www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବାୟନ, ଧନତନ୍ତ୍ର ଓ ଦାରିଦ୍ର୍ୟ

ନୋବେଲ ବିଜେତା ଅର୍ଥନୀତି ବିଶାରଦ ଅଭିଜିତ ବିନାୟକ ବାନାର୍ଜୀ ନିକଟରେ ସ୍ମରଣ କରାଇ ଦେଇଛନ୍ତି ଯେ, ଅର୍ଥନୈତିକ ବିଶ୍ବାୟନରେ ଭାରତ ଲାଭବାନ ହୋଇଛି ସତ; କିନ୍ତୁ ଗରିବ ମଣିଷଙ୍କ ଉପରେ ଯେପରି ତାହାର କୁଫଳ ନ ପଡ଼ିବ, ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇନାହିଁ। ୨୦୨୦ର ବିପର୍ଯ୍ୟୟ ପ୍ରତ୍ୟକ୍ଷ କରିବା ପରେ ଏହି କଥାଟି ସହିତ କେହି ଭିନ୍ନମତ ହେବେ ବୋଲି ସନ୍ଦେହ ହୁଏନାହିଁ। କଥାଟି କେବଳ ବିଶ୍ବାୟନର ନୁହେଁ, କଥାଟି ପୁଞ୍ଜି ସହିତ ସମାଜର ସମ୍ପର୍କର ବୃହତ୍ତର ପରିପ୍ରେକ୍ଷୀରେ ସମାନ ଭାବରେ ପ୍ରଯୁଜ୍ୟ। ଉଦାର ବାଣିଜ୍ୟ ପ୍ରୟୋଜନ, ବଜାରର ସ୍ବାଧୀନତା ପ୍ରୟୋଜନ, ସେଥିରେ ସନ୍ଦେହ ନାହିଁ। ବିଶ୍ବାୟନକୈନ୍ଦ୍ରିକ ବାଣିଜ୍ୟ ଫଳରେ ଗୋଟାକଯାକ ଦୁନିଆରେ ଆର୍ଥିକ ସମ୍ପଦର ପରିମାଣ ବହୁଗୁଣ ବଢ଼ିଅଛି। କେବଳ ଅର୍ଥନୈତିକ ସଂସ୍କାରୋତ୍ତର ଭାରତର ଉଦାହରଣରୁ ସେହି ସମୃଦ୍ଧିର ଅନ୍ଦାଜ ପାଇବା ସମ୍ଭବ। ପ୍ରଶ୍ନ ସେହି ସଂପଦର ବଣ୍ଟନ ନେଇ। ଟମାସ ପିକେଟି ତାଙ୍କର ଗବେଷଣାରେ ଦେଖାଇଛନ୍ତି, ସମଗ୍ର ବିଶ୍ବ ଏକ ଅଭୂତପୂର୍ବ ଆର୍ଥିକ ବୈଷମ୍ୟ ପ୍ରତ୍ୟକ୍ଷ କରୁଛି ଏବଂ ସେହି ଘଟଣାଟି ଘଟିଛି ବିଶ୍ବାୟନର ମଧ୍ୟାହ୍ନରେ। ଅର୍ଥାତ ପୁଞ୍ଜି ଯାହା ଉତ୍ପାଦନ କରିବାକୁ ସକ୍ଷମ ହୋଇଛି, ରାଷ୍ଟ୍ରବ୍ୟବସ୍ଥା ତାହାକୁ ବଣ୍ଟନ କରିବାକୁ ସକ୍ଷମ ହୋଇପାରିନାହିଁ। ତାହା ଫଳରେ ଯେ କୌଣସି ଧକ୍କାରେ ଦରିଦ୍ର ମଣିଷର ଜୀବନ ଏକାବେଳକେ ବିପର୍ଯ୍ୟସ୍ତ ହୋଇପଡ଼େ। ସରକାର ହଠାତ୍‌ ତାଲାବନ୍ଦ ଘୋଷଣା କଲେ ସେହି ମଣିଷମାନଙ୍କ ପକ୍ଷରେ ଦିନଟିଏ ମଧ୍ୟ ସହରରେ ସମ୍ଭାଳି ​‌େ​‌ହାଇ ରହିବା ଅସମ୍ଭବ ହୁଏ- ସେମାନେ ଏପରିକି ପାଦରେ ଚାଲିଚାଲି ଶତାଧିକ କିଲୋମିଟର ପଥ ଅତିକ୍ରମ କରି ଘରକୁ ଫେରିଯିବାକୁ ଚାହାନ୍ତି।

