ମୁମ୍ବଇ: ଦେଶରେ ଲାଗି ରହିଥିବା କରୋନା ଟିକା ଅଭାବ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବେ ଦାୟୀ କରିଛି ସିରମ ଇନ୍ଷ୍ଟିଚ୍ୟୁଟ୍। ଟିକାକରଣରେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ପରିଚାଳନାଗତ ବ୍ୟବସ୍ଥା ଯୋଗୁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏନଆଇଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁରେଶ ଜାଧବ କହିଛନ୍ତି। ସେ କହିଛନ୍ତି, ଟିକାକରଣ ଅଭିଯାନକୁ ବସ୍ତାର କରିବା ସମୟରେ ସରକାର ଟିକାର ଉପଲବ୍ଧ ଷ୍ଟକ୍ ଏବଂ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ନିର୍ଦେଶାବଳୀ ପ୍ରତି ଧ୍ୟାନ ଦେଲେନାହିଁ।
ଏକ କାର୍ଯ୍ୟକ୍ରମରେ ଯାଧବ କହିଛନ୍ତି, ଡବ୍ଲ୍ୟୁଏଚଓର ନିର୍ଦେଶାବଳୀକୁ ଦୃଷ୍ଟିରେ ରଖି ସେହି ଅନୁସାରେ ହିଁ ଟିକାକରଣରେ ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ଥିଲା। ପ୍ରାରମ୍ଭିକ ସମୟରେ ୩୦୦ ନିୟୁତ ବା ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାର ଥିଲା, ଯେଉଁଥିପାଇଁ ୬୦୦ ନିୟୁତ ବା ୬୦ କୋଟି ପାନ ଟିକା ଜରୁରୀ ଥିଲା।
ସେ ଆହୁରି କହିଛନ୍ତି ଯେ, ଆମେ ଟାର୍ଗେଟ୍ରେ ପହଞ୍ଚିବା ପୂର୍ବରୁ ହିଁ ସରକାର ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ ଟିକାକରଣ ସହିତ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବାକୁ ଘୋଷଣା କରିଦେଲେ। ଆମ ପାଖରେ ଏତେ ମାତ୍ରାରେ ଟିକା ନ ଥିବା ଜାଣିବା ସତ୍ବେ ସରକାର ଏହି ପଦକ୍ଷେପ ନେଲେ। ଆମକୁ ଉତ୍ପାଦର ଉପଲବ୍ଧତାକୁ ଦୃଷ୍ଟିରେ ରଖିବା ଦରକାର ଏବଂ ନ୍ୟାୟସଙ୍ଗତ ପଦ୍ଧତିରେ ତାହାର ବ୍ୟବହାର କରିବା ଆବଶ୍ୟକ।
ଜାଧବ କହିଛନ୍ତି, ଟିକାକରଣ ଜରୁରୀ, କିନ୍ତୁ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଲୋକଙ୍କୁ ସତର୍କ ରହିବା ଜରୁରୀ। ଟିକାକରଣ ପରେ କରୋନା ନିର୍ଦେଶାବଳୀକୁ ପାଳନ କରିବା ଆବଶ୍ୟକ। ଭୂତାଣୁର ଡବଲ ମ୍ୟୁଟାଣ୍ଟକୁ ନଷ୍ଟ କରିଦିଆଯାଇଛି। ତଥାପି ନୂଆ ଭାରିଆଣ୍ଟ ସମସ୍ୟା ସୃଷ୍ଟି କରିପାରେ। କେଉଁ ଟିକା ପ୍ରଭାବୀ ଏବଂ କେଉଁଟି ନୁହେଁ ତାହା ତରବରିଆ ଭାବେ କହିବା ବର୍ତ୍ତମାନ ଠିକ୍ ହେବ ନାହିଁ। ସିଡିସି ଏବଂ ଏନଆଇଏଚ ମୁତାବକ ଯେକୌଣସି ଟିକା ଉପଲବ୍ଧ ରହିଛି ତାହା ନେବା ଜରୁରୀ ବୋଲି ସେ କହିଛନ୍ତି।



