ପାକିସ୍ତାନରେ ମତଦାନ ଶେଷ: ଝୁଲା ସଂସଦ ଆଶଙ୍କା

0

ଇସ୍‍ଲାମାବାଦ : ପାକିସ୍ତାନରେ ବୁଧବାର ହିଂସା ମଧ୍ୟରେ ଏକାଦଶ ସାଧାରଣ ନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଛି। ଏଥିସହିତ ଆଗୁଆ ଫଳାଫଳ ଆକଳନ କରାଯାଇଛି। ନିର୍ବାଚନରେ ଅଂଶଗ୍ରହଣ କରିଥିବା କୌଣସି ଦଳକୁ ୨୭୨ ଆସନ ବିଶିଷ୍ଟ ସଂସଦ ଓ ୪ଟି ରାଜ୍ୟର ୫୭୭ଟି ବିଧାନସଭା କ୍ଷେତ୍ରରେ ପୂର୍ଣ୍ଣ ବହୁମତ ମିଳିବା ନେଇ ଏଥିରେ ସନ୍ଦେହ ପ୍ରକାଶ ପାଇବା ସହ ଝୁଲା ସଂସଦର ସୂଚନା ମିଳିଛି। ଇମ୍ରାନଙ୍କ ଦଳ ସହିତ ନୱାଜ ସରିଫଙ୍କ ପିଏମ୍‍ଏଲ-ଏନ୍‍ ଓ ବିଲାୱାଲ ଭୁଟ୍ଟୋଙ୍କ ପିପିପି ଦଳକୁ ନେଇ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ଭୁଟ୍ଟୋଙ୍କ ଦଳ ସରକାର ଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏଥିରୁ କୁହାଯାଇଛି। ଘଟଣାବହୁଳ ନିର୍ବାଚନରେ ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ ଦଳର ମୁଖ୍ୟ ଇମ୍ରାନ୍‍ ଖାଁ ମତଦାନବେଳେ ଗୋପନୀୟତା ଆଇନ ଉଲ୍ଲଙ୍ଘନ କରିଥିବାରୁ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କର ଭୋଟ ନାକଚ ହେବାର ଅଶଙ୍କା ରହିଛି।
ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ଦେଶବ୍ୟାପୀ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ୩,୫୦,୦୦୦ ସୈନ୍ୟ ମୁତୟନ କରାଯାଇଥିଲେ ମଧ୍ୟ ଏହା ହିଂସାକୁ ରୋକିପାରି ନାହିଁ। ବେଲୁଚିସ୍ତାନର କ୍ୱେଟ୍ଟାଠାରେ ମତଦାନ ଚାଲିଥିବାବେଳେ ବଡ଼ଧରଣର ବିସ୍ଫୋରଣ ଘଟି ୩୫ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣର କିଛି ସମୟ ପୂର୍ବରୁ ଏକ ମୋଟରସାଇକଲ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ଥିବା ଜନଗହଳି ମଧ୍ୟରେ ପ୍ରବେଶ କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଭୋଟର ଅବ୍‍ଦୁଲ ହାଲିମ କହିଛନ୍ତି। ତେବେ ବେଲୁଚିସ୍ତାନସ୍ଥିତ ଭୋଟ୍‍ ଗ୍ରହଣ କେନ୍ଦ୍ରର ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କୁ ମଙ୍ଗଳବାର ଧମକ ମିଳିଥିଲା ବୋଲି ନିର୍ବାଚନ କମିସନରଙ୍କ ସଚିବ ବାବର ୟାକୁବ ପ୍ରକାଶ କରିଛନ୍ତି। ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ବାଚନ କମିସନ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍‍ ଏବଂ ମୋବାଇଲ୍‍ ଫୋନ୍‍ ସେବା ବନ୍ଦ କରିଦେଇଛନ୍ତି। ଏହି ବିସ୍ଫୋରଣ ପୂର୍ବରୁ ପୂର୍ବାହ୍ଣରେ ଆତଙ୍କବାଦୀମାନେ ଏକ ସାମରିକ ଦଳ ଉପରକୁ ଗ୍ରେନେଡ୍‍ ମାଡ଼ କରିଥିଲେ। ଏଥିରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିଭଳି ସାୱି ଅନ୍ତର୍ଗତ ଏକ ଗ୍ରାମର ଭୋଟଗ୍ରହଣ କେନ୍ଦ୍ର ବାହାରେ ରାଜନୈତିକ ଦଳଗୁଡିକର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Leave A Reply