www.samajalive.in
Monday, December 8, 2025
13.1 C
Bhubaneswar

ଆମେ ବଲାଙ୍ଗିରିଆ, ସବୁନୁ ବଢିଆଁ: ଜିଲ୍ଲା ଗଠନକୁ ପୂରିଲା ୭୧ ବର୍ଷ, ଉତ୍ସାହର ମାହୋଲ

ବଲାଙ୍ଗିର: ଆଜି ଅବିଭକ୍ତ ବଲାଙ୍ଗିର ଜିଲା ଗଠନକୁ ପୂରିଛି ୭୧ ବର୍ଷ। ଜିଲା ଗଠନ ପୂର୍ତ୍ତିକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ଡିଜିଟାଲ ପ୍ଲାଟଫର୍ମରେ ବଲାଙ୍ଗିର ଜିଲାକୁ ମାନ୍ୟତା ମିଳିବା ପରେ ୭୧ ବର୍ଷକୁ ନେଇ ବେଶ ଉତ୍ସାହ ରହିଛି। ଏହି ଦିନରେ ସମସ୍ତେ ଶୁଭେଚ୍ଛା ଜଣାଇବା ସହ ଗର୍ବ ଅନୁଭବ କରୁଛନ୍ତି। କିଏ କିଏ ‘ମୁଇଁ ବଲାଙ୍ଗିରିଆ’ ବୋଲି ବାର୍ତ୍ତା ଦେଉଥିବା ବେଳେ ଆଉ କିଛି ମୁଇଁ ବଦଳରେ ଆମେ ବ୍ୟବହାର କରି ଏକତାର ବାର୍ତ୍ତା ଦେଇ ଉଲ୍ଲେଖ କରୁଛନ୍ତି ‘ଆମେ ବଲାଙ୍ଗିରିଆ, ସବୁନୁ ବଢିଆଁ’। ଏହା ଆଜି ଦିନ ପାଇଁ ଟ୍ରେଣ୍ଡ ହୋଇଥିବା ବେଳେ ବଲାଙ୍ଗିର ଜିଲାର ବିକାଶ ବି ଏକ ପ୍ରସଙ୍ଗ।

ବଲାଙ୍ଗିର ଜିଲା ଗେଜେଟ୍‍ର ପୃଷ୍ଠା ଓଲଟାଇଲେ ସେଥିରେ ଦର୍ଶାଯାଇଛି ଯେ, ବଲାଙ୍ଗିର ପୂର୍ବରୁ ଏହା ପାଟଣା ରାଜ୍ୟ ଭାବେ ପରିଚିତ ପାଇଥିଲା। ଚୌହାନ ବଂଶ ଏଠାରେ ଶାସନ କରୁଥିଲେ। ଓଡ଼ିଶା ରାଜ୍ୟ ସହ ପାଟଣା ରାଜ୍ୟ ୧୯୪୮ ଜାନୁଆରି ୧ ତାରିଖରେ ମିଶ୍ରଣ ହୋଇଥିଲା। ସ୍ୱର୍ଗତ ରାଜା ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଥିଲେ ପାଟଣା ଷ୍ଟେଟ୍‍ର ଶେଷ ଚୌହାନ ବଂଶୀୟ ରାଜା। ଓଡ଼ିଶା ସହ ମିଶ୍ରଣ ପୂର୍ବରୁ ପୂର୍ବ କଳାହାଣ୍ଡି ରାଜ୍ୟ, ପାଟଣା, ସୋନପୁରକୁ ମିଶାଇ ବଲାଙ୍ଗିର-ପାଟଣା ଜିଲା ଭାବେ ଘୋଷଣା କରାଯାଇଥିଲା। ଆଉ ୧୯୪୯ ନଭେମ୍ବର ୧ ତାରିଖରେ ପାଟଣା ଓ ସୋନପୁରକୁ ମିଶାଇ ବଲାଙ୍ଗିର ଜିଲା ଗଠନ ହୋଇଥିଲା। ସେତେବେଳେ ବଲାଙ୍ଗିର ଜିଲାରେ ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, ସୋନପୁର ଉପଖଣ୍ଡ ରହିଥିଲା। ପରବର୍ତ୍ତୀ ସମୟରେ ସୋନପୁର ଉପଖଣ୍ଡ ୨ ଭାଗ ହେଇ ବୀରମହାରାଜପୁର ଓ ସୋନପୁର ହେଇଥିଲା। ଆଉ ୧୯୯୩ ଏପ୍ରିଲ ୧ ତାରିଖରେ ଅବିଭକ୍ତ ବଲାଙ୍ଗିର ଜିଲାରୁ ଅଲଗା ହୋଇ ସୋନପୁରକୁ ସ୍ୱତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା। ବଲାଙ୍ଗିର ଜିଲା ଗଠନକୁ ଆଜି ୭୧ ବର୍ଷ ପୂରିଛି। ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ।

- Advertisement -

ସ୍ୱର୍ଗତ ସିଂହଦେଓଙ୍କ ନାତି ତଥା ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ ଶୁଭେଚ୍ଛା ଜଣାଇଥିବା ବେଳେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, କରଙ୍ଗାକଟା ବଞ୍ଚାଅ ସମିତି, ବଲାଙ୍ଗିର ୟୁଥ୍‍ ଏକ୍ସନ କମିଟି, ମାହେଶ୍ୱରୀ ସଂଗଠନ, ସ୍ମାଇଲ୍‍ ବଲାଙ୍ଗିର, କର୍ତ୍ତବ୍ୟ ଭଳି ସ୍ୱେଚ୍ଛାସେବୀ ସଂସ୍ଥା ସହ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଉଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମ ଗ୍ରୁପରେ ‘ବଲାଙ୍ଗିରିଆ ଦିନ୍‍’ ନାଁ ଘୁରି ବୁଲୁଛି।

ବଲାଙ୍ଗିର ଜିଲା ଗଠନକୁ ୭୧ ବର୍ଷ ବିତିଥିଲେ ବି ଜିଲାର ଯେଉଁ ଭଳି ବିକାଶ ହେବା କଥା ତାହା ହୋଇ ପାରି ନାହିଁ। ଗଡଜାତ ଶାସନ ସମୟରେ ତତ୍କାଳୀନ ପାଟଣା ଷ୍ଟେଟ୍‍ ଗୋଟିଏ ଅଗ୍ରଣୀ ଗଡଜାତ ରାଜ୍ୟ ଥିଲା। କିନ୍ତୁ ଓଡ଼ିଶା ସହ ମିଶ୍ରଣ ପରେ ଏ ଅଞ୍ଚଳର ଥିବା ବହୁ ପ୍ରତିଷ୍ଠାନ ଏଠାରୁ ଉଠିଯିବା ସହ କେବେ ଏ ଅଞ୍ଚଳରେ ଦେଖା ଦେଇ ନଥିବା ଅନାହାର ମୃତ୍ୟୁ, ପିଲା ବିକ୍ରି, ଦାଦନ ଶ୍ରମିକ ଚାଲାଣ, ଚାଷୀ ଆତ୍ମହତ୍ୟା ଭଳି ସମସ୍ୟା ଦେଖା ଦେଇଛି। ସାମନ୍ତବାଦ, ପରିବାରବାଦ ଓ ବ୍ୟକ୍ତିବାଦୀ ରାଜନୀତି ବିଷବଳୟରେ ଛଟପଟ ହୋଇ ଏହି ଜିଲା ୭୧ ବର୍ଷ ଭିତରେ ଆଶାନୁରୂପ ପ୍ରଗତି କରିପାରି ନାହିଁ।

ଆଜି ୭୧ ବର୍ଷ ପ୍ରତିଷ୍ଠା ଦିବସରେ ସମୟ ଆସିଛି, ସମସ୍ତ ବିକଳ୍ପବାଦୀ ମାଟିପ୍ରେମୀମାନେ ଏକଜୁଟ ହୋଇ ବଲାଙ୍ଗିରରେ ଏକ ରାଜନୈତିକ ପରିବର୍ତ୍ତନ ମାଧ୍ୟମରେ ବିକାଶର ରାସ୍ତା ଖୋଲିବାକୁ ବାର୍ତ୍ତା ଦେଇଛନ୍ତି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଆବାହକ ଏଡଭୋକେଟ ପ୍ରମୋଦ ମିଶ୍ର। ସେହିପରି ଭିନ୍ନମତ ରଖିଛନ୍ତି ସାହିତ୍ୟିକ ତଥା ଗବେଷକ ସନ୍ଦୀପ କୁଅଁର। ଇତିହାସକୁ ଦେଖିଲେ ବଳରାମ ଦେଓ ୧୫୫୦ ମସିହାରେ ଗାନ୍ଧୀନଗର ଆଗକୁ ଜୁନହାଡିହି ଅଞ୍ଚଳରେ ବଲାଙ୍ଗ ବାଉଁଶ ଥିବାରୁ ଏହି ବାଉଁଶକୁ ନେଇ ଗଡ କରିଥିଲେ ରାଜା ବଳରାମ ଦେଓ। ତାର ନାମ ଦେଇଥିଲେ ବଲାଙ୍ଗଗଡ। ପରବର୍ତ୍ତୀ ସମୟରେ ବଲାଙ୍ଗିର ପାଟଣା ରାଜ୍ୟର ରାଜଧାନୀ ମାନ୍ୟତା ପାଇଥିଲା। ବଲାଙ୍ଗିର ଜିଲାର ଇତିହାସ ୭୧ ବର୍ଷର ନୁହେଁ, ୫ଶହ ବର୍ଷ ପୁରୁଣା ବୋଲି କହିଛନ୍ତି ଶ୍ରୀ କୁଅଁର।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories