ସୁଖୀ ରାଷ୍ଟ୍ର ତାଲିକାରେ ତଳକୁ ଖସିଲା ଭାରତ

0

ନୂଆଦିଲ୍ଲୀ : ମିଳିତ ଜାତିସଂଘ ପକ୍ଷରୁ ବୁଧବାର ପ୍ରକାଶିତ ସୁଖୀ ରାଷ୍ଟ୍ର ତାଲିକାରେ ଭାରତ ୧୨୨ ତମ ସ୍ଥାନରୁ ତଳକୁ ଖସି ୧୩୩ ନମ୍ବର ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ଭାରତର ପଡୋଶୀ ରାଷ୍ଟ୍ର ଓ ଆତଙ୍କବାଦର ଭୂସ୍ୱର୍ଗ ପାକିସ୍ତାନ ଏବଂ ଅତୀବ ଦରିଦ୍ର ରାଷ୍ଟ୍ର ନେପାଳ ଭାରତଠାରୁ ବହୁ ଆଗରେ ରହିଛନ୍ତି । ଅର୍ଥାତ ପାକିସ୍ତାନ ଏବଂ ନେପାଳ ବାସିନ୍ଦାମାନେ ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରର ଅଧିବାସୀଙ୍କଠାରୁ ଅଧିକ ସୁଖରେ ଅଛନ୍ତି।

ଖାଲି ଏହି ଦୁଇ ରାଷ୍ଟ୍ର କାହିଁକି, ଆଞ୍ଚଳିକ ସହଯୋଗିତା ନିମନ୍ତେ ଗଠିତ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ସଂଘ (ସାର୍କ) ଅର୍ନ୍ତଭୁକ୍ତ ସମସ୍ତ ପଡୋଶୀ ଦେଶର ବାସିନ୍ଦାଙ୍କ ତୁଳନାରେ ଭାରତୀୟମାନେ କମ୍‌ ସୁଖୀ। ମାର୍ଚ୍ଚ ୨୦ରେ ବିଶ୍ୱ ସୁଖୀ ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର ଜାତିସଂଘ ପକ୍ଷରୁ ବିଶ୍ୱବାସୀଙ୍କ ସୁଖ ସମ୍ବନ୍ଧରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପୂର୍ବଥର ତୁଳନାରେ ଭାରତ ଏହି ତାଲିକାର ୧୧ଟି ସୋପାନ ତଳକୁ ଖସି ୧୩୩ତମ ସ୍ଥାନ ଲାଭ କରିଛି। ପୂର୍ବ ତାଲିକାରେ ୧୨୨ତମ ସ୍ଥାନରେ ରହିଥିଲା। ଚଳିତଥର ୧୫୬ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ପାକିସ୍ତାନ ୭୫, ଭୁଟାନ ୯୭, ନେପାଳ ୧୦୧, ବାଂଲାଦେଶ ୧୧୫ ଏବଂ ଶ୍ରୀଲଙ୍କା ୧୧୬ ତମ ସ୍ଥାନରେ ଅଛି। ଆଫଗାନିସ୍ତାନ ୧୪୫ତମ ସ୍ଥାନରେ ରହିଥିବା ବେଳେ ମାଲଦ୍ୱୀପକୁ ବିଶ୍ୱ ସୁଖୀ ରିପୋର୍ଟରେ ସାମିଲ କରାଯାଇ ନାହିଁ।

୨୦୧୫-୧୭ ମଧ୍ୟରେ ବିଭିନ୍ନ ରାଷ୍ଟ୍ରର ଅର୍ଥନୈତିକ, ସ୍ୱାସ୍ଥ୍ୟ ଏବଂ ନିର୍ବାଚନୀ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଅର୍ଥନୀତିଜ୍ଞମାନେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିସହ ଦେଶର ପ୍ରାକୃତିକ ସମ୍ପଦ, ନିରାପତ୍ତା, ଶିଶୁ ସୁରକ୍ଷା ଓ ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ ଏବଂ ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଫିନ୍‌ଲାଣ୍ଡ ପୂର୍ବାପେକ୍ଷା ୫ଟି ସୋପାନ ଅତିକ୍ରମ କରି ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ତାଲିକାରେ ଶୀର୍ଷସ୍ଥାନରେ ରହିଛି। ତାଲିକାର ପ୍ରଥମ ଦଶଟି ସ୍ଥାନ ଅଧିକାର କରିଥିବା ରାଷ୍ଟ୍ରଗୁଡିକ ହେଲେ ଫିନ୍‌ଲାଣ୍ଡ, ନରୱେ, ଡେନମାର୍କ, ଆଇସଲାଣ୍ଡ, ସ୍ୱିଜରଲାଣ୍ଡ, ନେଦରଲାଣ୍ଡ, କାନାଡା, ନ୍ୟୁଜିଲାଣ୍ଡ, ସ୍ୱିଡେନ୍‌ ଏବଂ ଅଷ୍ଟ୍ରେଲିଆ। ବ୍ରିଟେନ୍‌ ତାଲିକାର ୧୪ତମ ସ୍ଥାନରେ ଥିବା ବେଳେ ଆମେରିକା ୧୮ତମ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ୨୦ତମ ସ୍ଥାନ ଲାଭ କରିଛି। ୧୭୦ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ମେଦବହୁଳତା, ଅବସାଦ ଏବଂ ନିଶାଦ୍ରବ୍ୟ ଭଳି ସମସ୍ୟା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।

Leave A Reply