www.samajalive.in
Thursday, December 11, 2025
18.1 C
Bhubaneswar

ଜଳିଗଲା ରୋହିଙ୍ଗ୍ୟା ଶିବିର: ୧୫ମୃତ, ୪୦୦ ନିଖୋଜ

ଢ଼ାକା: ବାଂଲାଦେଶର ଦକ୍ଷିଣ-ପୂର୍ବାଞ୍ଚଳ ଜିଲା କକ୍ସ ବଜାର ଅନ୍ତର୍ଗତ ବାଲୁଖାଲିଠାରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୬୦ ଆହତ ହୋଇଛନ୍ତି। ଏଥିରେ ୪୦୦ରୁ ଅଧିକ ନିଖୋଜ ଥିବାବେଳେ ୧୦ହଜାରରୁ ଅଧିକ ଆଶ୍ରୟସ୍ଥଳ ପୋଡ଼ି ପାଉଁଶ ହୋଇଯାଇଛି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ପ୍ରାୟ ୮ହଜାର ଏକର ଜମିରେ ୩୪ଟି ସଂଘବଦ୍ଧ ଶିବିର ରହିଥିବା ପ୍ରକାଶ। ରୋଷେଇ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ନିଆଁ ବ୍ୟାପିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ସୋମବାର ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀ ଓ ଅନ୍ୟ ସଂସ୍ଥାଙ୍କୁ ନାକେଦମ ହେବାକୁ ପଡ଼ିଛି। ଏହି ଝାଟିମାଟି ଶିବିରରେ ମ୍ୟାଁମାରରୁ ୨୦୧୭ରେ ପଳାଇ ଆସିଥିବା ୫୦ହଜାରରୁ ଅଧିକ ମୁସଲମାନ ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରୁଥିଲେ। ଅଗ୍ନିକାଣ୍ଡ ପରେ ଆତଙ୍କିତ ଶରଣାର୍ଥୀମାନେ ଜୀବନ ବିକଳରେ କେଉଁଆଡ଼େ ପଳାଇଛନ୍ତି। ବାଂଲାଦେଶ ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଶିବିରରେ ବହୁବାର ନିଆଁ ଲାଗିଥିଲେ ମଧ୍ୟ ଏହା ସବୁଠୁ ଭୟଙ୍କର। ଗତ ସପ୍ତାହକ ମଧ୍ୟରେ ଏହା ଚତୁର୍ଥ ଅଗ୍ନିକାଣ୍ଡ ବୋଲି ଜଣାପଡ଼ିଛି। ଶୁକ୍ରବାର ଏଭଳି ଦୁର୍ଘଟଣାରେ ଶତାଧିକ ଶିବିର ପାଉଁଶ ହୋଇଯାଇଥିଲା। ଏହା ପୂର୍ବରୁ ଜାନୁଆରୀରେ ମଧ୍ୟ ବହୁ ସଂଖ୍ୟକ ଶିବିର ଜଳିଯାଇଥିଲା।

- Advertisement -

ଏହି ଅଗ୍ନିକାଣ୍ଡ ନେଇ ଜାତିସଙ୍ଘ ମାନବାଧିକାର ସଂଗଠନ ଓ ଶରଣାର୍ଥୀ ଏଜେନ୍ସି କ୍ଷୋଭ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଶରଣାର୍ଥୀମାନଙ୍କ ଥଇଥାନ ଓ ସହାୟତା ପାଇଁ ଅନ୍ୟୂନ ୨୦ନିୟୁତ ଡଲାର ଆବଶ୍ୟକ ଥିବାବେଳେ ଜାତିସଙ୍ଘ ଶରଣାର୍ଥୀ ଏଜେନ୍ସି ୧ନିୟୁତ ଡଲାର ଯୋଗାଇ ଦେଇଛି। ଅପରପକ୍ଷରେ ଏଭଳି ଅଗ୍ନିକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ରୋହିଙ୍ଗ୍ୟା ନେତାମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ବାଂଲାଦେଶ ସରକାର ସମ୍ପ୍ରତି ଏହି ଶରଣାର୍ଥୀଙ୍କୁ ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ଏକ ଦ୍ବୀପରେ ଥଇଥାନ କରାଉଛନ୍ତି। ଦୁଇମାସ ମଧ୍ୟରେ ପ୍ରାୟ ୧୩ହଜାର ଶରଣାର୍ଥୀଙ୍କୁ ସେଠାରେ ନିର୍ମିତ ସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଗଲାଣି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories