www.samajalive.in
Tuesday, December 9, 2025
17.1 C
Bhubaneswar

ଅସୁରକ୍ଷିତ ରତ୍ନ ଭଣ୍ଡାର ; ଲୁଟୁଛନ୍ତି ଲୁଟେରା, ନିଦ୍ରାରେ ସରକାର

ଭବାନୀପାଟଣା : ପଶ୍ଚମ ଓଡ଼ିଶାର ନଦୀ ଅବବାହିକା ଏବଂ ପାର୍ବତ୍ୟାଞ୍ଚଳର ମାଟିତଳେ ଲୁକ୍କାୟିତ ଥିବା ଦୁର୍ମୂଲ୍ୟ ରତ୍ନଭଣ୍ଡାର ଦୀର୍ଘ ଦିନରୁ ଲୁଟ୍‌ ହୋଇ ଆସୁଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ଉଭୟ ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି। ପୁଲିସ, ଖଣି ବିଭାଗ, ଜଙ୍ଗଲ ବିଭାଗ, ଓଏମ୍‌ସି ଓ ରାଜସ୍ୱ ବିଭାଗ ଅଧିକାରୀ ତଥା କର୍ମଚାରୀଙ୍କ ନାକ ତଳେ କୋଟି କୋଟି ଟଙ୍କାର ରତ୍ନପଥର ରାଜ୍ୟ ଓ ଦେଶ ବାହାରକୁ ଚାଲାଣ ହେଉଛି।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ସହ ଚୁକ୍ତି କ୍ରମେ ଜାତିସଂଘର ୟୁଏନ୍‌ଡିପି ସଂସ୍ଥା ସହାୟତାରେ ଫିଲିପାଇନ୍‌ସ ଏବଂ ଅଷ୍ଟ୍ରେଲିଆର ଏକ ରତ୍ନ ବିଶେଷଜ୍ଞ ଟିମ୍ ରତ୍ନପଥର ଗଚ୍ଛିତ ଥିବା ଅଞ୍ଚଳରେ ଚୁମ୍ବକୀୟ ପଦ୍ଧତିରେ ଆକାଶ ମାର୍ଗରୁ ଅନୁସନ୍ଧାନ କରିଥିଲେ। ପଶ୍ଚିମ ଓଡିଶାର ହଜାର ହଜାର ବର୍ଗ କିଲୋମିଟର ପିରିମିତ କଠିନ ଶିଳାସ୍ତର ମଧ୍ୟରେ ବହୁ ମୂଲ୍ୟବାନ ରତ୍ନପଥର ଗଚ୍ଛିତ ଥିବା ଉକ୍ତ ଅନୁସନ୍ଧାନରୁ ଜଣା ପଡ଼ିଥିଲା।

- Advertisement -

ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଝାରସୁଗୁଡା, ଦେବଗଡ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ବହୁ ମୂଲ୍ୟବାନ ରତ୍ନପଥର ଖଣି ରହିଛି। ସରକାରୀ ଉଦାସୀନତା ଯୋଗୁଁ ତାହା ରାଜସ୍ବରେ ପରିବର୍ତ୍ତିତ ହୋଇପାରୁ ନାହିଁ। ଏକ ବେସରକାରୀ ଆକଳନ ଅନୁସାରେ ବିଗତ ୨୦ବର୍ଷ ଭିତରେ ସରକାର ଏ ବାବଦରେ ହଜାର ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ବ ହରାଇ ସାରିଲେଣି।

କିଛି ମାସ ତଳେ ଓଡିଶା କ୍ରାଇମ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଜୁନାଗଡ ଅଞ୍ଚଳର ସୁଜିତ ମେହେର ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୩ କ୍ୱିଣ୍ଟାଲ ୨ କେଜି ୧୮ ଗ୍ରାମ ରୁବି ଓ ପାନ୍ନା ପରି ମୂଲ୍ୟବାନ ରତ୍ନପଥର ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଥିଲା। ୨୦୦୦-୨୦୦୪ରେ ତତ୍‌କାଳୀନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ରତ୍ନଖଣିର ସୁରକ୍ଷାକୁ ନେଇ ଏକ ରିପୋର୍ଟ ସରକାରଙ୍କୁ ଦେଇଥିଲେ, ତେବେ ତା’ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଆଜି ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଏହି ରତ୍ନପୂର୍ଣ୍ଣ ଅଞ୍ଚଳରେ ମୁମ୍ବଇ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଚେନ୍ନଇ ଏବଂ କୋଲକତା ଆଦି ଅଞ୍ଚଳର ବେପାରୀମାନେ ସ୍ଥାନୀୟ ଦଲାଲ ଓ ନିରିହ ଲୋକଙ୍କ ସହାୟତାରେ ଆଧୁନିକ ଓ ବହୁ ମୂଲ୍ୟବାନ ଯନ୍ତ୍ରପାତି ଯଥା- ମେଟାଲ ଡିଟେକ୍ଟର ଟେଲିଲେନ୍ସ, ମାଇକ୍ରୋସ୍କୋପ ମେଟାଲ ଡିଟେକ୍ଟର ଆଦି ଯନ୍ତ୍ର ବ୍ୟବହାର କରି ରତ୍ନପଥର ସବୁ ଖୋଳି ନେଉଥିବା ଜଣାଯାଏ। ଏଣୁ ରାଜ୍ୟ ସରକାର ତୁରନ୍ତ ଏହି ଚୋରା କାରବାର ରୋକିବା ପାଇଁ କଠୋର ପଦକ୍ଷେପ ନେବା ପାଇଁ ଦାବି ହେଉଛି।

ଏ ସମ୍ପର୍କରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏହା ଉପରେ କଡ଼ା ନଜର ରଖାଯାଇଛି। ଖବର ମିଳିବା ମାତ୍ରେ ସଂପୃକ୍ତ ଅଞ୍ଚଳରେ ଚଢ଼ଉ କରାଯାଉଛି। ବିଭିନ୍ନ ସମୟରେ ସନ୍ଦିଗ୍ଧ  ଯାନବାହନଗୁଡ଼ିକର ଯାଞ୍ଚ ମଧ୍ୟ କରାଯାଉଛି। ଏହି ଚୋରା କାରବାର ଉପରେ ପୁଲିସର ତୀକ୍ଷ୍ଣ ଦୃଷ୍ଟି ରହିଥିବା ସେ କହିଛନ୍ତି।

ସେହିପରି କଳାହାଣ୍ଡି ଜିଲା ଖଣି ଅଧିକାରୀ ଇଂ. ଦିଲ୍ଲୀପ କୁମାର ସାହୁଙ୍କ ସହ ଯୋଗାଯାଗ କରାଯାଇଥିଲା। ତାଙ୍କ କହିବା ଅନୁସାରେ ଜିଲାର ବିଭିନ୍ନ ସ୍ଥାନରେ ଥିବା ରତ୍ନପଥର ଖଣି ଉପରେ ବିଭାଗର ସତର୍କ ଦୃଷ୍ଟି ରହିଛି। ଚୋରି ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ଖଣି ଓ ଜଙ୍ଗଲ ବିଭାଗ ସହ ସ୍ଥାନୀୟ ପୁଲିସ ମଧ୍ୟରେ ଯୋଗସୂତ୍ର ରଖାଯାଇ ଅତର୍କିତ ଭାବରେ ମିଳିତ ଚଢ଼ଉ କରାଯାଉଛି। ଇତିମଧ୍ୟରେ ଏଗୁଡ଼ିକର ସୁରକ୍ଷା ସକାଶେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରାଯାଉଛି ଏବଂ ଆବଶ୍ୟକ ସମୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ବୋଲି ଇଂ. ସାହୁ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories