ସାବରିମାଳା ମନ୍ଦିର ମାମଲା : ମସଜିଦ୍‍ରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଲା ମନ୍ଦିର ବୋର୍ଡ

0

ନୂଆଦିଲ୍ଲୀ : କୌଣସି ଧାର୍ମିକସ୍ଥଳର ସଂଚାଳନ ପରମ୍ପରା ଏବଂ ଅସ୍ଥା ଅନୁସାରେ ହୋଇଥାଏ। ତେଣୁ କୌଣସି ବିଶେଷ ସମ୍ପ୍ରଦାୟର ହିନ୍ଦୁ ପରମ୍ପରାକୁ ନଷ୍ଟ କରାଯାଇ ହେବନାହିଁ। ଦେଶରେ ଅନକ ମନ୍ଦିର ଅଛି ଯେଉଁଠି ପୁରୁଷଙ୍କୁ ପ୍ରବେଶ କରିବାର ଅନୁମତି ନାହିଁ। ଏପରିକି ମୁସଲମାନ ସମ୍ପ୍ରଦାୟରେ ମସଜିଦ୍‍ ମଧ୍ୟକୁ ମହିଳାଙ୍କୁ ପ୍ରବେଶର ଅନୁମତି ନାହିଁ। ଏକ ପରମ୍ପରା ଏବଂ ଆସ୍ଥାକୁ ପ୍ରାଚୀନ ସ୍ଥିତିଚିହ୍ନ ବୋଲି କୋର୍ଟରେ ପରୀକ୍ଷା କରାରଯାଇ ହେବନାହିଁ। କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ସମୟରେ ମନ୍ଦିର ବୋର୍ଡ ଓକିଲ ଅଭିଷେକ ମନୁ ସିଙ୍ଗଭି ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଆରଏଫ ନରିମାନ, ଜଷ୍ଟିସ୍‍ ଏ.କେ ଖାନୱିଲର, ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଆଗରେ ମନ୍ଦିର ପରିଚାଳକ ଦେଭାସମ ବୋର୍ଡ ପକ୍ଷ ରଖି ସିଙ୍ଗଭି କହିଥିଲେ ଯେ ମସଜିଦ୍‍ରେ ମହିଳାଙ୍କୁ ପ୍ରବେଶର ଅନୁମତି ନାହିଁ। ଯଦି ମାମଲା ସାମ୍ବିଧାନିକ ନୀତି ଓ ସିଦ୍ଧାନ୍ତରେ ପରଖା ଯିବ ତେବେ ଅନେକ ଗୁମର କଥା ଖୋଲିବ। ତେବେ ଶୁଣାଣି ବେଳେ ଆର.ଏଫ ନରିମାନ କହିଥିଲେ ଯେ ୧୯୫୦ରେ ସମ୍ବିଧାନ ପ୍ରଣୟନ ହେବା ପରଠାରୁ କୌଣସି ବ୍ୟକ୍ତିର ଗରିମା ଏବଂ ସ୍ୱାଧୀନତା ସମ୍ବିଧାନ ଅନୁସାରେ ନିର୍ଣ୍ଣୟ କରାଯାଏ। ଏହି ଅବସରରେ ବୋର୍ଡର ଓକିଲ ଖଣ୍ଡପୀଠ ନିକଟରେ ଏକ ତାଲିକା ଦାଖଲ କରିଥିଲେ। ଏହି ତାଲିକାରେ କେଉଁ ଧାର୍ମିକସ୍ଥଳରେ ପୁରୁଷ ଓ ମହିଳାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି, ତାହା ଉଲ୍ଲେଖ ରହିଛି।
କେଉଁ ମନ୍ଦିରରେ ପୁରୁଷଙ୍କୁ ପ୍ରବେଶର ଅନୁମତି ନାହିଁ
ରାଜସ୍ଥାନର ପୁଷ୍କରରେ ଭଗବାନ ବ୍ରହ୍ମାଙ୍କ ମନ୍ଦିର
କେରଳରେ ଅଟ୍ଟକୁଳ ମନ୍ଦିର
କନ୍ୟାକୁମାରୀରେ ଭଗତୀ ମା’ ମନ୍ଦିର
କେରଳର ଚକୁଲାଥୁକାଭ ମନ୍ଦିର
ମୁଜଫୁରପୁର ମାତା ମନ୍ଦିର
ମହିଳାଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିବା ଧାର୍ମିକସ୍ଥଳ ଗୁଡ଼ିକ ହେଲା
ପୁଷ୍କରଠାରେ ଭଗବାନ କାର୍ତ୍ତିକେୟ ମନ୍ଦିର
ଆସାମରେ ପତବଓସି ଧାମ
ବିଜୟୱାଡ଼ାରେ ଭବାନୀ ଦୀକ୍ଷା ମଣ୍ଡଳମ
ନିଜାମୁଦ୍ଦିନ ଦର୍ଘା
ଝାରଖଣ୍ଡର ମଙ୍ଗଳ ଚଣ୍ଡୀ ମନ୍ଦିର
ଆସନ୍ତା କାଲି ବି ଏହି ମାମଲାରେ ଶୁଣାଣି ଜାରି ରହିବ।
ଉଲ୍ଲେଖ ଯେ କେରଳର ସାବରିମାଳା ମନ୍ଦିରରେ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ୨୦୦୭ରେ କେରଳ ସରକାର ମନ୍ଦିର କମିଟି ସପକ୍ଷରେ ମତ ରଖିଥିଲେ ଓ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକକୁ ଯଥାର୍ଥ କହିଥିଲେ। ଫଳରେ କିଛି ସାମାଜିକ କର୍ମୀ ଓ କେତେକ ସଂଗଠନ ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କେରଳ ସରକାର ନିଜ ମତ ପରିବର୍ତ୍ତନ କରି ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ସମର୍ଥନ ଜଣାଇଛନ୍ତି।

Leave A Reply