ଗରିବଙ୍କ ପାଇଁ ବିପଦ ଅନେକ। ମହାମାରୀ ତାହାର ଗୋଟିଏ ରୂପ। ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଯଦି ଧନୀଦରିଦ୍ର ନିର୍ବିଶେଷରେ ସମାନ ହୁଏ, ସେହି ଧକ୍କା ସମ୍ଭାଳିବାର କ୍ଷମତା ସମାନ ନୁହେଁ। ଗରିବ ଲୋକଟିଏ ଚିକିତ୍ସା ନ ପାଇବାର ସମ୍ଭାବନା ବେଶୀ। କାର୍ଯ୍ୟ କରି ନପାରିଲେ ଆୟଶୂନ୍ୟ ହେବା ଫଳରେ ସଂସାର ମଧ୍ୟ ଅଚଳ। ପୁଣି ବିଶ୍ବାୟନ-ବାହିତ ଆର୍ଥିକ ମାନ୍ଦାବସ୍ଥା ଦରିଦ୍ରକୁ ସର୍ବାଗ୍ରେ କାବୁ କରେ। ପ୍ରଥମରୁ ସେମାନେ ହିଁ କାମ ହରାଇବସନ୍ତି। ପୁଣି ସ୍ବଳ୍ପ ଆୟ ଫଳରେ ସଞ୍ଚୟର ପରିମାଣ ଯତ୍‌ସାମାନ୍ୟ ହେବା ଯୋଗୁଁ କର୍ମହୀନତାର ଧକ୍କା ସମ୍ଭାଳିବା ସେମାନଙ୍କ ପକ୍ଷରେ କଠିନ ହୁଏ। ବିଶ୍ବ ଉଷ୍ଣାୟନଜନିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବାଆଗ ଲାଗେ ଦରିଦ୍ର ମଣିଷର ଦେହରେ। ତା’ପଛରେ ବାଣିଜ୍ୟର ବଡ଼ ଭୂମିକା। ଧନତନ୍ତ୍ରର ଚକା ଯେତେ ଗତିଶୀଳ ହୋଇଅଛି, ସେତେ ଲାଭବାନ ହୋଇଛନ୍ତି ଧନିକ ରାଷ୍ଟ୍ରସମୂହ ଏବଂ ଦରିଦ୍ର ରାଷ୍ଟ୍ରର ଧନୀ ଲୋକେ; କିନ୍ତୁ ସେଥିପାଇଁ ପ୍ରକୃତିକୁ ଯେଉଁ ମୂଲ୍ୟ ଦେବାକୁ ହେଉଛି, ତାହାର ଫଳ ଭୋଗୁଛନ୍ତି ମୂଳତଃ ଦରିଦ୍ର ମଣିଷ। ଅଭିଜିତ ବାନାର୍ଜୀଙ୍କ ବକ୍ତବ୍ୟର ସୂତ୍ର ଧରି କହିହେବ ଯେ, ଯେତେ ଦିନ ଯାଏ ବିଶ୍ବାୟନ ଓ ଧନତନ୍ତ୍ର ଏହି ମଣିଷମାନଙ୍କର ଦାୟିତ୍ବ ସ୍ବୀକାର କରି ନାହିଁ ସେତେଦିନ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇପାରିବ ନାହିଁ।

- Advertisement -

ଏହି ସଂକଟର ଏକମାତ୍ର ଉତ୍ତର ଦାୟିତ୍ବଶୀଳ ଧନତନ୍ତ୍ର, ଯାହା କେବଳ ଏହି ମୁହୂର୍ତ୍ତର ମୁନାଫା ଅର୍ଜନରେ ସନ୍ତୁଷ୍ଟ ନୁହେଁ; ଅର୍ଥନୀତିର ସମୃଦ୍ଧିକୁ ପ୍ରସାରିତ କରି ଯେଉଁ ଧନତନ୍ତ୍ର ଆପଣାକୁ ସୁସ୍ଥାୟୀ କରି ତୋଳିବାର ଚେଷ୍ଟା କ​‌େ​‌ର। ସଂଖ୍ୟାଗରିଷ୍ଠ ମଣିଷର ବିପନ୍ନତା ଯଦି ବଢ଼ିବଢ଼ି ଚାଲେ ତେବେ ତାହା କାହା ପକ୍ଷରେ ସୁସମ୍ବାଦ ନୁହେଁ। ପୁଞ୍ଜି ପକ୍ଷରେ ମଧ୍ୟ ନୁହେଁ। କାରଣ ବଜାରକୁ ଚଳମାନ ରଖିବାକୁ ହେଲେ ଅଧିକତର ମଣିଷଙ୍କ ହାତରେ କ୍ରୟକ୍ଷମତା ରହିବା ଦରକାର। ମନେ ରଖିବା ଦରକାର, ସୁସ୍ଥାୟୀ ଉନ୍ନୟନ ସହିତ ପୁଞ୍ଜି ବା ବିଶ୍ବାୟନର କୌଣସି ବିରୋଧ ନାହିଁ। ପୁଞ୍ଜିକୁ ସେହି ସୁସ୍ଥାୟୀ ଉନ୍ନୟନରେ ଉତ୍ସାହିତ କରି ତୋଳିବାର କାର୍ଯ୍ୟରେ ରାଷ୍ଟ୍ରକୁ ଆପଣାର ଭୂମିକା ପାଳନ କରିବାକୁ ହେବ। ଭାରତ ପରି ଦେଶରେ ଏହିଠାରେ ହିଁ ଶଙ୍କିତ ହେବାକୁ ପଡ଼େ। ଏ ଦେଶରେ ରାଷ୍ଟ୍ର ଯେଉଁ ଭାବରେ ଅପର ବ୍ୟବସ୍ଥାର ଯୁକ୍ତିରେ ଚାଳିତ ହୁଏ ଏବଂ ଉକ୍ତ ବ୍ୟବସ୍ଥା ତାହାର ସ୍ବଭାବଧର୍ମ ଅନୁସାରେ ପୁଞ୍ଜିବାଦର ଦୀର୍ଘମିଆଦୀ ସ୍ବାସ୍ଥ୍ୟ ବିଷୟରେ ଯେଉଁପରି ଉଦାସୀନ, ସେଥିରେ ରାଷ୍ଟ୍ର କ’ଣ ଏହି ଦାୟିତ୍ବ ପାଳନରେ ସକ୍ଷମ ହେବ? ସେହି ଦୂରଦୃଷ୍ଟି କ’ଣ ଏହି ରାଷ୍ଟ୍ରର ଅଛି? ତାହାର କୌଣସି ଲକ୍ଷଣ ଅନ୍ତତଃ ଆଜି ପର୍ଯ୍ୟନ୍ତ ଦେଖାଯାଇନାହିଁ। ଫଳତଃ ଅର୍ଥନୀତିବିଦ୍‌ମାନେ କ୍ରମାଗତ କେବଳ ଅରଣ୍ୟରୋଦନ କରି ଆସିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories