www.samajalive.in
Saturday, December 6, 2025
14.1 C
Bhubaneswar

ହକ୍ ପାଇଁ ଲଢି ଲଢି ହତାସ୍ ; ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ପୀଡିତ ଗିରଫ, ସଙ୍କଟରେ ପତ୍ନୀ ଏବଂ ଦୁଇ ନାବାଳକ ସନ୍ତାନ

ରେଙ୍ଗାଲି : ନିଜର ପୈତୃକ ରୟତି ଜମିକୁ ଜମି ମାଫିଆ ମାନେ ଚଞ୍ଚକତା କରି ହଡପ କରିନେବା ପରେ ଜମି ଫେରିବା ପାଇଁ ଦୀର୍ଘ ୮ବର୍ଷ ଧରି ତହସିଲ କାର୍ଯ୍ୟାଳୟ, ଜିଲ୍ଳାପାଳ କାର୍ଯ୍ୟାଳୟକୁ ଧାଁ ଦୌଡ କରିଥିଲେ ରେଙ୍ଗାଲି ବ୍ଳକ୍ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ଗୁମକାରମା ଗ୍ରାମର ରାଜୀବ କିସାନ। ହେଲେ କିଛି ସୁଫଳ ମିଳିନଥିଲା । ରାଜୀବଙ୍କ କହିବା ଅନୁଯାୟୀ ସେ ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ତଥାପି କିଛି ଲାଭ ହେଲା ନାହିଁ। ଶେଷରେ ରାଜୀବ ହତାସ୍ ଏବଂ କ୍ରୋଧିତ ହୋଇ ଗତକାଲି ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଆଇନ୍ କୁ ହାତକୁ ନେବା ଅଭିଯୋଗରେ ରାଜୀବକୁ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଛି। ବର୍ତ୍ତମାନ ଜମି ଫେରି ପାଇବାକୁ ତଥା ନ୍ୟାୟ ପାଇଁ ଲଢେଇ କରିଥିବା ରାଜୀବ ଜେଲ୍ ହାଜତରେ।

ଅନ୍ୟପଟେ ରାଜୀବ ଜେଲ୍ କୁ ଗଲା ପରେ ତାଙ୍କ ପରିବାର ଏବେ ଘୋର ସଙ୍କଟରେ ପଡି ଯାଇଛନ୍ତି। ରାଜୀବଙ୍କ ପତ୍ନୀ ଗୁଣବତୀ କିସାନଙ୍କୁ ୧୨ ବର୍ଷର ପୁଅ ଦୀପକ ଏବଂ ୯ ବର୍ଷର ପୁଅ ଉଦୟର ପ୍ରତିପୋଷଣ ଚିନ୍ତା ସହିତ ସ୍ୱାମୀଙ୍କୁ ମୁକୁଲାଇ ଆଣିବା ପାଇଁ କୋର୍ଟ କଚେରିର ଦ୍ୱାରସ୍ତ ହେବା ତାଙ୍କ ପାଇଁ ଘୋର ସମସ୍ୟା ଦେଖା ଦେଇଛି। ଜମି ମାଫିଆଙ୍କ କଳା କାରନାମା ଯୋଗୁଁ ଆଜି ଗୁଣବତୀଙ୍କ ସ୍ୱାମୀ ଜେଲ୍ ରେ ଅଛନ୍ତି ବୋଲି ଗୁଣବତୀ କହିଛନ୍ତି। ଦୁଇ ନାବାଳକଙ୍କୁ ନେଇ ଗୁଣବତୀଙ୍କ ପରିବାର ଏବେ ଘୋର ସଙ୍କଟ ରେ ଥିବା ବେଳେ ଏହି ପରିବାରକୁ ମାଗଣାରେ ଆଇନ୍ ସେବା ଯୋଗାଇ ଦେବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି। ଏହା ବ୍ୟତୀତ ଜମି ହଡପ ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ହଡପ ହୋଇଥିବା ଜମି ପ୍ରକୃତ ସତ୍ୱାଧିକାରୀଙ୍କୁ ଫେରାଇ ଦେଇ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ଦାବି ହେଉଛି।
ଅନୁସନ୍ଧାନ ରୁ ଜଣାପଡିଛି ଯେ, ଡେର୍ବା ମୌଜାର ଗୁମକାରମା ଗ୍ରାମର ସ୍ୱର୍ଗତ ଶୁକ୍ରୁ କିସାନଙ୍କ ନାମରେ ଥିବା ଖାତା ନମ୍ବର ୩୦୮ ର ୪ଏକର ୨୮ ଡେସମିଲ୍ ଜମି ରୁ ୨ଏକର ୩୮ ଡେସମିଲ୍ ଜମି ତାଙ୍କ ଉତ୍ତରାଧିକାରୀ ମାନଙ୍କ ଅଜାଣତ ରେ ୨୦୦୪ ମସିହା ମଇ ୧୮ ତାରିଖ ଦିନ ଢୋଢଚୁଆଁ ଗ୍ରାମ ର ଶ୍ରୀବତ୍ସ ମିର୍ଦ୍ଧା ନାମକ ଜନୈକ ବ୍ୟକ୍ତି ନିଜକୁ ସ୍ୱର୍ଗତ ଶୁକ୍ରୁ କିସାନ ଙ୍କ ପୁଅ ବୋଲି ମିଥ୍ୟା ପରିଚୟ ଦେଇ ବିକ୍ରି କରିଦେଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଯେ ନିଜକୁ ଶୁକ୍ରୁ କିସାନ ଙ୍କ ପୁଅ ବୋଲି ରେଜିଷ୍ଟ୍ରି ଦଳିଲ ର ଗୋଟିଏ ପୃଷ୍ଠା ରେ ସ୍ୱାକ୍ଷର କରିଥିବା ଶ୍ରୀବତ୍ସ ମିର୍ଦ୍ଧା ଅନ୍ୟ ଏକ ରେଜିଷ୍ଟ୍ରି ଦଳିଲ ପୃଷ୍ଠା ରେ ଶ୍ରୀବତ୍ସ କିସାନ ପିତା ସ୍ୱର୍ଗତ ଠିବରୁ କିସାନ ବୋଲି ସ୍ୱାକ୍ଷର କରିଛି। ଜମି କେଳେଙ୍କାରୀ ରେ କିପରି ଜାଳିଆତି ହୋଇଛି ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି। ପ୍ରକୃତ ରେ ସ୍ୱର୍ଗତ ଶୁକ୍ରୁ କିସାନ ଙ୍କ କୌଣସି ପୁଅ ନଥିଲେ । ଶୁକ୍ରୁ କିସାନ ଙ୍କ ସନ୍ତାନ କହିଲେ ଏକମାତ୍ର ଝିଅ ତପସ୍ୱୀନି କିସାନ । ତପସ୍ୱନୀ କିସାନ ମଧ୍ୟ ଇହଜଗତ ରେ ନାହାନ୍ତି। ତପସ୍ୱୀନି ଙ୍କ ପୁଅ ହେଉଛନ୍ତି ରାଜୀବ କିସାନ। ତାଙ୍କ ଅଜା ଶୁକ୍ରୁ କିସାନ ଙ୍କ ନାମ ରେ ରେକର୍ଡ ଥିବା ଜମି ରୁ ୨ଏକର ୧୮ ଡେସମିଲ ଜମି ଚଞ୍ଚକତା କରି ବିକ୍ରି ହୋଇଥିବା ବିଷୟ ୨୦୧୨ ମସିହା ରେ ରାଜୀବ ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ରାଜୀବ ପ୍ରତବର୍ଷ ୪ଏକର ୨୮ ଡେସମିଲ୍ ଜମି ର ମାଲଗୁଜାରୀ ବୁଝାଉତିଲେ। ୨୦୧୨ ମସିହା ରେ ମାଲଗୁଜାରୀ ବୁଝାଇବାକୁ ଗଲା ବେଳେ ମୋଟ ଜମି ରୁ ୨ଏକର ୧୮ ଡେସମିଲ୍ ଜମି ହଡପ ହୋଇ ଯାଇଥିବା ବିଷୟ ସେ ଜାନିବାକୁ ପାଇଥିଲେ। ତା’ପରେ ଜମି ଫେରି ପାଇବାକୁ ରାଜୀବ ଆଇନ୍ଗତ ଲଢେଇ ଆରମ୍ଭ କରି ଦୀର୍ଘ ୮ ବର୍ଷ ହେଲା ତହସିଲଦାର, ଉପ-ଜିଲ୍ଲାପାଳ, ଜିଲ୍ଲାପାଳ କାର୍ଯ୍ୟଳୟ କୁ ଯାଇ ଅସଂଖ୍ୟ ଥର ନ୍ୟାୟ ଭିକ୍ଷା କରିଥିଲେ। ୮ ବର୍ଷ ମଧ୍ୟରେ କେତେ ତହସିଲଦାର, ଉପ-ଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଆସିଲେ ଗଲେ କିନ୍ତୁ ରାଜୀବ କିସାନଙ୍କ ଜମି ହଡପ ମାମଲାର କେହି ବିଚାର କଲେ ନାହିଁ କି ନ୍ୟାୟ ଦେଲେ ନାହିଁ। ସବୁ ଆଡୁ ହତାସ୍ ଏବଂ ଅତିଷ୍ଟ ରାଜୀବ ଶେଷ ରେ ତହସିଲ ଅଫିସ ରେ ନିଆଁଁ ଲଗାଇ ଦେବା ଭଲି ଅଭାବନୀୟ ପଦକ୍ଷେପ ନେଲେ। ଯାହା ଏବେ ସବୁ ଆଡେ ଚହଲ ସୃଷ୍ଟି କରିବାସହିତ ମୁଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି।
ରାଜ୍ୟ ସରକାର ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ର ତୁରନ୍ତ ଫଇସଲା କରି ତ୍ରରିତ ନ୍ୟାୟ ପ୍ରଦାନ ପାଇଁ ୫ “ଟି “ଆଇନ୍ କାର୍ଯ୍ୟକାରୀ କରିଥିଲେ ମଧ୍ୟ ବର୍ଷ ଧରି ଅଫିସ ଦପ୍ତର କୁ ଧାଁ ଦୌଡ କଲେ ବି ଲୋକେ ନ୍ୟାୟ ପାଇବା ରୁ ବଞ୍ଚିତ ହେଉଥିବା ଯୋଗୁଁ ତହସିଲ ଅଫିସ ରେ ନିଆଁ ଲାଗିବା ଭଲି ଅଭାବନୀୟ ଘଟଣା ର ସୁତ୍ରପାତ ହୋଇଛି। ଆଗାମୀ ଦିନ ରେ ବିଡମ୍ବିତ ନ୍ୟାୟ ଯୋଗୁଁ ଯେପରି ଆଉ ଏଭଲି ଘଟଣା ର ପୁନରାବୃତ୍ତି ନଘଟେ ସେଥିପାଇଁ ସରକାର ପ୍ରଶାସନିକ କଳ କୁ ଆହୁରି ଗତିଶୀକ କରି ସାଧାରଣ ଲୋକେ ଯେପରି ତ୍ୱରିତ ନ୍ୟାୟ ପାଇବେ ସେ ଦିଗରେ ଫଳପ୍ରସୂ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories