www.samajalive.in
Sunday, December 14, 2025
23.1 C
Bhubaneswar

ବେଙ୍ଗାଲୁରୁ ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ସୂଚନା ଯୁଗରେ ଶ୍ରେଷ୍ଠତ୍ଵ ହିଁ ସଫଳତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍), ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏବଂ ଏମଏମ ଆକ୍ଟିଭ ସାଇ-ଟେକ୍ କମ୍ୟୁନିକେସନର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ନେକ୍ସଟ ଇଜ ନାଓ’ ଅର୍ଥାତ ଯାହା ଆଗକୁ କରିବାର ଅଛି ତାହା ଏବେ ହେବ। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୂପା ଉପସ୍ଥିତ ଥିଲେ।

- Advertisement -

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଆଜି ଡିଜିଟାଲ ଇଣ୍ଡିଆ କୌଣସି ନିୟମିତ ସରକାରୀ ପଦକ୍ଷେପ ଭାବରେ ବିବେଚନା କରାଯାଉ ନାହିଁ ବରଂ ଏହା ସମସ୍ତଙ୍କ ପାଇଁ ସାଧାରଣ ଜୀବନଶୈଳୀର ଏକ ଅଂଶ ଭାବରେ ପରିଣତ ହୋଇଛି। ଟେକ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ଇଣ୍ଡିଆ ହେତୁ ଆମ ଦେଶ ବିକାଶ ପାଇଁ ଅଧିକ ମାନବିକ ଆଭିମୁଖ୍ୟ ଗ୍ରହଣ କରିଛି। ସେ କହିଛନ୍ତି ଯେ ଏତେ ପରିମାଣରେ ଟେକ୍ନୋଲୋଜି ବ୍ୟବହାର କରିବା ନାଗରିକଙ୍କ ପାଇଁ ଅନେକ ପରିବର୍ତ୍ତନ ଆଣିଛି ଏବଂ ଏହାର ଲାଭ ସ୍ପଷ୍ଟ ଦେଖାଯାଉଛି। ସେ କହିଛନ୍ତି ଯେ ସରକାର କେବଳ ଡିଜିଟାଲ ଏବଂ ଟେକ୍ ସମାଧାନ ପାଇଁ ଏକ ବଜାର ସୃଷ୍ଟି କରିନାହାଁନ୍ତି ବରଂ ଏହାକୁ ସମସ୍ତ ଯୋଜନାର ଏକ ପ୍ରମୁଖ ଅଂଶ ମଧ୍ୟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଶାସନ ମଡେଲ ହେଉଛି ଟେକ୍ନୋଲୋଜି ଏବଂ ଟେକ୍ନୋଲୋଜି ମାଧ୍ୟମରେ ମାନବିକ ସମ୍ମାନ ବୃଦ୍ଧି ପାଇଛି ଯେପରି ଗୋଟିଏ କ୍ଲିକରେ କୋଟି କୋଟି କୃଷକ ଆର୍ଥିକ ସହାୟତା ଗ୍ରହଣ କରୁଛନ୍ତି ଏବଂ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତକୁ ସଫଳତାର ସହ ପରିଚାଳନା କରୁଛନ୍ତି। ସେ କହିଛନ୍ତି ଯେ ଟେକ୍ନୋଲୋଜି ନିଶ୍ଚିତ କରିଛି ଯେ ଭାରତର ଗରିବ ଲୋକ ଲକଡାଉନ ସମୟରେ ମଧ୍ୟ ଉପଯୁକ୍ତ ଏବଂ ଶୀଘ୍ର ସହାୟତା ପାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉନ୍ନତ ସେବା ବିତରଣ ଏବଂ ଦକ୍ଷତା ନିଶ୍ଚିତ କରିବାକୁ ସରକାର ଡାଟା ଆନାଲିଟିକ୍ସର ବ୍ୟବହାର କରିଛନ୍ତି। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ସମସ୍ତଙ୍କୁ ଦ୍ରୁତ ଗତିରେ ସହାୟତା ଯୋଗାଇ ଦିଆଯାଇଛି। ମହାମାରୀ ସମୟରେ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ସ୍ଥିରତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ବୈଷୟିକ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଯାହା ଏକ ଦଶନ୍ଧି ମଧ୍ୟରେ ହୋଇନଥାନ୍ତା, ମାତ୍ର କିଛି ମାସ ମଧ୍ୟରେ ବୈଷୟିକ କ୍ଷେତ୍ରର ସହଯୋଗ ଯୋଗୁ ତାହା ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ଯୁଗର ସଫଳତା ଏବେ ଅତୀତ ପାଲଟିଛି ଏବଂ ବର୍ତ୍ତମାନ ଆମେ ସୂଚନା ଯୁଗର ମଧ୍ୟ ଭାଗରେ ଅଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୂଚନା ଯୁଗରେ ଭାରତ ଆଗକୁ ଅତୁଳନୀୟ ଗତିରେ ବିକାଶ ଦିଗରେ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ଭାରତର ସର୍ବଶ୍ରେଷ୍ଠ ବଜାର ସହିତ ସର୍ବଶ୍ରେଷ୍ଠ ମାନସିକତା ଅଛି। ସେ ଦର୍ଶାଇଛନ୍ତି ଯେ ଆମର ସ୍ଥାନୀୟ ବୈଷୟିକ କୌସସଲଗୁଡ଼ିକ ବିଶ୍ୱସ୍ଥରୀୟ ହେବାର କ୍ଷମତା ରଖିଛି। ମୋଦୀ କହିଛନ୍ତି ଯେ ସରକାରଙ୍କ ନୀତିଗତ ନିଷ୍ପତ୍ତି ସବୁବେଳେ ବୈଷୟିକ ଏବଂ ନବସୃଜନ ଶିଳ୍ପକୁ ଉଦାରୀକରଣ କରିବା ପାଇଁ ଉଦ୍ଦିଷ୍ଟ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଷୟିକ ଜ୍ଞାନ ସରକାରୀ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତାରେ ସହାୟତା କରିଥାଏ ଓ ସ୍ୱଚ୍ଛତା ଆଣିଥାଏ। ସେ କହିଛନ୍ତି, ବିଶ୍ୱର ସର୍ବବୃହତ୍‍ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ହେଉ କିମ୍ବା ସମସ୍ତଙ୍କୁ ବିଦ୍ୟୁତ୍‍ ଯୋଗାଣ ଓ ଗରିବ ଲୋକମାନଙ୍କୁ ବାସଗୃହ ଯୋଗାଣ ଭଳି ଯୋଜନା ହେଉ, ସରକାର ସେଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତା ପାଇଁ ବୈଷୟିକ ଜ୍ଞାନର ବ୍ୟବହାର କରୁଛନ୍ତି। ଶ୍ରୀ ମୋଦୀ ଗ୍ରାମାଞ୍ଚଳରେ ଜମିପଟ୍ଟା ବଣ୍ଟନ ଲାଗି ‘ସ୍ୱମିତ ଯୋଜନା’ ଓ ଡିଜିଟାଲ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଷୟିକ ଜ୍ଞାନ ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି ଶିଖର ବୈଠକ ୩ ଦିନ ଧରି ଚାଲିବ। ଏଥିରେ ୪ ହଜାର ପ୍ରତିନିଧି ଅଂଶଗ୍ରହଣ କରିବେ ଓ ୨୭୦ ଜଣ ବକ୍ତା ଉଦ୍‍ବୋଧନ ଦେବେ। ଶିଖର ବୈଠକରେ ୭୫ଟି ଆଲୋଚନା ହେବ। ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ଥିବା ୨୫ଟି ରାଷ୍ଟ୍ର ଶିଖର ବୈଠକରେ ଭାଗ ନେଉଛନ୍ତି। ଏହାସହିତ ବହୁ ନେତା, ଉଦ୍ୟୋଗପତି, ବୈଷୟିକ ଜ୍ଞାନ କ୍ଷେତ୍ରର ବିଶେଷଜ୍ଞ, ଗବେଷକ, ଉଦ୍ଭାବକ, ପୁଞ୍ଜିନିବେଶକାରୀ, ନୀତି ନିର୍ଦ୍ଧାରଣକାରୀ ଓ ଶିକ୍ଷାବିତ୍‍ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଶିଖର ବୈଠକ ସମୟରେ ୧୨ଟି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବ। ସେଗୁଡ଼ିକ କର୍ଣ୍ଣାଟକରେ ପୁଞ୍ଜିନିବେଶ ପାଇଁ ପଥ ଉନ୍ମୁକ୍ତ କରିବ। ଏଥିରେ ୨୦୦ ଭାରତୀୟ କମ୍ପାନୀ ଭର୍ଚୁଆଲ୍‍ ପ୍ରଦର୍ଶନୀ କରୁଛନ୍ତି। ୫୦ଟି ଭାରତୀୟ ବୈଷୟିକ ଜ୍ଞାନ ଷ୍ଟାର୍ଟ ଅପ୍‍ କମ୍ପାନୀ ୟୁରୋପୀୟ କମ୍ପାନୀଗୁଡ଼ିକୁ ସେମାନଙ୍କର ବୈଷୟିକ ଜ୍ଞାନର ପ୍ରଦର୍ଶନ କରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories