ବିଶ୍ୱ ମହିଳା ଦିବସ ସ୍ୱତନ୍ତ୍ର : ଜ୍ଞାନର ଦୀପ ପ୍ରଜ୍ୱଳନ ସହିତ ସମାଜସେବାରେ ନିଜକୁ ଉର୍ତ୍ସଗୀକୃତ କରିଛନ୍ତି ଅନିତା
ସମ୍ବଲପୁର : ଭାରତରେ ନାରୀକୁ ଶକ୍ତି ରୂପେ ପୂଜା କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ମହିଳା ମାନେ ପୁରୁଷ ମାନଙ୍କ ସହିତ ତାଳ ଦେଇ ଆଗକୁ ବଢ଼ି ଚାଲିଛନ୍ତି। ଆଜିର ନାରୀ ପରିବର୍ତ୍ତିତ ସମୟ ସହିତ ନିଜକୁ ଢ଼ାଳି ଆଗକୁ ମାଡି ଚାଲିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ସ୍ଥାନ ଅଧିକାର କରି ସଫଳତାର ସହିତ ଦାୟିତ୍ୱ ନିର୍ବାହ କରୁଛନ୍ତି। ସମ୍ବଲପୁର ଜିଲାରେ ଅନେକ ମହିଳା ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସମାଜରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରେରଣାର ଉତ୍ସ ହୋଇଛନ୍ତି। ବିଭିନ୍ନ ବାଧାବିଘ୍ନ ସତ୍ୱେ ନିଜର ଦୁଃଖକଷ୍ଟକୁ ଭୁଲି ଆଗକୁ ଆସି ସମାଜସେବାରେ ନିଜକୁ ବ୍ରତି କରିଥିବା ଦଲଦଲିପଡାର ନିବାସୀ ଅନୀତା ବାଗ ।
ସମ୍ବଲପୁରର ସହରରେ ଅନେକ ସମାଜସେବୀ ସ୍ୱେଚ୍ଛାକୃତ ଭାବରେ ନିଜର ଦାୟିତ୍ୱ ନିର୍ବାହ କରି ଆସୁଥିବା ବେଳେ କ୍ଷେତରାଜପୁର ଅଞ୍ଚଳର ପଛୁଆ ବସ୍ତି ଗୁଡିକରେ କୌଣସି ସମାଜସେବୀ ମହିଳାଙ୍କ ନାମ ମନେ ପଡେ, ତାହା ହେଲେ ସେ ହେଉଛନ୍ତି ଦଲଦଲିପଡାର ନିବାସୀ ଅନୀତା ବାଗ। ଅନୀତା ଏକ ଗରିବ ପରିବାରରୁ ଆସିଥିବା ବେଳେ ଗରିବ ମାନଙ୍କ ପାଇଁ କିଛି ଲକ୍ଷ୍ୟ ନେଇ ବିଗତ ପ୍ରାୟ ୧୦ ବର୍ଷ ହେବ ତାଙ୍କର ସେବା କାର୍ଯ୍ୟ ଜାରି ରଖିଛନ୍ତି। ୨୦୧୨ରୁ ସେ ଅଞ୍ଚଳର କିଛି ମହିଳାଙ୍କୁ ସାଥିରେ ନେଇ ବସ୍ତି ବାସିନ୍ଦା ମାନଙ୍କର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୧୫ ମସିହାରେ ସମସ୍ତଙ୍କ ସହାୟତାରେ ‘ଆୱାର ହେଲପିଂ ହେଣ୍ଡ’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରିଛନ୍ତି। ଏହି ସଂସ୍ଥା ମାଧ୍ୟମରେ ସେ ସହରର ବିଭିନ୍ନ ବସ୍ତି ମାନଙ୍କ ଗରିବ ପରିବାର ଗୁଡିକର ପୁଅ ଝିଅ ମାନେ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ପାଠ ପଢ଼ା ମଝିରେ ଛାଡି ଦେଉଥିବା ବେଳେ ସେମାନଙ୍କୁ ପୁର୍ନବାର ସ୍କୁଲ ଯିବାର ବ୍ୟବସ୍ଥା କରୁଛନ୍ତି। ଏହା ସହିତ ସେ ଓ ଅନୁଷ୍ଠାନର ସଦସ୍ୟ ମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୯ ଜଣ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ନିୟମିତ ଶିକ୍ଷାଦାନ କରୁଛନ୍ତି।
ଏହା ସହିତ ଅନୁଷ୍ଠାନର ସଂଯୋଜିକା ଭାବରେ ସଦସ୍ୟ ମାନଙ୍କ ସହିତ ମିଳିତ ଭାବରେ ସହରର ବିଭିନ୍ନ ବସ୍ତି ମାନଙ୍କୁ ନିୟମିତ ଯାଇ କିଶୋରୀ ବାଳିକା ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ତାର ସମାଧାନ, ସେମାନଙ୍କ ଅଧିକାର ଓ ସରକାରୀ ସହାୟତା ଗୁଡିକ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ପଛୁଆ ବର୍ଗ ଓ ବସ୍ତିବାସିନ୍ଦା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କର ଅନୁଷ୍ଠାନ ପକ୍ଷରୁ ମାଗଣାରେ ସିଲେଇ ପ୍ରଶିକ୍ଷଣ, ମହମବତି, କାଗଜ ଠୁଙ୍ଗା ଆଦି ନିର୍ମାଣର ସ୍ୱତନ୍ତ୍ର ତାଲିମ ଦେଉଛନ୍ତି।
ଏହା ସହିତ ପ୍ରଶିକ୍ଷିତ ମହିଳା ମାନଙ୍କ ପାଇଁ ଅର୍ଡର ଆଣିବା ସହିତ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବଜାରରେ ସୁଲଭ ଦରରେ ବିକ୍ରି କରି ସେମାନଙ୍କୁ ଉଚିତ ପ୍ରାପ୍ୟ ପାଇବାରେ ମଧ୍ୟ ସହାୟତା କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ଅନୁଷ୍ଠାନ ତରଫରୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ସହିତ କରୋନା ସଚେନତା କାର୍ଯ୍ୟକ୍ରମ, ମାସ୍କ ବଣ୍ଟନ ଆଦି କରାଯାଇଛି। ନିସ୍ୱାର୍ଥପର ଭାବରେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଅନୀତାଙ୍କୁ ଏମସିଏସଲ, ଜିଲା ପ୍ରଶାସନ ସମେତ ଅନ୍ୟ ଅନୁଷ୍ଠାନ ଗୁଡିକରୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ କରାଯାଇଛି।
ବସ୍ତିବାସିନ୍ଦା ଓ ଗରିବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜ୍ଞାନର ଦୀପ ପ୍ରଜ୍ୱଳନ ଓ ସମାଜସେବା କାର୍ଯ୍ୟ ପଛରେ ଅନୀତାଙ୍କ ନିଜସ୍ୱ ଏକ ଦୁଃଖଦ କାରଣ ରହିଛି। ଏ ସର୍ମ୍ପକରେ ଅନୀତା କହନ୍ତି ଯେ, ୨୦୦୫ ମସିହା ମେ ମାସରେ ତାଙ୍କର ସ୍ୱାମୀ ନିଖୋଜ ହୋଇଯାଇଥିଲେ। ସେ ସମୟରେ ତାଙ୍କର ଦୁଇଟି ଝିଅ ଛୋଟ ଥିବା ବେଳେ ସ୍ୱାମୀଙ୍କୁ ଖୋଜିବା ପାଇଁ ସେ ପୁଲିସ, ଥାନା ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ। ସ୍ୱାମୀ ନିଖୋଜ ହେବା ପରେ ତାଙ୍କର ପରିବାର ଉପରେ ଦୁଃଖର ପାହାଡ ପଡିଥିବା ବେଳେ ଅନେକ ଦୁଃଖକଷ୍ଟ କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ଏକୁଟିଆ ମହିଳା ହୋଇଥିବାରୁ ଅନେକ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେବା ପରେ ଆଗାମୀ ଦିନରେ ତାଙ୍କର ଦୁଇ ଝିଅ ସମେତ ସମାଜରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଓ ପରିବାର ମାନଙ୍କ ପାଇଁ କିଛି କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ୨୦୧୦ ପରଠାରୁ ସେ ଏକାକୀ ତାଙ୍କର ସମାଜସେବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ପ୍ରେରଣା ପାଇ ଅନେକ ମହିଳା ଆଗକୁ ଆସି ତାଙ୍କୁ ସହାୟତା କରିଥିଲେ ଏବଂ ସେହି ନିରନ୍ତର ପ୍ରୟାସ ଏବେ ମଧ୍ୟ ଜାରି ରହିଛି। ସମାଜର ଗରିବ ଓ ଅବହେଳିତ ମାନଙ୍କ ପାଇଁ କିଛି କରିବାର ଉଦ୍ୟମ ଯୋଗୁଁ ଆଜି ଅନୀତା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।
Comments are closed.