www.samajalive.in
Friday, December 12, 2025
15.1 C
Bhubaneswar

ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ: ଗଞ୍ଜାମରେ ବିକଳ୍ପ ସନ୍ଧାନରେ ବିଜେଡ଼ି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ଏବଂ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେବା ଘଟଣାକୁ ନେଇ ଗଞ୍ଜାମ ଜିଲା ରାଜନୀତି ଗତ ଏକସପ୍ତାହ ହେଲା ସରଗରମ ହୋଇ ଉଠିଛି। ପ୍ରଦୀପ ପ୍ରସଙ୍ଗକୁ ନେଇ ଜିଲାରେ ଶିଥିଳ ହୋଇ ପଡିଥିବା ବିଜେପି ଓ କଂଗ୍ରେସ ଦଳ ମଧ୍ୟ ହଠାତ୍ ସକ୍ରିୟ ହୋଇ ଉଠିଛନ୍ତି। ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, କୁଶପୁତ୍ତଳିକା ଦାହ ସହିତ ପ୍ରଦୀପଙ୍କ ବିରୋଧରେ ନାନା ଅଭିଯୋଗ ଅଣାଯାଇଛି। ଏପରିକି ଉଭୟ ଦଳ ପ୍ରଦୀପ ସମେତ ବିଜେଡିର କିଛି ନେତାଙ୍କ ସହିତ ବାଲି ଓ ମଦ ମାଫିଆଙ୍କ ସମ୍ପର୍କ ରହିଥିବା ଭଳି ଗୁରୁତର ଅଭିଯୋଗ ଆଣି ସମସ୍ତ ବିଷୟର ତଦନ୍ତ ଦାବି କରିଛନ୍ତି।

ପ୍ରଦୀପଙ୍କୁ ଘେରିବାକୁ ନିଜେ କଂଗ୍ରେସର ଗଞ୍ଜାମ ଜିଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବଉଳଝୋଲିଠାରେ ସାମ୍ବାଦିକ ସମ୍ମିଳନୀ କରି ବିଷ ଉଗାଳିଛନ୍ତି। ତାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଗଞ୍ଜାମ ଜିଲାର ବରିଷ୍ଠ ବିଜେଡି ନେତା ଓ କିଛି ବିଧାୟକ ମଧ୍ୟ ଖୋଲାଖୋଲି ସମର୍ଥନ କରିଛନ୍ତି। ବିଜେଡିରୁ ବହିଷ୍କାର ସହ ଗିରଫ ପରେ ପ୍ରଦୀପଙ୍କ ରାଜନୈତିକ କ୍ୟାରିଅରରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଦୀପ ପ୍ରସଙ୍ଗ ବିଜେଡି ପାଇଁ କୌଣସି ଅସୁବିଧା ସୃଷ୍ଟି କରିନଥିଲେ ମଧ୍ୟ ବିଜେଡି ବିକଳ୍ପ ଚିନ୍ତା କରୁଥିବା ସୂଚନା ମିଳିଲାଣି।

- Advertisement -
ଗଞ୍ଜାମ ଜିଲା ବିଜେଡ଼ିର ବରିଷ୍ଠ ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ସାଂସଦ, ବିଧାୟକ (ଫାଇଲ୍ ଫଟୋ)

ଗଞ୍ଜାମ ଜିଲା ମୁଖ୍ୟମନ୍ତ୍ରୀଙ୍କ ଜିଲା ହୋଇଥିବାରୁ ଏଠାକାର ରାଜନୀତି ରାଜ୍ୟରେ ଅଧିକ ଗୁରୁତ୍ବ ବହନ କରୁଛି। ଗଞ୍ଜାମ ଜିଲାର ୧୨ ବିଧାୟକଙ୍କ ମଧ୍ୟରେ ସୂୂର୍ଯ୍ୟନାରୟଣ ପାତ୍ର ବାଚସ୍ପତି ପଦରେ ରହିଥିବାବେଳେ ବିକ୍ରମ ଆରୁଖ ଜଙ୍ଗଲ ଓ ପରିବେଶ ବିଭାଗର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ସମେତ ଜିଲାର ୪ଜଣ ବରିଷ୍ଠ ନେତାଙ୍କୁ ବାଦ ଦେଲେ କିଛି ଯୁବ ବିଧାୟକ ମଧ୍ୟ ଅଛନ୍ତି। ଜିଲା ବିଜେଡି ସଭାପତି ଭାବେ ବରିଷ୍ଠ ନେତା ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ରହିଛନ୍ତି। ତେଣୁ ଜିଲାର ଯୁବକଙ୍କୁ ଏକାଠି କରି ଦଳର ସଂଗଠନକୁ ସଜାଡ଼ିବା ଏବଂ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ବିଜେଡିର ଲକ୍ଷ୍ୟ। ଗଞ୍ଜାମ ଜିଲାରେ ଦଳୀୟ ସଂଗଠନ, ସମନ୍ବୟ ତଥା ନିର୍ବାଚନକୁ ସୁରୁଖୁରୁରେ ଆଗେଇ ନେବା ଏବଂ ଦଳୀୟ ହାଇକମାଣ୍ଡଙ୍କୁ ପରାମର୍ଶ ଦେବା ପାଇଁ ବିଜେଡି ଏବେ ଯୁବ ନେତୃତ୍ବର ସନ୍ଧାନରେ ରହିଥିବା ଅନୁମାନ କରାଯାଉଛି।

ଗିରଫ ହେବା ପୂର୍ବରୁ ବିଜେଡ଼ିର ପୂର୍ବତନ ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (ଫାଇଲ୍ ଫଟୋ)

୫/୬ ମାସ ପରେ ପୌର ନିର୍ବାଚନ ହେବାକୁ ଥିବାବେଳେ ବର୍ଷକ ପରେ ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ଜିଲା ତଥା ବିଭିନ୍ନ ନିର୍ବାଚନମଣ୍ଡଳୀରେ ସଂଗଠନ ସଜାଡ଼ିବା ବିଜେଡିର ପ୍ରମୁଖ ଦାୟିତ୍ବ ହେବ। ଗୋପାଳପୁରରେ ବିଜେଡିର ସଂଗଠନ ସଜାଡ଼ିବା ପାଇଁ ମଧ୍ୟ ନେତୃତ୍ବ ଖୋଜାଯିବା ସ୍ବାଭାବିକ। ପୌର ଓ ପଞ୍ଚାୟତ ନିର୍ବାଚନ ସମୟରେ ଗୋପାଳପୁର ସମେତ ଅନ୍ୟ ନିର୍ବାଚନମଣ୍ଡଳୀର ଦାୟିତ୍ବ ମଧ୍ୟ ବିଭିନ୍ନ ନେତାଙ୍କୁ ଦିଆଯାଇ ସେମାନଙ୍କ ସାଂଗଠନିକ ଦକ୍ଷତା ମପାଯିବା ସ୍ବାଭାବିକ।
ରାଜନୈତିକ କ୍ଷେତ୍ରରେ ଅଜଣା ରହିଥିବା ତଥା ସ୍ବୟଂସହାୟକ ଗୋଷ୍ଠୀ ଚଳାଉଥିବା ପ୍ରମିଳା ବିଷୋୟୀଙ୍କୁ ଆସିକା ସାଂସଦ ପ୍ରାର୍ଥୀ କରାଯିବା ଏବଂ ସେ ବିପୁଳ ଭୋଟରେ ବିଜୟୀ ହେବା ଦଳୀୟ ହାଇକମାଣ୍ଡଙ୍କ ଏକ ମାଷ୍ଟରପ୍ଲାନ ଯେ ଥିଲା ତାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ସେହିପରି ବ୍ରହ୍ମପୁରର ୫ଥରର ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ୨୦୧୯ରେ ବ୍ରହ୍ମପୁରରୁ ଟିକଟ ଦିଆନଯାଇ ତାଙ୍କ ସ୍ଥାନରେ କଂଗ୍ରେସରୁ ବିଜେଡିକୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ଟିକଟ ଦିଆଯିବା ମଧ୍ୟ ବିଜେଡିର ଏକ ବୃହତ ଯୋଜନା ଥିଲା।

ଏପରିକି ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା କଂଗ୍ରେସ ଛାଡି ବିଜେଡିକୁ ଆସିବା ପରେ କାହାରିକୁ କେଉଁ ସ୍ଥାନରୁ ଟିକଟ ଦିଆଯିବ ତାହା ଶେଷ ପର୍ଯ୍ୟନ୍ତ ସସପେନ୍ସ ରହିଥିଲା। ସେତେବେଳେ ମଧ୍ୟ ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କ ବଦଳରେ ଅନ୍ୟ କାହାରିକୁ ଟିକଟ ଦିଆଯାଇପାରେ ବୋଲି ମଧ୍ୟ ଆଲୋଚନା ଚାଲିଥିଲା। ଏହି ଦୃଷ୍ଟିରୁ ଗୋପାଳପୁର ସମେତ କେଉଁ ନିର୍ବାଚନମଣ୍ଡଳୀରେ କାହାରିକୁ ବିଜେଡି ଦାୟିତ୍ବ ଦିଆଯିବ ତାହା ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ପଷ୍ଟ ହେବା ଆଶା କରାଯାଉଛି। ବ୍ରହ୍ମପୁର ମହାନଗରର ୫ଟି ୱାର୍ଡ ଗୋପାଳପୁର ନିର୍ବାଚନମଣ୍ଡଳୀରେ ରହିଥିବାରୁ ବ୍ରହ୍ମପୁରର ନେତାଙ୍କୁ ମଧ୍ୟ ଗୋପାଳପୁରର ଦାୟିତ୍ବ ଦିଆଯିବା ଘଟଣାକୁ ଏଡାଇ ଦିଆଯାଇନପାରେ। ନିକଟରେ ଜିଲା ଯୁବ ବିଜୁ ଜନତା ଦଳ ଓ ଛାତ୍ର ବିଜେଡି ଜୋନ୍ ସଭାପତି ମନୋନୟନବେଳେ ଦଳୀୟ ହାଇକମାଣ୍ଡ ପୁରୁଣା ଓ ନୂଆ ନେତାଙ୍କୁ ଦାୟିତ୍ବ ଦେଇ ସଂଗଠନରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ସହିତ କୋଭିଡ଼ ଟିକା ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ଭତ୍ତୃହରି ମହତାବ,ପିନାକି ମିଶ୍ର ଭଳି ବିଜେଡିର ବହୁ ବରିଷ୍ଠ ସାଂସଦ ତଥା ନେତା ବଦଳରେ ମୁଖ୍ୟମନ୍ତ୍ରୀ ଏହି ବୈଠକ ପାଇଁ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ପଠାଇ ବିଜେଡି ନେତାଙ୍କୁ ଭିନ୍ନ ବାର୍ତ୍ତା ଦେଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ବିଜେଡି ମୁଖିଆ କେଉଁ ନେତାଙ୍କୁ ଗୋପାଳପୁର ତଥା ଗଞ୍ଜାମ ଦାୟିତ୍ବ ଦେବେ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories