ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ ଏସ୍କର୍ଟ ସର୍ଭିସ୍‌ : ମୁଖ୍ୟ ଅଭିଯୁକ୍ତ ସମେତ ୬ଗିରଫ

ଏୟାରପୋର୍ଟ ଥାନାରେ ସୁରେଶ ବିରୋଧରେ ୩ ଅଭିଯୋଗ,-ପୀଡ଼ିତାଙ୍କ ଭାଇରାଲ ଭିଡିଓ ରହସ୍ୟ ଖୋଲିଲା

ଭୁବନେଶ୍ବର : ରାଜଧାନୀରେ ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ ଚାଲୁଥିଲା ଏସ୍କର୍ଟ ସର୍ଭିସ୍‌ । ମୋବାଇଲ ମେସେଜ୍‌ ଜରିଆରେ ଅନୈତିକ କାରବାର ହେଉଥିଲା। ଦଲାଲମାନେ ଅବାଧରେ ନିରୀହ ଯୁବତୀଙ୍କୁ ଫସାଇ ଏଭଳି କାର୍ଯ୍ୟ କରୁଥିଲେ। ଏହି ଅନୈତିକ କାରବାର ସମ୍ପର୍କରେ ପୁଲିସ ଖବର ପାଇପାରୁନଥିଲା। ପୂର୍ବରୁ ରାଜଧାନୀରେ ଏସ୍କର୍ଟ ସର୍ଭିସ୍‌ ଚାଲୁଥିବା ନେଇ ‘ସମାଜ’ରେ ଏକାଧିକବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି ପୁଲିସ ଦୃଷ୍ଟି ଦେଉନଥିଲା। ସ୍ବତନ୍ତ୍ର ଭାବେ ଏସ୍କର୍ଟ ସର୍ଭିସ୍‌ ନାଁରେ ମୋବାଇଲ୍‌ ଫୋନ୍‌ରେ ମେସେଜ୍‌ ପଠାଯାଉଥିଲା। ଯାହା ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରର ସମ୍ପାଦକ ସୁରେଶ ବେହେରାକୁ ପୁଲିସ ଗିରଫ କରିବା ପରେ ଜଣାପଡ଼ିଥିଲା। ଏଭଳି କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲା। ଏଥିରେ ସୁରେଶକୁ ମହିଳା ଓ ପୁରୁଷ ଦଲାଲ ସହଯୋଗ କରୁଥିଲେ। କେନ୍ଦ୍ରର ଦୁଇଜଣଙ୍କ ସହ କଟକର ରାଣୀ ମହୁମାଛି ଓ ଦଲାଲ ମଧ୍ୟ ଏଥିରେ ସାମିଲ ଥିଲେ। ଏହି ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତ ହେଲେ ପଳାଶପଲ୍ଲୀ ଏରୋଡ୍ରମ ଏରିଆରେ ରହୁଥିବା ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଗୋଡ଼ିଆସାହିର ସୁରେଶ ଚନ୍ଦ୍ର ବେହେରା, କଟକ ଜିଲା ନିଆଳି ଥାନା ଅଧୀନ ଶାସନ ସାହିର ରାକେଶ କୁମାର ଷଡ଼ଙ୍ଗୀ, ଖଣ୍ଡଗିରି ଥାନା ଅଧୀନ ଗଣ୍ଡମୁଣ୍ଡା ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲା ସଦର ଥାନା ଅଧୀନ କଲ୍ୟାଣପୁର ଗ୍ରାମର ଲାଲୁ ଓରଫ ଉମେଶ ଚନ୍ଦ୍ର ରାଉତରାୟ, ଖୋର୍ଦ୍ଧା ଜିଲା ଡିଏସ୍‌ଏସ୍‌ଓର କର୍ମଚାରୀ ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳର ସଂଗ୍ରାମ କେଶରୀ ଦାସ, କଟକ ସିଡିଏ ଥାନା ଅଞ୍ଚଳରେ ରହୁଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ କାନିଗିରିର ବାସନ୍ତୀ ସାହୁ ଓରଫ ଜ୍ୟୋତ୍ସ୍ନା ଓ ମଞ୍ଚେଶ୍ବର ଥାନା ଅଧୀନ ଜିଜିପି କଲୋନୀ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ସିନାପାଲି ଗାଁର ସଞ୍ଜୁ ଓରଫ ସଂଯୁକ୍ତା ମେହେର।ସୂଚନାଯୋଗ୍ୟ, ଗତ ନଭେମ୍ବର ୨୫ରେ ତାଲିମ କେନ୍ଦ୍ରର ଜ‌େ‌‌ଣ ଦିବ୍ୟାଙ୍ଗ ଯୁବତୀ ତାଙ୍କୁ ସମ୍ପାଦକ ଯୌନ ନିର୍ଯାତନା ଦେବା ସହ ସେଠାରେ ଅନୈତିକ କାରବାର ଚାଲିଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଏତଲା କ୍ରମେ ପୁଲିସ ତତ୍ପରତା ପ୍ରକାଶ କରିନଥିବାବେଳେ ଅଭିଯୁକ୍ତ ସୁରେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିଲା। ଘଟଣାର ଦୁଇମାସ ପରେ କେନ୍ଦ୍ରର ସମ୍ପାଦକଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ପୀଡ଼ିତା ନିଜେ ଯୌନ ନିର୍ଯାତନାର ଶିକାର ହୋଇଥିବା ଜାଣିବା ପରେ ଭିଡିଓ ସହ ଥାନାରେ ଅଭିଯୋଗ କରିଥିଲେ ା ଏହାକୁ ଭିତ୍ତି କରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ଏହାପରେ କେନ୍ଦ୍ରର ଅନ୍ୟଜଣେ ଯୁବତୀ ପ୍ରଶିକ୍ଷିକା ମଧୁମଞ୍ଜରୀ ଧଳ ଓ ସୁରେଶଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ପୁଲିସ ମଧୁମଞ୍ଜରୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ସୁରେଶର ପତ୍ତା ମିଳିନଥିଲା। ଦୀର୍ଘମାସ ଧରି ଲୁଚି ରହିଥିବା ସୁରେଶକୁ ପୁଲିସ ଶେଷରେ ଗିରଫ କରିବା ପରେ ଖୋର୍ଦ୍ଧା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀ ସଂଗ୍ରାମ ଏଥିରେ ସାମିଲ ଥିବା ଜଣାପଡ଼ିଥିଲା।ତାଲିମ କେନ୍ଦ୍ରର ରାକେଶ ଓ ସଞ୍ଜୁ ନୟାଗଡ଼ ଜିଲାର ପୀଡ଼ିତାଙ୍କୁ ସୁରେଶ ସହଯୋଗରେ ସଂଗ୍ରାମକୁ ଯୋଗାଇବା ସହ ତା’ର ଭିଡିଓ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୀଡ଼ିତାଙ୍କୁ କଟକ ସିଡିଏ ଅଞ୍ଚଳରେ ରହୁଥିବା ରାଣୀ ମହୁମାଛି ବାସନ୍ତୀ ଓ ଦଲାଲ ଉମେଶ ସହଯୋଗରେ ସୁରେଶ ନିକଟକୁ ପଠାଯାଉଥିଲ।। ସୁରେଶ ସଂଗ୍ରାମ ବ୍ୟତୀତ ଆଉ କାହାକୁୁ ଖୁସି କରାଇବାକୁ ଏହି କାରବାର ଚଳାଇଥିଲା ତା’ର ତଦନ୍ତ କରୁଛି ପୁଲିସ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ସହ କେନ୍ଦ୍ରର ସିସି ଫୁଟେଜ୍‌ ଯାଞ୍ଚ କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି।

Comments are closed.