ଆମେ ସେଭଳି ଲୋକଙ୍କ ଉପରେ କାହିଁକି ଛେପ ପକେଇବୁ, ଯେ ନିଜେ ଛେପ ପକାଇ ଚାଟିବାରେ ସିଦ୍ଧହସ୍ତ । କେଜେରିୱାଲଙ୍କ ଲିଖିତ କ୍ଷମା ପ୍ରାର୍ଥନା ପରେ କୁମାର ବିଶ୍ୱାସଙ୍କ ଏଭଳି ଟ୍ୱିଟ୍‌ କଟା ଘାରେ ଚୂନ ମାରିବା ପରି ହୋଇଛି ।

ପଞ୍ଜାବର ଆପ ବିଧାୟକ ସୁଖପାଲ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଅରବିନ୍ଦ କେଜେରିୱାଲଙ୍କ କ୍ଷମା ପ୍ରାର୍ଥନାକୁ ନେଇ ଆମେ ସ୍ତବ୍ଧ । ଦଳରେ ଏନେଇ କୌଣସି ଚର୍ଚ୍ଚା କରା ନ ଯାଇ ପଦକ୍ଷେପ ନିଆଯାଇଛି । ସୁଖପାଲଙ୍କ କଥାରୁ ବିଦ୍ରୋହର ସ୍ୱର ଶୁଣିବାକୁ ମିଳିଛି ।

ପ୍ରକାଶ ଯେ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କେଜେରିୱାଲ ଓ ଅନ୍ୟ ଆପ ନେତାମାନେ ଅକାଳି ନେତା ମାଜିଠିଆଙ୍କ ବିରୋଧରେ ଡ୍ରଗ୍ସ ବ୍ୟାପାରରେ ଲିପ୍ତ ଥିବାର ଅଭିଯୋଗ ଆଣିଥିଲେ । ମାଜିଠିଆ ଚଣ୍ଡିଗଡ଼ରେ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି କେଜେରିୱାଲଙ୍କୁ ଲିଖିତ କ୍ଷମା ପ୍ରାର୍ଥନା ପତ୍ରକୁ ଦେଖାଇଥିଲେ । କେଜେରିୱାଲଙ୍କ ପକ୍ଷରୁ ଏହି କ୍ଷମା ପ୍ରାର୍ଥନା ପତ୍ରକୁ ଅମୃତସର ଅଦାଲତରେ ଦାଖଲ କରାଯାଇଛି ।

Leave A Reply