www.samajalive.in
Friday, December 12, 2025
15.1 C
Bhubaneswar

ବଲାଙ୍ଗିର ପୁଲିସ ଅଭିଯୋଗ ପରେ ମାମଲା ରୁଜୁ କରି ଚୁପ୍‍, ଦୁଇ ପାଖିଆ ମାମଲା କରି ମାଲେମାଲ ପୁଲିସ

ବଲାଙ୍ଗିର: ବଲାଙ୍ଗିର ପୁଲିସ ପାଇଁ ଅପବାଦ ବଢି ବଢି ଚାଲିଛି। ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା। ଲୁଟିଆମାନେ ଲୁଟ୍‍ ପରେ ଲୁଟ୍‍ କରି ପୁଲିସକୁ ନାକେଦମ କରୁଛନ୍ତି। କେବଳ ଲୁଟ୍‍ ମାମଲା ନୁହେଁ, ଅନ୍ୟାନ୍ୟ ମାମଲାରେ ବି ପୁଲିସ ଉପରେ ଉଠୁଛି ଆଙ୍ଗୁଳି। ଅଭିଯୁକ୍ତ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହେଉଛି। ଲୋକେ ବାରମ୍ବାର ଥାନାକୁ ଧାଉଁଛନ୍ତି। ତଦନ୍ତ ଚାଲିଥିବା ପ୍ରତିଶ୍ରୁତି ମିଳୁଛି। କିନ୍ତୁ କାଁ ଭାଁ କିଛି ମାମଲାକୁ ଛାଡି ଦେଲେ ପୁଲିସର ଏକ୍ସନ ଶୂନ ବୋଲି ସମାଲୋଚନା କରାଯାଉଛି।
କଣ୍ଟାବାଞ୍ଜି ପୁଲିସ କିଛି ଦିନ ତଳେ ୨୮ଟି ବାଇକ୍‍ ଜବତ କରିବା ସହ କିଛି ଲୋକଙ୍କୁ ଗିରଫ କରିଥିଲା। ସେହିପରି ଦେଓଗାଁ ପୁଲିସ ମଧ୍ୟ ଡକାୟତି ଗ୍ୟାଙ୍ଗର ପିଛା କରୁ କରୁ ଡକାୟତି ସହ ବାଇକ୍‍ ଚୋର ଗ୍ୟାଙ୍ଗକୁ ଠାବ କରିଥିଲା। ପୁଇଁନ୍ତଲା, ଟାଉନ୍‍ ଥାନା, ସଦର ଥାନା ପୁଲିସ ନିଶା ଟେବଲେଟ୍‍, ଲୁଟିଆ ଗୋଷ୍ଠୀ ଭଳି ମାମଲାରେ କିଛି ଲୋକଙ୍କୁ ଗିରଫ କରିଛି। ନିକଟରେ ପାଟଣାଗଡ ବ୍ରହ୍ମପୁରା ସଅଁରାପଡ଼ା ୬ଜଣଙ୍କୁ ଗଣହତ୍ୟା ମାମଲାରେ ଆଶାଠାରୁ ଅଧିକ ସଫଳତା ମିଳିଛି ପୁଲିସକୁ। ୭ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ପୁଲିସର ଏହି ସଫଳତା ଲୋକଙ୍କୁ ଛୁଇଁଛି। ହେଲେ ୟେ ଦିଲ୍‍ ମାଙ୍ଗେ ମୋର ଭଳି ପୁଲିସ ଉପରେ ଅଧିକ ଆଶା ରଖୁଛନ୍ତି ସାଧାରଣ ଲୋକେ। ହାତ ଗଣତି କିଛି ମାମଲାରେ ପୁଲିସ ବାଃ ବାଃ ସାଉଁଟି ଖୁସି ହୋଇଯାଇଛି। ଆଉ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ସହ ଅଭିଯୋଗକୁ ଅଣଦେଖା କରାଯାଉଥିବ ଅଭିଯୋଗ ଆସୁଛି। ଏପ୍ରସଙ୍ଗରେ ଏବେ ନିଶାଣରେ ପୁଲିସ ବିଭାଗ ସହ ଖୋଦ୍‍ ପୁଲିସ ମୁଖିଆ ସନ୍ଦୀପ ମାଡେକର।

ଆଇନର ଦଫା ବିଷୟରେ ଅଜଣା ସାଧାରଣ ଲୋକେ। ପୁଲିସ ଓ ଓକିଲ ହିଁ ଆଇନ୍‍ର ଗଳି କନ୍ଦି ଜାଣନ୍ତି। ଆଉ ଏହା ହିଁ ସେମାନଙ୍କ ପାଇଁ ଅସ୍ତ୍ର। ତେବେ ଗତ ୪ ତାରିଖ ରାତିରେ ଟିଟିଲାଗଡ ମାଲିଝେର ଗାଁର ଦେବ ସିଂ ମାଝୀ ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଲୋକ ମାରଣାନ୍ତକ ଆକ୍ରମଣ କରିଥିଲେ। ଟିଟିଲାଗଡ ଥାନାରେ ଅଭିଯୋଗ କଲେ ଶ୍ରୀ ମାଝୀଙ୍କ ପତ୍ନୀ। ତେବେ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ଶ୍ରୀ ମାଝୀଙ୍କ ନାଁରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ୨ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଯାହାକୁ ଜିଲା ଆଦିବାସୀ ସଂଘ ବିରୋଧ କରିବା ସହ ଥାନା ଅଧିକାରୀ ପ୍ରଭାତ ମହାନ୍ତିଙ୍କ ବଦଳି ଦାବି ଉଠାଇଛି। ଟିଟିଲାଗଡ ଥାନାରେ ଏହା ସୀମିତ ନୁହେଁ। ଜିଲାର ବିଭିନ୍ନ ଥାନାରେ ଏମିତି ୨ ପକ୍ଷ ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେଉଛି। ଦୁଇ ବିଲେଇ କଳିରେ ମାଙ୍କଡର ଲାଭ ଗପ ଭଳି ପୁଲିସ ଫାଇଦା ନେଉଥିବା ଅଭିଯୋଗ ଆସୁଛି।

- Advertisement -

ସବୁଠାରୁ ସଙ୍ଗୀନ ଅଭିଯୋଗ ଯେ, ପୁଲିସ ପାଖକୁ ଅଭିଯୋଗ କରିବାକୁ ମାସ ମାସ ଧରି ଧାଉଁଥିଲେ ବି ସେମାନଙ୍କ ଏତଲାକୁ ନେଇ ମାମଲା ରୁଜୁ ହେଉ ନାହିଁ। ଆଇଆଇସିଙ୍କ ପାଖକୁ କଥା ଯାଉନି। ଏଏସ୍‍ଆଇ, ଏସ୍‍ଆଇମାନେ ଅଭିଯୋଗ ରଖି ଆଜି, କାଲି କହି ଦିନ ଗଡାଉଛନ୍ତି। ପୁଲିସ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ। ନିଜ ଅଧସ୍ଥନଙ୍କୁ ବିଶ୍ୱାସ କରିବା ଏସ୍‍ପିଙ୍କ ପ୍ରମୁଖତା। କିନ୍ତୁ ଅଧସ୍ଥନଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ଅଣଦେଖା କରିବା ଆଶ୍ଚର୍ଯ୍ୟ କରୁଛି। ପୁଲିସ ବିରୋଧରେ ଅଭିଯୋଗ କଲେ ଅଭିଯୋଗକାରୀଙ୍କୁ ପୁଲିସର ଟାର୍ଗେଟ ହେବାକୁ ପଡୁଛି। ଯାହା ଫଳରେ ଅନେକେ ପୁଲିସଠାରୁ ସମାନ୍ତରାଳ ଦୂରତା ରକ୍ଷା କରୁଛନ୍ତି। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ କୌଣସି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କଲେ ପ୍ରସଙ୍ଗକୁ ଛାଡି ପୁଲିସର ନଜର ସେମାନଙ୍କ ଲୋକପ୍ରିୟତା ଓ ପ୍ରସାରଣ କେତେ। ସେହି ଅନୁସାରେ ଆକଳନ କରାଯାଉଛି ପ୍ରସଙ୍ଗର ଗୁରୁତ୍ୱକୁ। ଏଭଳି କିମ୍ଭୁତ କିମାକାର ମାନସିକତା ରହିଲେ ବଲାଙ୍ଗିର ପୁଲିସ ପାଇଁ ବିପଦ ହେବ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories