୯ ମାସ ଧରି ଅନଧିକୃତ ଛୁଟି; ଭାରପ୍ରାପ୍ତ ବିଇଓ ଗଠନ କଲେ ତଦନ୍ତ କମିଟି
ଜଗତସିଂହପୁର: ୯ ମାସ ଧରି ଅନଧିକୃତ ଭାବରେ ଛୁଟିରେ ଥିବା ଶିକ୍ଷକଙ୍କୁ ତଥାକଥିତ ବକେୟା ଦରମା ପ୍ରଦାନ ପାଇଁ ଏରସମା ବ୍ଲକ୍ ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପଦକ୍ଷେପକୁ ନେଇ ଏବେ ସ୍ଥାନୀୟ ଶିକ୍ଷକ ମହଲରେ ସୃଷ୍ଟି ହୋଇଛି ଆଲୋଡ଼ନ । କେବଳ ସେତିକି ନୁହେଁ, ସମ୍ପୃକ୍ତ ଶିକ୍ଷକ ଏକ ବୀମା କମ୍ପାନୀର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ସତ୍ବେ ତାଙ୍କ ପ୍ରତି ଶିକ୍ଷା ବିଭାଗର ଅହେତୁକ ଅନୁକମ୍ପା ମଧ୍ୟ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏପରିକି ବକେୟା ୯ ମାସର ଦରମା ପ୍ରଦାନ ନିମନ୍ତେ ଏକ ବଡ଼ ଧରଣର କାରବାର ହୋଇଥିବା ଅଭିଯୋଗ ହୋଇଛି ।
ଘଟଣାଟି ଘଟିଛି ଏରସମା ବ୍ଲକରେ । ଏହି ବ୍ଲକରେ ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷକ ଦମ୍ପତିଙ୍କୁ ଅହେତୁକ ଅନୁକମ୍ପା ପୋଷଣ କରିଛି ବ୍ଲକ୍ ଶିକ୍ଷା କର୍ତ୍ତୃପକ୍ଷ । ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଏହି ଦମ୍ପତି ଅନେକ ସମୟରେ ସ୍କୁଲରେ ଅନୁପସ୍ଥିତ ରହିଥାଆନ୍ତି । କେବଳ ସେତିକି ନୁହେଁ ଏହାର ପ୍ରତିବାଦ କରିବା ଯୋଗୁଁ ଜଣେ ତତ୍କାଳୀନ ଶିକ୍ଷା ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି ।
ସୂଚନା ଅଧିକାର ଆଇନରେ ମିଳିଥିବା ରିପୋର୍ଟ ଅନୁସାରେ ସମ୍ପୃକ୍ତ ଶିକ୍ଷକ ୨୦୧୩ ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ ୩ ପର୍ଯ୍ୟାୟରେ ଡ଼ାକ୍ତରୀ ଛୁଟି ନେଇଥିଲେ । ମାତ୍ର ୧୬.୧୦.୨୦୧୩ ଠାରୁ ୩୧.୫.୨୦୧୪ ପର୍ଯ୍ୟନ୍ତ ଅନଧିକୃତ ଛୁଟିରେ ରହିଥିଲେ । ଯାହାଫଳରେ ତାଙ୍କୁ ଏହି ୯ ମାସର ଦରମା ମିଳି ନ ଥିଲା ।
ପୂର୍ବରୁ ଏହି ଛୁଟି ସମୟର ଅର୍ଥ ନେବା ନିମନ୍ତେ ସେ ଆବେଦନ କରିଥିଲେ । ସେତେବେଳେ ଭାରପ୍ରାପ୍ତ ବିଇଓ ଭାବରେ କାର୍ଯ୍ୟ କରୁଥିବା ମହେନ୍ଦ୍ର ସୋରଣିଆ ଏଥିପାଇଁ ଏକ କମିଟି ଗଠନ କରିଥିଲେ । କମିଟି ରିପୋର୍ଟ ଆସିବା ପୂର୍ବରୁ ନୂଆ ବିଇଓ ଭାବରେ ଜୟନ୍ତ ରାୟ ଯୋଗ ଦେଇଥିଲେ । ସେ ତାଙ୍କ ଅବଧି ମଧ୍ୟରେ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଲେ ନାହିଁ ଏବଂ ତଦନ୍ତ କମିଟି ରିପୋର୍ଟକୁ ଗ୍ରହଣ କଲେ ନାହିଁ । ମାତ୍ର ତାଙ୍କ ଅବସର ପରେ ପୁଣିଥରେ ଦାୟିତ୍ବରେ ଥିବା ଭାରପ୍ରାପ୍ତ ବିଇଓ ଶ୍ରୀ ସୋରଣିଆ ସହ ଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନଙ୍କୁ ନେଇ ପୁଣି ଏକ କମିଟି ଗଠନ କରିଥିବା ସୂଚନା ମିଳିଛି ।
ଏ ସଂପର୍କରେ ଶ୍ରୀ ସୋରଣିଆଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଏପରି ଏକ କମିଟି ଗଠନ କରାଯାଇଥିବା ସ୍ବୀକାର କରିଥିଲେ ହେଁ ଦରମା ପ୍ରଦାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ସେ କହିଛନ୍ତି ।
Comments are closed.