ଆଇଏନ୍‍ଏକ୍ସ ମିଡିଆ ମାମଲା: ଚିଦମ୍ବରମ୍‍ଙ୍କୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ : ଆଇଏନ୍‍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ତାଙ୍କୁ ଗିରଫ ନ କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୧ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ହାଇକୋର୍ଟ ଚିଦମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)ର ତଦନ୍ତରେ ସହଯୋଗ କରିବା ସହ ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଇଡ଼ି ଚିଦମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନକୁ ବିରୋଧ କରିଥିଲା। ଆଇଏନ୍‍ଏକ୍ସ ମିଡିଆ ମାମଲାରେ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ନିଜ ବାପାଙ୍କ ସହମତି ଏବଂ ଜ୍ଞାତସାରରେ ଏଫଆଇପିବି ଦ୍ୱାରା ଅନୁମତି ପ୍ରାପ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବୋଲି ଇଡ଼ି ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ପି. ଚିଦମ୍ବରମଙ୍କ ଅଗଷ୍ଟ ୧ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଉଲ୍ଲେଖ ଯେ ପି. ଚିଦମ୍ବରମ ଆଇଏନ୍‍ଏକ୍ସ ମିଡିଆ ସମ୍ପର୍କିତ ଇଡ଼ିର ବେଆଇନ ଅର୍ଥ କାରବାର ମାମଲାରେ ଜୁଲାଇ ୨୩ରେ ଆଗୁଆ ଜାମିନ୍‍ ପାଇଁ ଆବେଦନ କରିଥିଲେ। ଚିଦମ୍ବରମଙ୍କ ଓକିଲ ପ୍ରମୋଦ କୁମାର ଦୁବେ ଏବଂ ଅର୍ଶଦୀପ ସିଂହ ଦାଖଲ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ଏଫଆଇଆରରେ କଂଗ୍ରେସ ନେତା ପି. ଚିଦମ୍ବରମଙ୍କ କିଛି ଭୂମିକା ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ତାଙ୍କୁ ଇଡ଼ି ପକ୍ଷରୁ ଗିରଫ କରାଯିବାର ଆଶଙ୍କା ରହିଛି। ପୂର୍ବରୁ ତାଙ୍କୁ ସିବିଆଇର ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ମିଳିଛି।

Leave A Reply