www.samajalive.in
Monday, December 8, 2025
16.1 C
Bhubaneswar

ଏନଆରସି ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ମମତାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଉତ୍ତେଜକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ ମମତାଙ୍କ ବିରୋଧରେ ଆସାମର ଉତ୍ତର ଲକ୍ଷ୍ମୀପୁର ଥାନାରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ମାମଲା ରୁଜୁ କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଦିବ୍ରୁଗଡ ଜିଲାର ନହରକାଟିଆ ଥାନାରେ ମଧ୍ୟ ମାମଲା ରୁଜୁ କରିଛନ୍ତି। ମଙ୍ଗଳବାର ମମତା କହିଥିଲେ ଯେ ଆସାମ ଏନଆରସିରୁ ୪୦ଲକ୍ଷ ଲୋକ ବାଦ ପଡିବା ଦ୍ୱାରା ଦେଶରେ ଗୃହଯୁଦ୍ଧ ଦେଖାଯିବ ଓ ରକ୍ତର ନଦୀ ବହିବ। ନୂଆଦିଲ୍ଲୀର କ୍ୟାଥଲିକ୍‍ ବିଶପ ସମ୍ମିଳନୀରେ ସେ କହିଥିଲେ ଯେ ଯେଉଁମାନେ ଦେଶରେ ୧୦୦, ୨୦୦ କିମ୍ବା ୩୦ବର୍ଷ ରହିଲେଣି ସେମାନଙ୍କୁ ବିତାଡିନ କରାଯାଇପାରିବ ନାହିଁ। ଦେଶର ଜଣେ ନାଗରିକକୁ ବିଦେଶୀ ବୋଲି କୁହାଯାଇପାରିବ ନାହିଁ। ମମତାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ ଯେ ତୃଣମୂଳ କଂଗ୍ରେସ ଭୋଟବ୍ୟାଙ୍କ ରାଜନୀତି କରୁଛି।
ବୁଧବାର ଏହି ପ୍ରସଙ୍ଗରେ ମମତା କହିଛନ୍ତି ଯେ ବିଜେପି ଭୋଟ ବ୍ୟାଙ୍କ ରାଜନୀତି କରୁଛି। ଏନଆରସି ପ୍ରକାଶ ଦ୍ୱାରା ବାଂଲାଦେଶ ସହିତ ଭାରତର ସମ୍ପର୍କ ତିକ୍ତ ହେବ। ସଂସଦ ବାହାରେ ସେ କହିଛନ୍ତି ଯେଉଁ ୪୦ଲକ୍ଷ ଲୋକଙ୍କୁ ଏନଆରସିରୁ ବାଦ୍‍ ଦିଆଯାଇଛି ସେମାନଙ୍କ ମଧ୍ୟରୁ ୧ପ୍ରତିଶତ ଅନୁପ୍ରବେଶକାରୀ ହୋଇଥାଇ ପାରନ୍ତି। ସମସ୍ତଙ୍କୁ ଅନୁପ୍ରବେଶକାରୀ କହି ହତାଶ କରାଯିବା ଠିକ୍‍ ନୁହେଁ। ସମସ୍ତ ବିରୋଧୀ ଦଳ ସେମାନଙ୍କ ପ୍ରତିନିଧି ଦଳ ଆସାମ ପଠାଇ ଏହାର ସତ୍ୟତା ତର୍ଜମା କରିବା ଦରକାର। ମମତା କହିଛନ୍ତି ଯେ ଦେଶ ସ୍ୱାଧୀନତା ପରେ ପାକିସ୍ତାନର ଅନେକ ଲୋକ ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବକୁ ପଳାଇ ଆସିଥିଲେ। ସେହିପରି ବାଂଲାଦେଶ ଅଞ୍ଚଳର ଲୋକମାନେ ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ ଓ ବିହାରକୁ ପଳାଇଆସିଥିଲେ। ସେମାନଙ୍କୁ ଅନୁପ୍ରବେଶକାରୀ କୁହାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ଧାରଣା ହେଉଛି ଯେଉଁମାନେ ବଙ୍ଗଳା କହୁଛନ୍ତି ସେମାନେ ବାଂଲାଦେଶୀ। ଆଉ ଆମର ଅପରାଧ ହେଉଛି ଯେ ପଶ୍ଚିମବଙ୍ଗ ଓ ବାଂଲାଦେଶର ଗୋଟିଏ ମାତୃଭାଷା। ଏନଆରସି ପ୍ରସଙ୍ଗରେ ମମତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି।
ଆସାମ ଜାତୀୟ ନାଗରିକ ପଞ୍ଜିକାରେ ସ୍ଥାନ ପାଇ ନଥିବା ୪୦ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓପି ରାୱତ କହିଛନ୍ତି। ବୁଧବାର ରାୱତ କହିଛନ୍ତି ଯେ ଭୋଟର ତାଲିକାର କାହାର ନାମ ବାଦ ଦିଆଯିବ ତାହା ନିର୍ବାଚନ ଆଇନ ଅନୁଯାୟୀ ସ୍ଥିର କରାଯାଇଥାଏ। ତେଣୁ ଏନଆରସିରେ ସ୍ଥାନ ପାଇବା ଅର୍ଥ ନୁହେଁ ଯେ ଜଣଙ୍କର ନାମ ସ୍ୱତଃ ଭୋଟ ତାଲିକାର ବାଦ୍‍ ପଡିବ। ପ୍ରଥମତଃ ଆସାମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ଏନଆରସି ବାବଦରେ ବାସ୍ତବ ରିପୋର୍ଟ ମଗାଯିବ। ଚିଠା ଏନଆରସିରୁ ବାଦ ପଡିଥିବା ନାଗରିକମାନଙ୍କୁ ଆଗାମୀ ମାସ ମଧ୍ୟରେ ନୋଟିସ ଦିଆଯିବ। ନୋଟିସ ଉପରେ ସେମାନଙ୍କ ଆପତ୍ତି ଓ କାରଣ ଦର୍ଶାଇବେ। ପରେ ଚୂଡାନ୍ତ ଏନଆରସି ପ୍ରକାଶ ପାଇବ।
ଏନଆରସି ପ୍ରକାଶକୁ ନେଇ ବୁଧବାର ମଧ୍ୟ ସଂସଦରେ ହଟ୍ଟଗୋଳ ଲାଗି ରହିଥିଲା। ବିରୋଧୀ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି। ଉଭୟ ଦଳ ଅଭିଯୋଗ କରିଥିଲେ ଯେ ବିଜେପି ବିଭାଜନର ରାଜନୀତି କରୁଛି। ଦଳ ଆସାମର ମୁସଲମାନମାନଙ୍କୁ ବିତାଡନ କରିବାକୁ ଚାହୁଁଛି। ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ବିରୋଧୀ ଦଳଗୁଡିକ ସଂସଦ ବାହାରେ ଏକାଠି ହୋଇ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories