www.samajalive.in
Saturday, December 13, 2025
26.1 C
Bhubaneswar

ଉଠିଗଲା ଦୂର ସଞ୍ଚାର ନିଗମ ସବଡିଭିଜନ କାର୍ଯ୍ୟାଳୟ; ପେଟ ପୋଷିବାକୁ କର୍ମଚାରୀ ସାଜିଲେ କବାଡ଼ିବାଲା

ଭଞ୍ଜନଗର: ଭାରତୀୟ ଦୂର ସଞ୍ଚାର ନିଗମ ଭଞ୍ଜନଗର ଶାଖା ଏବେ ଲୋକଙ୍କଠାରୁ ଦୂରେଇ ଯାଇଛି। ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍‌ ସଂଯୋଗ ହୋଇଥିଲା। ଗାଁ ଗାଁରେ ଦୂର ଭାଷାର ଏକମାତ୍ର ଶ୍ରେୟ ଥିଲା ବିଏସ୍‌ଏନ୍‌ଏଲ ସଂସ୍ଥା। ଶହଶହ କିମି ବ୍ୟାପି ଭୂତଳ ଗର୍ଭରେ କେବୁଲ ବିଛାଇ ଗାଁ ଗଣ୍ଡାକୁ ସେବା ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଅଧିକାଂଶ ଗ୍ରାମରେ ସ୍ୱତନ୍ତ୍ର ବ୍ୟାଟେରୀ ଓ ସୋଲାର ପାୱାର ଦ୍ୱାରା ଟାୱାର ସ୍ଥାପନ କରାଯାଇଥିଲା। ସେ ସବୁର ଚିହ୍ନବର୍ଣ୍ଣ ହଜିଗଲାଣି। କୋଟି କୋଟି ଟଙ୍କା ବ୍ୟୟରେ ଭୂଗର୍ଭରେ ବିଛୁରିତ ବୁଲ ସବୁ ମାଟି ତଳେ ପୋତି ହୋଇ ରହିଛି। ସେ ସବୁ ଆଉ କାମରେ ଆସୁ ନାହିଁ। ଭାରତ ସରାକାରଙ୍କ ପ୍ରଗତିର ଏହି ସାଧନ ଏବେ ସଂପୂର୍ଣ୍ଣ ସ୍ଥାଣୁ । ଏହି ସଂସ୍ଥା ଦୁର୍ବଳ ହେବା ସହ ଏହାର କର୍ମଚାରୀ ମଧ୍ୟ ଏବେ ନିରାଶ୍ରିତ ହୋଇପଡିଛନ୍ତି। କିଏ କବାଡି ବାଲା ସାଜିଲେଣି ତ କିଏ ଅନ୍ୟ ବେପାରକୁ ଆପଣାଇଛନ୍ତି।

ଏପଟେ ୧୯୯୦ ମସିହାରୁ କାର୍ଯ୍ୟକାରୀ ହୋଇ ଆସିଥିବା ଭଞ୍ଜନଗର ମୁଖ୍ୟ ଏକ୍ସଚେଞ୍ଜର ଉପଭିଭାଜନ କାର୍ଯ୍ୟାଳୟକୁ ଉଚ୍ଛେଦ କରି ଦିଆଯାଇଛି। ଏଠାର ଏସ୍‌ଡିଓ ପଦକୁ ଉଠାଇ ନିଆଯାଇ ଆସିକା ଉପବିଭାଜନ କାର୍ଯ୍ୟାଳୟରେ ମିଶ୍ରଣ କରି ଦିଆଯାଇଛି। ଜଣେ ମାତ୍ର ଏସ୍‌ଡିଓଙ୍କୁ ଅସିକା ସମେତ ଭଞ୍ଜନଗର ଓ ଦିଗପହଣ୍ଡି ଏକ୍ସଚେଞ୍ଜର ଦାୟିତ୍ୱ ଦିଆଯାଇଛି। ଏଠାରେ ଜଣେ ମାତ୍ର ଜେଟିଓ, ଜଣେ ଜେଇ ଓ ଜଣେ ସ୍ଥାୟୀ କର୍ମଚାରୀ ରହୁଥିବା ବେଳେ ବାକିତକ ୩୩ ଜଣ ଅସ୍ଥାୟୀ କର୍ମଚାରୀ ଦୀର୍ଘ ୧୯ ମାସର ଦରମା ନ ପାଇ ଘୋର ଦୁର୍ଦିନରେ ଦିନ କାଟି କାଟୁଛନ୍ତି। କେତେକ ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ କୁଟୁମ୍ବ ପୋଷିବା ପାଇଁ ବିଭିନ୍ନ କାମଧନ୍ଦା ଆପେଣଇ ନେଲେଣି। ମାଧବ ନାୟକ ନାମରେ ଜଣେ ଅସ୍ଥାୟୀ କର୍ମଚାରୀ ରାଜରାସ୍ତାରେ ଘର ଘର ବୁଲି ଫିଙ୍ଗା ଆଟା ଓ ରଦିଲୁହା ଗୋଟାଉଛନ୍ତି।

- Advertisement -

ଏହି କାମ କରିବାକୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ବୋଲି ମାଧବ ପ୍ରକାଶ କରି ଟଙ୍କା ଦେଡଶହ କିମ୍ବା ଦୁଇ ଶହ ଉପାର୍ଜନ ହେଲେ କୁଟୁମ୍ବ ଚଳିବ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି। ଏପଟେ ଦୁଇ ପୁଅ ମଧ୍ୟରୁ ବଡପୁଅ ଯୁକ୍ତଦୁଇରେ ଓ ସାନ ପୁଅ ମାଟ୍ରିକରେ ପଡୁଛନ୍ତି। ଦୀର୍ଘ ୨୫ ବର୍ଷ ଧରି ବିଏସ୍‌ଏନ୍‌ଏଲ ସଂସ୍ଥାରେ କାମ କରି ପାଖରେ ପଇସାଟିଏ ମଧ୍ୟ ନାହିଁ। ଏପଟେ ଜୁନ୍‌ ୨୦୧୯ ମସିହାରୁ ଦୀର୍ଘ ୧୯ ମାସ ଧରି ଦରମା ପାଇ ନ ପାରି ଘୋର ଦୁର୍ଦିନରେ ଦିନ କାଟୁଥିବା ବେଳେ କୌଣସି ମତେ ତେଲ ଲୁଣର ସଂସାରକୁ ଚଳାଇ ନେବା ରାଜରାସ୍ତାରେ ଘୁରି ବୁଲି କବାଡିବାଲା ସାଜିଛନ୍ତି ମାଧବ। ୧୯୯୫ ମସିହାରୁ କୁନ୍ତୁଳା ନାଇକ ନାମ୍ନୀ ଜଣେ ମହିଳା ଅସ୍ଥାୟୀ କର୍ମଚାରୀ ସଂସ୍ଥାର ସଫେଇ କାମରେ ନିୟୋଜିତ ରହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ପୁଅ ରୁନା ନାଇକ ମା’ କାମ ଆପେଣଇ ନେଇଥିଲେ ହେଁ ତାଙ୍କର ମଧ୍ୟ ସେହି ଏକା ଅବସ୍ଥା। ଘରେ ତିନି ତିନତିନିଟା ସଦସ୍ୟ। ସେମାନଙ୍କୁ ପୋଷିବା ପାଇଁ ଦଶ ଦିଗ ଅନ୍ଧକାର ବୋଲି ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଥିଲେ। ଭଗବାନ ସେଠୀ ନାମରେ ଆଉ ଜଣେ କର୍ମଚାରୀଙ୍କ ଅବସ୍ଥା ଦୟନୀୟ। ସଂସ୍ଥାର ଦୁରବସ୍ଥା ଓ କର୍ମକର୍ତ୍ତାଙ୍କ ଦାୟିତ୍ୱହୀନତାକୁ ସେ ବିଷୋଦଗାର କରିଛନ୍ତି।

ମାତ୍ର ୮ ହଜାର ୮ ଶହ ଟଙ୍କାରେ କାମ କରୁଥିବା ଏହି ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଦରମା ମିଳିନି। ବରଂ ସଂସ୍ଥା ବୁଡିଯିବା ଭଲ ବୋଲି ଶ୍ରୀ ସେଠୀଙ୍କ ସମେତ ସେହି ଏକାଦଶା ଭୋଗ କରୁଥିବା କର୍ମଚାରମାନେ ପ୍ରକାଶ କରିଛନ୍ତି। ଭୋକ ଉପବାସରେ ମରିବୁ କିମ୍ବା ଭିକ ମାଗିବୁ ଆମ କର୍ମକୁ ଆଦରି ଚଳିବୁ ବୋଲି କ୍ଷୋଭର ସହ ଏମାନେ କହିଛନ୍ତି। ୨୦ରୁ ୨୫ ବର୍ଷ ଧରି କାମ କରି ଆସୁଥିବା ଏହି ସବୁ ଅସ୍ଥାୟୀ କର୍ମଚାରୀଙ୍କ ଦୁଃଖ ବଳି ପଡିଥିବା ବେଳେ ଗତ ୬ ମାସର କିଛି ଠିକାଦାର ଟାୱାର, ଏକ୍ସଚେଞ୍ଜ ଓ କଂପ୍ୟୁଟର ପ୍ରଭୃତି ବିଭାଗରେ କାମ କରୁଥିବା ଏହି ୩୩ କର୍ମଚାରୀ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ପ୍ରକାରେ ଦରମା ପ୍ରଦାନ କରିଛନ୍ତି। କାହାକୁ ମାସିକ ୧୫ ଶହ ତ ଆଉ କାହାକୁ ୨ ହଜାର ଏବଂ ଅନ୍ୟ କାହାକୁ ଯାହିତାହି ଦେଇଛନ୍ତି।

ଭଞ୍ଜନଗର ମୁଖ୍ୟ ଏକ୍ସଚେଞ୍ଜ ଅଧିନରେ ମୁଜାଗଡ, ବଦାଙ୍ଗି, ଗାଲେରୀ, କୁଲାଡ, ତିଳିସିଂଗି, ଷଡଙ୍ଗିପଲ୍ଳି, ବେଲଗୁଣ୍ଠା, ବଙ୍କା, ବାଲିପଦର , ହାତୀଓଟ, ଚିରିକିପଡ. ଢୁଙ୍କାପଡା, ମାଣିତାରା କରୁଚୂଲି, ବୁଗୁଡା, ଜଗନ୍ନାଥପ୍ରସାଦ, ପଞ୍ଚଭୂତି, କାଦୁଆ, ବିଡିପୁର ଓ କୁଡୁତାଇ ଏପରି ୨୯ଟି ସଂସ୍ଥା ଭଂଜନଜଗ, ବେଲଗୁଣ୍ଠା, ଜଗନ୍ନାଥପ୍ରାଦ, ବୁଗୁଡା ଓ ପୋଲସରା ବ୍ଳକର ଗ୍ରାମାଞ୍ଚଳର ଲୋକଙ୍କୁ ଲ୍ୟାଣ୍ଡଲାଇନର ଟେଲିଫୋନ ସେବା ଯୋଗଇ ଆସୁଥିଲା। ଏହିସବୁ ଏକ୍ସଚେଞ୍ଜ ଓ ଟାୱାର ଗୁଡିକରେ ପ୍ରେମାନନ୍ଦ ରାଉତ, ମୋହନ ଗୌଡ, ରତିକାନ୍ତ ସେଠୀ, ଭଗବାନ ସେଠୀ, ଦିଳ୍ଲିପ ଯେନା, ସଂଜୀବ ଯେନା, ମାଧବ ନାୟକ, ସୀମାଞ୍ଚଳ ନାୟକ, ବିଶ୍ୱନାଥ ନାୟକ, ସନିଆ ନାୟକ, ରତ୍ନାକର ନାୟକ, ଶରତ ସେଠୀ, ଗୋବର୍ଦ୍ଧନ ସେଠୀ, ରାମଚନ୍ଦ୍ର ସେଠୀ, କାଳିଆ ସ୍ୱାଇଁ, ତ୍ରୀନାଥ ମିଶ୍ର ଓ କୋକ ମିଶ୍ର ଅସ୍ଥାୟୀ କର୍ମର୍ଚାରୀ ଭାବେ ଅତ୍ୟନ୍ତ ସ୍ୱଳ୍ପ ବେତନରେ କାମ ଆରମ୍ଭ କରିଥିଲେ। କିଛି ବର୍ଷ ଧରି ସଂସ୍ଥା ବେଶ୍‌ ନିଜର ଗାରିମା ବଞ୍ଚାଇ ରଖିଥିଲା। ୨୦୧୦ ମସିହା ପରେ ପରେ ସଂସ୍ଥା କ୍ରମଶଃ ଦେବାଳିଆ ପାଲଟି ଏବେ କର୍ପୁର ଉଡିଗଲାଣି-କନା ପଡିଛି ନ୍ୟାୟରେ ଚାଲିଛି। ଏପଟେ ଦୀର୍ଘ ୧୯ ମାସ ଧରି ଦରମା ନପାଇ କର୍ମଚାରୀମାନେ ଭୋକ ଉପବାସରେ ଛଟପଟ ହେଉଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories