www.samajalive.in
Sunday, December 14, 2025
16.1 C
Bhubaneswar

ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ତିରୋଧାନ ପରେ ଏହି ବିଧାନସଭା ଆସନଟି ଖାଲି ପଡିଛି । ଏହି ଆସନରେ ଉପନିର୍ବାଚନ ପାଇଁ ଖୁବ୍‍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ସାଙ୍ଗକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କାହାକୁ ଏଠାରୁ ପ୍ରାର୍ଥୀ କରାଯିବ ସେନେଇ ଆଜି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ସହ ପିସିସି ନେତୃମଣ୍ଡଳୀଙ୍କ ଆଲୋଚନା ହୋଇଛି ।

ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପିପିଲିର ମଙ୍ଗଳପୁର ଠାରେ ଆୟୋଜିତ ବୈଠକରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରିଷ୍ଠ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ, ପିସିସି ମୁଖପାତ୍ର ସତ୍ୟ ନାୟକ, ପୂର୍ବତନ ବିଧାୟକ ବିପିନ ଦାଶ ପ୍ରମୁଖଙ୍କୁ ନେଇ ଗଠିତ ୫ଜଣିଆ କମିଟି ସଦସ୍ୟ ଯୋଗଦେଇ ଆଶାୟୀ ପ୍ରାର୍ଥୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ପିପିଲି ବ୍ଲକର ୨୫ଟି ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଯୁବନେତା ପ୍ରମୁଖଙ୍କ ସହ ସେମାନେ ପୃଥକ ଭାବେ ଆଲୋଚନା କରି ସେମାନଙ୍କ ମତ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କୁ ଆମେ ପୂର୍ଣ୍ଣ ସମର୍ଥନ ଦେଇ ଏକଜୁଟ୍‍ ହୋଇ ନିର୍ବାଚନ ଲଢିବୁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ତେବେ ଏହି ବୈଠକରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ସେଠାରେ ଅନୁପସ୍ଥିତ ଥିଲେ ।

- Advertisement -

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଆଗକୁ ହେବାକୁ ଥିବା ପିପିଲି ଉପନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପିପିଲି ବ୍ଲକର ୨୫ଟି ପଞ୍ଚାୟତର କଂଗ୍ରେସ ନେତା ଓ କର୍ମୀଙ୍କ ମତାମତ ନିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକର କଂଗ୍ରେସ କର୍ମୀ ଓ ନେତାଙ୍କ ମତାମତ ନିଆଯାଇ ସେସବୁକୁ ତର୍ଜ୍ଜମା କରାଯିବା ପରେ କାହାକୁ ଏଠାରୁ ପ୍ରାର୍ଥୀ କରାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଚିରଞ୍ଜୀବୀ ପ୍ରକାଶ କରିଛନ୍ତି । ଗତ ୨୦୧୯ ନିର୍ବାଚନ ସମୟରେ ଦଳ ପକ୍ଷରୁ ବିଳମ୍ବରେ ଟିକେଟ୍‍ ଦିଆଯିବାର ଅଭିଯୋଗ କରି ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ଟିକେଟ୍‍ ଫେରାଇ ଦେଇଥିଲେ । ଯୁଧିଷ୍ଠୀରଙ୍କୁ କଂଗ୍ରେସ ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ସଂପର୍କିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଚିରଞ୍ଜୀବୀ କହିଥିଲେ ଯେ ଯାହା କିଛି ସମସ୍ୟା ଅଛି ତାହାକୁ ସମାଧାନ କରି କଂଗ୍ରେସ ଲୋକଙ୍କୁ ଏକଜୁଟ୍‍ କରି ଆମେ ନିର୍ବାଚନ ଲଢିବୁ ଓ ଆବଶ୍ୟକ ପଡିଲେ ଯୁଧିଷ୍ଠୀରଙ୍କ ସହ ଆମେ ଆଲୋଚନା କରିବୁ ।  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଅଜିତ ମଙ୍ଗରାଜ, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ସଂନ୍ଧ୍ୟାରେ ଏହି ଟିମ୍‍ ପିପିଲି ଏନ୍‍ଏସିର କଂଗ୍ରେସ ନେତା, କର୍ମୀ, ପୂର୍ବତନ କାଉନ୍‍ସିଲର, ପୂର୍ବତନ ପୌରାଧ୍ୟକ୍ଷାଙ୍କ ସହ ବୈଠକ କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories