କୋଭିଡ ପରିସ୍ଥିତିର ରାଜ୍ୟ ଓ ଜିଲ୍ଲାୱାରୀ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଔଷଧ ଉପଲବ୍ଧତା ଓ ଟିକାକରଣର ମଧ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

-ଯେଉଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଅଭାବ ଅଛି ତାହାର ସୁଧାର ପାଇଁ ସେମାନଙ୍କୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବାକୁ ପ୍ରଧାମନ୍ତ୍ରୀଙ୍କ ନିର୍ଦ୍ଦେଶ
-ଟିକାକରଣରେ ମନ୍ଥରତା ନ ଆଣିବାକୁ ସମ୍ବେଦନଶୀଳ ହେବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ-୧୯ ପରିସ୍ଥିତିର ଗୁରୁବାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି। ଯେଉଁ ୧୨ଟି ରାଜ୍ୟରେ ଏକ ଲକ୍ଷ ଅବା ତା’ଠାରୁ ଅଧିକ ସଂକ୍ରମଣ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି। ଯେଉଁ ଜିଲ୍ଳାଗୁଡିକରେ ଅଧିକ ସଂକ୍ରମଣ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା।

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟ ଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧ ଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ବା ପଜିଟିଭ୍ ହାର ଶତକଡା ଦଶ ଭାଗ ଅବା ଶତକଡା ୬୦ଭାଗ ଅମ୍ଳଜାନ ସଂଯୋଗ ହୋଇଥିବା ଶଯ୍ୟା ଅଥବା ଆଇସିୟୁ ଅଧିକୃତ ହୋଇଥିବ ସେମାନଙ୍କୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକୁ ମାର୍ଗଦର୍ଶିକା ପଠାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଔଷଧପତ୍ରର ଉପଲବ୍ଧତାର ମଧ୍ୟ ସମୀକ୍ଷା କରିଛନ୍ତି। ରେମଡେସିଭିର ସମେତ ଅନ୍ୟ ଔଷଧର ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା।

ଟିକାକରଣର ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଆଗାମୀ କିଛି ମାସ ମଧ୍ୟରେ କିପରି ଟିକା ମାତ୍ରା ଉତ୍ପାଦନ ବୃଦ୍ଧି କରାଯିବ ସେ ସମ୍ପର୍କରେ ମଧ୍ୟ ବୁଝିଥିଲେ। ଏ ପର୍ଯ୍ୟନ୍ତ ୧୭.୭କୋଟି ଟିକା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା। ରାଜ୍ୟୱାରୀ ଟିକା ନଷ୍ଟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଦେଶରେ ଶତକଡା ୩୧ ଭାଗ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୂନ୍ୟ ଗୋଟିଏ ମାତ୍ରା ଦିଆଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା। ଯେପରି ରାଜ୍ୟ ଗୁଡିକରେ ଟିକାକାରଣ କାର୍ଯ୍ୟକ୍ରମରେ ଶିଥିଳତା ନ ଆସେ ସେ ସମ୍ପର୍କରେ ରାଜ୍ୟଗୁଡିକୁ ସମ୍ବେଦନଶୀଳ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ତାଲାବନ୍ଦ ସତ୍ୱେ ଜନସାଧାରଣଙ୍କ ଟିକାଦାନ ପ୍ରକ୍ରିୟା ବନ୍ଦ ନ ହେବା ତଥା ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂହ, ଅମିତ ଶାହା, ଡକ୍ଟର ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ମନସୁଖ ମାଣ୍ଡଭ୍ୟା ଓ  ନିର୍ମଳା ସୀତାରମଣ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଗଣ ଉପସ୍ଥିତ ଥିଲେ।

Comments are closed.