ପରାଜୟର ପାର୍ଶ୍ବ ପ୍ରତିକ୍ରିୟା; ଯୋଗୀଙ୍କ ସବୁ କାର୍ଯ୍ୟକ୍ରମ ବାତିଲ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର ଲୋକସଭା ଉପନିର୍ବାଚନରେ ପରାୟଜ ବରଣ କରିବା ପରେ ବିଜେପି ଶିବିରରେ ହଡକମ୍ପ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଅଧିକାରୀଙ୍କ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡକରା ପରେ ଅଧିକାରୀ ମହଲରେ ଆତଙ୍କ ଖେଳିଯାଇଛି ।

ଗୋରଖପୁର ଏବଂ ଫୁଲପୁର ଲୋକସଭା ନିର୍ବାଚନର ଫଳ ବୁଧବାର ପ୍ରକାଶ ପାଇଛି । ଉଭୟ ଲୋକସଭା ଆସନରେ ଏସ୍‌ପି-ବିଏସ୍‌ପି ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରକାଶ ଯେ ଗୋରଖପୁରରେ ଯୋଗୀ ଆଦିତ୍ୟନାଥ ଏବଂ ଫୁଲପୁରରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସାଂସଦ ରହିଥିଲେ। ଗୋରଖପୁରରେ ୧୯୯୧ ପରେ ବିଜେପି ପ୍ରଥମ ଥର ହାରିଛି । ଏଭଳି ଅପ୍ରତ୍ୟାଶିତ ପରାଜୟରେ ବିଜେପି ନେତା ହତାଶ ଏବଂ ବିବ୍ରତ ହୋଇପଡିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁବାର ବହୁ କାର୍ଯ୍ୟମକ୍ରମ ସ୍ଥିର ହୋଇଥିଲା, ମାତ୍ର ସେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ସମସ୍ତ ବିଭାଗୀୟ ଉଚ୍ଚାଧିକାରୀଙ୍କ ଏକ ବୈଠକ ଡାକିଛନ୍ତି । ବୈଠକ ପରେ ଅନେକ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରାଯିବାର ସମ୍ଭାବନା ରହିଛି ବୋଲି ଆଲୋଚନ ହେଉଛି ।

Leave A Reply