ବେଜିଂ: ନିଜର ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ବାରମ୍ବାର ଦେଖିବା, ସେମାନଙ୍କୁ ଅନୁକରଣ କରିବାକୁ ଅନେକ ଭଲ ପାଆନ୍ତି। ବିଶେଷକରି ଭାରତରେ ନିର୍ମିତ ହେଉଥିବା ଚଳଚ୍ଚିିତ୍ରଗୁଡିକ ସାରା ବିଶ୍ୱରେ ଦର୍ଶକଙ୍କର ପସନ୍ଦ ହେବା ସହିତ ସେମାନଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା କିଛି ଭାରତୀୟ ଅଭିନେତାଙ୍କ ମଧ୍ୟରେ ରହିଛନ୍ତି ଶାହରୁଖ ଖାନ୍। ତାଙ୍କର ନିଜସ୍ୱ ଷ୍ଟାଇଲ, କଥା କହିବାର ତରିବା ଏବଂ ଅଭିନୟ ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହି ଭଲ ପାଇବାର ସୀମା ସରହଦ ନାହିଁ, ଏକଥା ସଂପ୍ରତି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଭିଡିଓରୁ ପ୍ରତିପାଦିତ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ ଏକ ଚାଇନିଜ ରିଅଲିଟି ସୋ’ରେ ଅଂଶଗ୍ରହଣ କରିଥିବା ଜଣେ ଯୁବତୀ ମୋହବତେଁ ଚଳଚ୍ଚିତ୍ରର ‘ଆଁଖେଁ ଖୁଲି’ ଗୀତଟିକୁ ଗାଉଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହିତ ଐଶ୍ୱର୍ଯ୍ୟା ରାୟ ଅଭିନୟ କରିଛନ୍ତି। ସମସ୍ତଙ୍କୁ ଚକିତ କରିବା ଭଳି ଉକ୍ତ ଚାଇନା ଯୁବତୀ ଜଣକ ସଠିକ ତାଳ ଏବଂ ଉଚ୍ଚାରଣ ସହିତ ଗୀତକୁ ଗାଉଥିବା ଦେଖିବାକୁ ମିଳିଛି। ଏହା ଦେଖି କେବଳ ବିଚାରକ ମଣ୍ଡଳୀ କିମ୍ବା ଦର୍ଶକ ନୁହନ୍ତି, ବାହାରେ ଉକ୍ତ ଭିଡିଓ ଦେଖୁଥିବା ସମସ୍ତେ ଚକିତ ହୋଇଯାଇଛନ୍ତି। ଅନେକ ତାଙ୍କୁ ଏଥିପାଇଁ ପ୍ରଶଂସା କରିଥିବାବେଳେ କେହି କେହି ତାଙ୍କୁ ଚୀନର ଲତା ମଙ୍ଗେସକର ବୋଲି କହିବା ଆରମ୍ଭ କରିଦେଇଛନ୍ତି।
Popular Categories



