www.samajalive.in
Saturday, December 6, 2025
17.1 C
Bhubaneswar

୧୮ ବର୍ଷରୁ ଅଧିକ ସମସ୍ତଙ୍କୁ କୋଭିଡ ଟିକା ଦିଅ: ଆଇଏମଏ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧିପାଉଥିବା କରୋନାର ଦ୍ୱିତୀୟ ତରଙ୍ଗ ଏବଂ ତଦ୍‍ଜନିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ୧୮ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ ଟିକାକରଣ କରିବାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‍ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛି। ତାହାସହିତ ସର୍ବସାଧାରଣ ସ୍ଥଳକୁ ଯିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଥିବା ସାମଗ୍ରୀ ଆଣିବା ପାଇଁ କୋଭିଡ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବ୍ୟବସ୍ଥା ବାଧ୍ୟତାମୂଳକ କରିବାକୁ ଏହା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି।
ଉଙ୍ଗଳବାର ଦିନ ଆଇଏମ୍‍ଏ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖାଯାଇଛି। ଏଥିରେ କୁହାଯାଇଛି, ସଂପ୍ରତି ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସେଥିପାଇଁ ଟିକାକରଣ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରାଯିବାର ଆବଶ୍ୟକତା ରହିଛି। ଏଥିସହିତ ଏହା ମାଗଣାରେ ଟିକାକରଣ ଏବଂ ଜଣେ ଯେତେବେଳେ ଚାହିଁଲେ ଯାଇ ଟିକା ଦେଇପାରିବା ସହିତ ସିନେମା ହଲ୍‍, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡା ଭଳି ଅଣ ଅତ୍ୟାବଶ୍ୟକ କ୍ଷେତ୍ରଗୁଡିକୁ ସାମୟିକ ସମୟ ନିମନ୍ତେ ଲକ୍‍ଡାଉନ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛି।
ସୂଚନାଯୋଗ୍ୟ ଯେ କୋଭିଡ ଟିକାକରଣକୁ ନେଇ ଦେଶରେ ଅନେକ ଲୋକ କୁଣ୍ଠା ପ୍ରକାଶ କରୁଥିବାବେଳେ ଆଇଏମ୍‍ଏ ପ୍ରଥମ ଦିନରୁ ଏ କ୍ଷେତ୍ରରେ ସରକାରଙ୍କୁ ସହଯୋଗ କରିଆସୁଛି ଏବଂ ଟିକାକରଣ ବୃଦ୍ଧି କରିବାକୁ ଏହା ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଥିବା କହିଛି। ଉକ୍ତ ପତ୍ରରେ କୁହାଯାଇଛି ଯେ ଅନ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ଆମ ରାଷ୍ଟ୍ରରେ ଟିକାକରଣ ହାର ଅତ୍ୟନ୍ତ କମ୍‍ ରହିଛି। କୋଭିଡର ଦ୍ୱିତୀୟ ତରଙ୍ଗ ଦୀର୍ଘକାଳ ରହିବା ଅନୁମାନ କରାଯାଉଛି, ସେଥିପାଇଁ ଦେଶରେ ସମସ୍ତଙ୍କର ଟିକାକରଣ କରିବା ଆବଶ୍ୟକ ହୋଇପଡିଛି ବୋଲି ଆଇଏମ୍‍ଏର ସାଧାରଣ ସଂପାଦକ ଡା.ଜୟେଶ ଲେଲେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ରରେ ଆଇଏମଏ ଏହା ମଧ୍ୟ କହିଛି, କୋଭିଡ ବିରୁଦ୍ଧରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଘଟାଇବା ସମ୍ପର୍କିତ ଆକଳନ କରିବା କ୍ଷେତ୍ରରେ ଟିକାକରଣ ଏକମାତ୍ର ପ୍ରମାଣ ଆଧାରିତ ସମ୍ବଳ ହୋଇପାରିବ ଏବଂ ଏହାଦ୍ୱାରା ରୋଗର ପ୍ରାବଲ୍ୟ ହ୍ରାସ କରିବାକୁ ହର୍ଡ ଇମ୍ୟୁନିଟି ସୃଷ୍ଟି କରାଯାଇପାରିବ। ଟିକାକରଣ ଅଭିଯାନରେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ସାମିଲ କରାଯିବା ସହିତ ଘରୋଇ କ୍ଲିନିକଗୁଡିକ ଟିକାକରଣ କରିବାକୁ ସେମାନଙ୍କୁ ଅନୁମତି ଦିଆଯିବା ଏବଂ ଟିକାକରଣ ଅଭିଯାନ ନିରୀକ୍ଷଣ କରିବାକୁ ଜିଲାସ୍ତରୀୟ ଟାସ୍କଫୋର୍ସ ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ପତ୍ରରେ କୁହାଯାଇଛି ଯେ ସର୍ବସାଧାରଣ ସ୍ଥଳକୁ ଯିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମଗ୍ରୀ ଉଠାଇବା ସମୟରେ କୋଭିଡ ଟିକାକରଣ ପ୍ରମାରପତ୍ର ବାଧ୍ୟତାମୂଳକ କରାଯିବା ଆବଶ୍ୟକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories