www.samajalive.in
Wednesday, December 10, 2025
18.1 C
Bhubaneswar

ଇସ୍ରାଏଲ-ହମାସ୍‌ ଯୁଦ୍ଧକୁ ବର୍ଷେ

ତେଲଆଭିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସର ଶତାଧିକ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ ପୂର୍ବକ ଆକ୍ରମଣ ଘଟାଇଥିଲେ। ହମାସର ଆକ୍ରମଣରେ ଇସ୍ରାଏଲର ପ୍ରାୟ ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ଏହା ସହିତ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ପୂର୍ବକ ପାଲେଷ୍ଟାଇନର ଗାଜାସ୍ଥିତ ହମାସର ଆଡ୍ଡାସ୍ଥଳଗୁଡିକୁ ନିଶାଣ କରିଥିଲା। ପରବର୍ତ୍ତୀ ସମୟରେ ହମାସ ବିରୋଧରେ ଇସ୍ରାଏଲ ସ୍ଥଳପଥରେ ମଧ୍ୟ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ହମାସ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୧,୮୭୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି। ଏହା ସହିତ ୯୬,୭୯୪ଜଣ ଆହତ ହେଲେଣି। ଯୁଦ୍ଧ ଯୋଗୁଁ ଗାଜାରେ ମାନବିକ ସଂକଟ ଓ ମାନବାଧିକାର ଉଲ୍ଲଙ୍ଘନ ଭଳି ଅନେକ ଘଟଣା ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ହଜାର ହଜାର ଲୋକ ରିଲିଫ ଶିବିରରେ ରହିଥିବାବେଳେ ସେମାନଙ୍କୁ ଖାଦ୍ୟ ପେୟ ମିଳିପାରୁ ନାହିଁ। ସେହିପରି ଆହତଙ୍କୁ ଚିକିତ୍ସା ସୁବିଧା ମିଳିପାରୁ ନାହିଁ। ଆହତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଉପଲବ୍ଧ ନାହିଁ। ଏହି ଯୁଦ୍ଧ ଯୋଗୁଁ ଗାଜାରେ ଅନେକ କୋଠାବାଡି, ସରକାରୀ କାର୍ଯ୍ୟାଳୟ ଓ ଡାକ୍ତରଖାନା ଆଦି ଧ୍ବଂସ ପାଇ ମାଟିରେ ମିଶି ଯାଇଛି। ଜାତିସଂଘର ଆକଳନ ଅନୁଯାୟୀ ଯୁଦ୍ଧ ଯୋଗୁଁ ଗାଜାରେ ୧ଲକ୍ଷ ୬୩ହଜାର ଘର ନଷ୍ଟ ହୋଇଛି। କୋଠାବାଡି ଧ୍ବଂସ ଯୋଗୁଁ ଯେଉଁ ଧ୍ବଂସାବଶେଷ ଜମା ହୋଇଛି ତାହା ପ୍ରାୟ ୪୨ ନିୟୁତ ଟନ୍ ହେବ। ଭଗ୍ନ ଅଟ୍ଟାଳିକା ମଧ୍ୟରେ ପୋତି ହୋଇ ରହିଥିବା ହଜାର ହଜାର ମୃତଦେହକୁ ଆଜି ସୁଦ୍ଧା ଉଦ୍ଧାର କରାଯାଇପାରି ନାହିଁ। ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟ ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୧୦ହଜାର ମୃତଦେହ ପୋତି ହୋଇ ରହିଛି। ସେହିପରି ଯୁଦ୍ଧକୁ ବର୍ଷେ ପୂରଣ ହୋଇଥିଲେ ମଧ୍ୟ ହମାସଙ୍କ କବଳରେ ପଣବନ୍ଦୀ ଥିବା ସମସ୍ତ ଇସ୍ରାଏଲ ନାଗରିକ ମୁକ୍ତ ହୋଇପାରି ନାହାନ୍ତି। ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ଏହାର ଅଧିକ ସୈନ୍ୟଙ୍କୁ ଗାଜାରେ ମୁତୟନ କରିଛି। ଏହା ସହିତ ଇସ୍ରାଏଲ ସେନା (ଆଇଡିଏଫ୍‌) ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ପ୍ରଦର୍ଶନୀରେ ଆଇଡିଏଫ୍ ଜବତ କରିଥିବା ହମାସ ଆତଙ୍କବାଦୀଙ୍କ ୭୦ହଜାର ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରିଛି। ଏହା ମଧ୍ୟରେ ୧୨୫୦ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର, ଆରପିଜି ଓ ୪୫୦୦ ବିସ୍ଫୋରକ ରହିଛି। ହମାସ ସହିତ ଇସ୍ରାଏଲ ଲେବାନନ୍‌ର ହେଜବୋଲ୍ଲା ସଂଗଠନ ବିରୋଧରେ ଯୁଦ୍ଧ ଚଳାଇଛି। ଏହି ଯୁଦ୍ଧରେ ଇସ୍ରାଏଲ ବିଜୟୀ ହେବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ବର୍ଷପୂର୍ତ୍ତି ଅବସରରେ ନେତାନ୍ୟାହୁ ଲେବାନନ୍‌ ସୀମାରେ ମୁତୟନ ହୋଇଥିବା ଇସ୍ରାଏଲ ସେନାର ଶିବିରକୁ ପରିଦର୍ଶନ କରିଛନ୍ତି। ହମାସ ଓ ହେଜବୋଲ୍ଲା ଉପରେ ଆକ୍ରମଣକୁ ନେଇ ଗତ ସପ୍ତାହରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଉପରେ ଇରାନ ଶତାଧିକ କ୍ଷେପଣାସ୍ତ୍ର ମାଡ କରିଥିଲା। ହମାସ ଓ ହେଜେବୋଲ୍ଲା ହେଉଛନ୍ତି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ। ଇସ୍ରାଏଲ ଉପରେ ସଫଳ ଆକ୍ରମଣ କରିଥିବାରୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ରବିବାର ଇରାନ ସେନା (ରିଭୋଲ୍ୟୁସନାରୀ ଗାର୍ଡ)ର ଏରୋସ୍ପେସ୍‌ କମାଣ୍ଡର ଜେନେରାଲ ଆମିରାଲି ହାଜିଜାଦେଙ୍କୁ ସମ୍ମାନୀତ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories