ଗ୍ୟାସ୍‌ ନିଆଁରୁ ଜଳିଗଲା ୪ ବଖରା

ଭୁବନେଶ୍ବର : ଓୟୁଏଟି ହଷ୍ଟେଲ ନଂ-୭ ସ୍ଥିତ ଗଙ୍ଗନଗର ପଲ୍ଲୀ ବସ୍ତିରେ ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ପରିବାରର ୪ବଖରା ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଗୋଟିଏ ପରିବାରର ଦୁଇଜଣ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଅର୍ଜୁନ ବେହେରା ଓ ତାଙ୍କ ସ୍ତ୍ରୀ ରାଧା ବେହେରା। ଅଗ୍ନିକାଣ୍ଡ ଖବର ପାଇ କଳ୍ପନା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଗ୍ୟାସ୍‌ ଚୁଲାରୁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁଇ ପରିବାରର ୪ବଖରା ପୋଡ଼ିଯିବା ସହ ଘରର ସବୁ ଆସବାବପତ୍ର ପୋଡ଼ି ଭସ୍ମୀଭୂତ ହୋଇ ଯାଇଛି।
ସୂଚନାଯୋଗ୍ୟ, ଅର୍ଜୁନ ଜଣେ ଗୁପଚୁପ ବ୍ୟବସାୟୀ। ସ୍ବାମୀସ୍ତ୍ରୀ ଗୁପଚୁପ ଛାଣିବା ସମୟରେ ଗ୍ୟାସ୍‌ ଚୁଲାରୁ ନିଅଁା ଲାଗି ଯାଇଥିଲା। ସେମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ଭିତରେ ପୋଡି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଆହତ ଅର୍ଜୁନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ଖଣ୍ଡଗିରି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିସିଆର ସାହାଯ୍ୟରେ ଅର୍ଜୁନଙ୍କ ଆହତ ସ୍ତ୍ରୀ ରାଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲା। କଳ୍ପନା ଅଗ୍ନିଶମ ବିଭାଗର ଓଆଇସି ବିଶ୍ବବିଦିତ ରାଜଗୁରୁଙ୍କ ନେତୃତ୍ବରେ ୧୨ଜଣ କର୍ମଚାରୀ ନିଅଁାକୁ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ସହ ଶୀତବସ୍ତ୍ର, ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସରକାରୀ ସହାୟତା ନେଇ ସେ ତହସିଲଦାରଙ୍କୁ ଅବଗତ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା, ସୁଜିତ ସ୍ବାଇଁ, ମହାମାୟା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.