ବିଶ୍ୱ ଉପଭୋକ୍ତା ଅଧିକାର ଦିବସ

0

ବ୍ୟବସାୟ, ଆୟୁ, ଲିଙ୍ଗ, ସମ୍ପ୍ରଦାୟ ଏବଂ ଧାର୍ମିକ ବିଚାର ଯାହା ହେଲେ ବି ପ୍ରତ୍ୟେକ ବ୍ୟକ୍ତି ଜଣେ ଉପଭୋକ୍ତା। ଉପଭୋକ୍ତା ଅଧିକାର ଓ କଲ୍ୟାଣ ଆଜି ବ୍ୟକ୍ତି ଜୀବନର ଅବିଭାଜ୍ୟ ଅଂଶ ହୋଇଛି। ଦୈନନ୍ଦିନ ଜୀବନରେ ଆମେ ଏହାର ଉପଯୋଗ କରୁଛୁ। ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ୧୯୬୦ ଏପ୍ରିଲ ୧ ତାରିଖରେ କଞ୍ଜ୍ୟୁମର ଇଣ୍ଟରନ୍ୟାସନାଲ ସଂସ୍ଥା ଗଠିତ ହୋଇଥିଲା। ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ମିଶି ଏହି ସଂସ୍ଥା ଗଠନ କରିଥିଲେ। ସେବେଠାରୁ କାର୍ଯ୍ୟ କରି ଆସୁଛି କଞ୍ଜ୍ୟୁମର ଇଣ୍ଟରନ୍ୟାସନାଲ (ସିଆଇ)। ବର୍ତ୍ତମାନ ୧୧୫ଟି ରାଷ୍ଟ୍ରର ୨୨୦ଟି ସଂଗଠନ ଏହି ସଂସ୍ଥାର ସଦସ୍ୟ ରହିଛନ୍ତି। କଞ୍ଜ୍ୟୁମର ଇଣ୍ଟରନ୍ୟାସନାଲର ଆବାହକତ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୧୫ ତାରିଖକୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଭାବେ ପାଳନ କରାଯାଇଥାଏ। ୧୯୬୨ ମସିହା ଏହି ଦିନରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜନ୍‌ଏଫ୍‌ କେନେଡ଼ି ଉପଭୋକ୍ତାଙ୍କ ଅଧିକାର ସୁରକ୍ଷା ପାଇଁ ଭାଷଣ ଦେଇଥିଲେ। ତାଙ୍କର ସେହି ଉଦ୍‌ବୋଧନ ଯୋଗୁଁ ଆମେରିକାରେ ଉପଭୋକ୍ତା ଅଧିକାର ବିଲ୍‌ କାର୍ଯ୍ୟକାରୀ ହୋଇଥିଲା। ଭାରତୀୟ ଗ୍ରାହକ ଆନ୍ଦୋଳନ ଇତିହାସରେ ଏହି ଦିନ ସ୍ୱର୍ଣ୍ଣାକ୍ଷରରେ ଲିଖିତ ହୋଇଛି। ଆମ ଦେଶରେ ଏହି ଦିବସ ପ୍ରଥମଥର ୨୦୦୦ ମସିହାରେ ପାଳନ କରାଗଲା। ସେହିଦିନକୁ ମନେ ରଖିବା ପାଇଁ ମାର୍ଚ୍ଚ ୧୫ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଭାବେ ପାଳନ କରାଯାଇଥାଏ। ଉପଭୋକ୍ତାଙ୍କ ମୌଳିକ ଅଧିକାରର ସୁରକ୍ଷା ସେମାନଙ୍କୁ ଉନ୍ନତମାନର ସେବା, ସାମଗ୍ରୀ ଯୋଗାଇଦେବା, ସେମାନଙ୍କ ସାମାଜିକ, ଅର୍ଥନୈତିକ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ଏହି ଅବସରରେ ବିଭିନ୍ନ ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ।

Leave A Reply