ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଫିଆ ଓ କୁଖ୍ୟାତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେବା ପରେ ପୁଲିସ ପୁରା ତତ୍ପର ହୋଇ ଉଠିଛି । କୁଖ୍ୟାତ ମାଫିଆ ଓ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ପୁଲିସ ବ୍ୟାଜ୍ୟାପ୍ତି କରିବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୬ ତାରିଖ ମଧ୍ୟରେ ପୁଲିସ ରାଜ୍ୟର ବିଭିନ୍ନ ଅପରାଧୀମାନଙ୍କର ୭୩୩ କୋଟି ଟଙ୍କାର ସମ୍ପତ୍ତି ଜବତ କରି ସାରିଲାଣି ।
ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ କୁମାର ଅୱସ୍ତିଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ପୁଲିସ ଗ୍ୟାଙ୍ଗ ଭିତ୍ତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ମାଫିଆ ତଥା କୁଖ୍ୟାତ ଅପରାଧୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଛି। ଜାନୁଆରୀ ୧ ତାରିଖରୁ ଡିସେମ୍ବର ୨୬ ତାରିଖ ମଧ୍ପୟରେ ଅପରାଧୀ ଓ ସେମାନଙ୍କର ସହଯୋଗୀମାନଙ୍କର ପ୍ରାୟ ୭୩୩ କୋଟି ଟଙ୍କା ସମ୍ପତ୍ତି ଧାରା ୧୪ ଅନୁସାରେ ଜବତ ହୋଇଛି । ପୁଲିସ ଓ ୟୁପି ସରକାରଙ୍କର ଏହା ଏକ ପ୍ରମୁଖ ସଫଳତା ବୋଲି ଅବନୀଶ ଅୱସ୍ତି କହିଛନ୍ତି ।
ଧାରା ୧୪ ଅନୁଯାୟୀ ଗ୍ୟାଙ୍ଗଷ୍ଟରବାଦରେ ରାଜ୍ୟର ଶ୍ରେଷ୍ଠ ୧୦ଟି ଜିଲ୍ଲାରେ ସମ୍ପତ୍ତି ସଂଲଗ୍ନ ହେବାରେ ଲକ୍ଷ୍ନୌ ସହର ଆଗରେ ରହିଛି। ଏଠାରେ କୁଖ୍ୟାତ ଅପରାଧୀ ଏବଂ ସେମାନଙ୍କ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୮୮.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଦିଲ୍ଲୀ ସଂଲଗ୍ନ ଗୌତମବୁଦ୍ଧ ନଗରରେ ୬୬.୮୦ କୋଟି ଟଙ୍କାର ସମ୍ପତ୍ତି, ବଳରାମପୁରରେ ୫୮.୮୦ କୋଟି ଟଙ୍କାର ସମ୍ପତ୍ତି, ଗାଜିପୁରରେ ୪୨.୦୯ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଗୋରଖପୁରରେ ୩୮.୨୦ କୋଟି ଟଙ୍କା, ଅରାୟାରେ ୩୧.୨୨ କୋଟି ଟଙ୍କାର, ଜୌନପୁରରେ ୨୯.୪୦ କୋଟି ଟଙ୍କା, ମୁଜାଫରନଗରରେ ୨୮ କୋଟି, ପ୍ରୟାଗରାଜରେ ୨୬ କୋଟି, ଦେଓରିଆରେ ପ୍ରାୟ ୨୪.୩୯ କୋଟି ଟଙ୍କାର ସମ୍ପତ୍ତି ପୁଲିସ ଜବତ କରିଥିବା ଶ୍ରୀ ଅୱସ୍ତି ସୂଚନା ଦେଇଛନ୍ତି ।



