ନିର୍ଲଜ୍ଜ ଲାଉ…
ବାହାର ଦେଖାରୁ ଯାହା ମନକୁ ଲାଗେ ତା’ ପ୍ରାୟତଃ ଠିକ୍ ନ ଥାଏ। ଏଥିକୁ ଅନୁଶୀଳନ, ଅନୁଭବ ଓ ଜ୍ଞାନ ଲୋଡ଼ା। ସେଥିପାଇଁ ବାହାର ଦେଖାରେ ଭଳିଥିବା ଲୋକଗୁଡ଼ା ହପ୍ପାରେ, ଠକାମିରେ ପଡ଼ନ୍ତି। ଦେଖୁନାହାନ୍ତି, ସୁନାଟେ କିଣିଲା ବେଳେ କି ବନ୍ଧା ରଖିଲା ବେଳେ, ଆମେ କେମିତି ବଣିଆ ପାଖୁ ଧାଉଁ! ସେଇଥିପାଇଁ ତ କୁହାଯାଇଛି ‘‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ’’। ଆଉ ବି କୁହାଯାଇଛି, ‘‘ଲୋକ ନ ଚିହ୍ନିବ ଖାଲି କଥାରୁ, ବାବୁ ନ ଚିହ୍ନିବ ଛତା ଜୋତାରୁ, ସାଧୁ ନ ଚିହ୍ନିବ ଚିତାକଟାରୁ, ଥରେ ବୁଲି ଆସ କଲିକତାରୁ’’। ପୁଅ ଝିଅ ବିଭାବେଳେ, ସେମିତି ହପ୍ପାରେ ପଡ଼ି ବାଡ଼େଇଛାଟି ହେଉଥିବା ବାପ ମା’ଙ୍କ ସଂଖ୍ୟା ତ ଢେର ଅଧିକ। ଆମ ଗାଁର ଜଟି ମହାପାତ୍ର ସେଦିନ ନିଜ ରାଜବାଟୀ ସମାନ ଘର ଛାଡ଼ି, ସ୍ତ୍ରୀକୁ ଧରି ତିନି କୋଶ ଦୂର ତାଙ୍କ ନୁଆଁଣିଆ ବଗିଚା ଘରକୁ ଚାଲିଯାଉଥିବା ବେଳେ, ଗାଁ ସାରା ତାଟକା ହୋଇଯାଇଥିଲେ। ଗାଁର ସେ ମୁରବି ଥିଲେ ଜାଣ। ବୋହୂ ଦୌରାତ୍ମ୍ୟ ଓ ପୁଅର ମାଇପି ବୋଲକରା ଗୁଣରୁ ସେ ଶେଷରେ ଘର ଛାଡ଼ିଦେଲେ। ଶାନ୍ତିରେ ଶେଷ ଜୀବନ କଟାଇବେ ପରା! ନିଜ ସଙ୍ଗାତ ବଟ ମିଶ୍ରକୁ କହିଲେ, ‘‘ଆରେ ବଟିଆ, ବଡ଼ଲୋକ ଘରୁ ଝିଅଟା ଆଣିଲି। ଭାବିଲି ଲକ୍ଷ୍ମୀଟେ ହୋଇଥିବ। ଏଡ଼େ ଉପରମୁହଁି ଓ କାଳିକାନି ବୋଲି କ’ଣ ଜାଣି ପାରିଲି?’’ ବଟ ମିଶ୍ର କହିଲେ, ‘‘ଆରେ, ସେ କଥା କ’ଣ କହୁଛୁ, ତୋ ନିଜ ପୁଅଟାକୁ ଦେଖୁନୁ। ପୂରା ମାଇପି ବୋଲକରା, ମାଇଚିଆଟେ। ‘‘ଅଣ୍ଟି ସୁନା ତ ଭେଣ୍ଡି, ବଣିଆ ସହ ଚୁଟି ଝିଙ୍କାଝିଙ୍କି କିଆଁ? ନିଜ ପୁଅକୁ ତ ବାଗେଇ ପାରିଲୁ ନାହିଁ, ଆଉ ପର ଝିଅ କଥା କ’ଣ କହୁଛୁ? ତା’ପରେ ବଡ଼ଲୋକିରେ କ’ଣ ଗୁଣ ଥାଏ? ‘ଭୋଗ’ର ଉଚ୍ଚାଟିଆ ମସଲା ସେଥିରେ ବରଂ ଭରା। ଆହୁରି ଭୋଗ, ଆହୁରି ଭୋଗରେ ତାଙ୍କ ମନ, ଚଇତନ ବାଇ, ଓଲିଆ। କଥାରେ ତ ଅଛି, ‘‘ଖାଇଲା ପୁଅ ଝିଅ ରଙ୍କ।’’ ଜଟି ମହାପାତ୍ର ଚାଲିଯାଉଥିବା ବେଳେ ଫକିରା ବାୟା, ‘‘ଆହା ଆହା ଚୁଚୁ’’ ହେଉଥିବା ଲୋକଗୁଡ଼ାଙ୍କୁ କହିଲା, ‘‘ଆରେ ତମେଗୁଡ଼ା ବି ବାଇଆ। ନିଜ ଘର ସମ୍ଭାଳି ପାରି ନ ଥିବା ଲୋକଟା ଗାଁର ମୁରବି ହୋଇଥିଲା କେମିତି? ଦେଖୁନ ଏଇଲେ ଗାଁ ଅବସ୍ଥା!’’ ଫକିରା ଆଡ଼ବାଇଆ, ତା’ ପାଟିରେ ବାଡ଼ ବତା ନ ଥାଏ। ତା’ର କିନ୍ତୁ ମାଡ଼କୁ ଡର। ଘନିଆ ଗୁଣ୍ଡାଟେ ହେଲେ ବି ତା’ ଆଖିରେ ଲୁହ ଜକେଇ ଆସିଥିଲା ଜଟି ମହାପାତ୍ର ଗାଁ ଛାଡ଼ିବାରେ। ଗାମୁଛାରେ ଆଖି ପତାକୁ ଛାପିଦେଇ, ଏଡ଼େ ଆଖିରେ ଫକିରା ଆଡ଼େ ଚାହିଁଲା। କହିଲା, ‘‘ଦେବି ଯେ ଗୋଟେ ବତିଶ ଫାଳିଆ ବିଧା, ଶଳାର ବାଇଆମି ଛାଡ଼ିଯିବ।’’ ଫକିରାର ତାକୁ ଭାରି ଡର। ସେ ଚାଲିଯାଉଥିବା ବେଳେ କହିଲା, ‘‘ଆରେ ଗୁଣ୍ଡାମିରେ ପାଟି କେତେ ଚୁପ୍ କରି ସତକୁ ଢାଙ୍କିବ? ବଳ ଅଛି ତ ଜଟି ମହାପାତ୍ରକୁ ଫେରଉନୁ? କାଣୀ ବିଲେଇ ସବୁବେଳେ ଅସରପା ଉପରେ ଗେରସ୍ତ, ବୁଝିଲ ଘନ ମଉସା।’’ ସତରେ କାଳ ବଦଳି ଯାଇଛି। ‘‘ନର ମାୟା ନାରାୟଣଙ୍କୁ ଅଗୋଚର’’ ଭାବ ଏବେ ସଭିଙ୍କୁ ଗ୍ରାସିଛି। କି ଛଳନା, କି ଭଣ୍ଡାମି ଏଇ ଯୁଗରେ ମ! ଦେଖୁନାହାନ୍ତି, ପିତାମାତାଙ୍କୁ ଚଳନ୍ତି ଦେବତା ମାନୁଥିବା ଏ ଦେଶରେ, ଏବେ ହଡ଼ା ବଳଦକୁ କଂସେଇକି ବିକିବା ପରି, ବୁଢ଼ା ବାପ ମା’ ଅଦରକାରୀ ହୋଇପଡ଼ିଛନ୍ତି। ବର୍ତ୍ତମାନ ‘ବୃଦ୍ଧାଶ୍ରମ’ ଖୁନ୍ଦା ହୋଇଗଲାଣି। ଏ ଦେଶ ପାଇଁ ୟେ ବିସ୍ମୟ। ଛାଡ଼ନ୍ତୁ ସେ କଥା। ନିଜ ପେଟରୁ, ନିଜ ରକତରୁ ସୃଷ୍ଟ ପୁଅ ଝିଅଙ୍କୁ ବି ବାପ, ମା’ ଚିହ୍ନି ପାରୁନାହାନ୍ତି, ଆଉ କଥା କ’ଣ କହିବା? ୟେ ତ ବ୍ୟକ୍ତିଗତ ଜୀବନରେ ଅନୁଭବର କଥା। ପୁରାଣ ଯୁଗରେ ସୀତା ମା’, ଯୋଗୀ ବେଶର ରାବଣକୁ କୁ ଚିହ୍ନି ପାରିଲେ? ତା’ କଥାରେ ଭଳିଯାଇ, ଲକ୍ଷ୍ମଣରେଖା ଡେଇଁ, ଭିକ୍ଷା ଦେଇ କେମିତି ନିଜେ ଭାଗ୍ୟ-ଭିକାରୁଣୀ ବନିଗଲେ ତା’ ଲୁହବୁହା ରାମାୟଣର କଥା। ସେମିତି ସୁନା ମୃଗକୁ ଦେଖି, ସୀତାଙ୍କ ଆଗ୍ରହରେ ଅନ୍ଧ ହୋଇ ରାମ ତା’ ପଛେ ପଛେ ଧାଇଁଲେ। ସେ ମଲାପରେ ଜାଣିଲେ ଏଇଟା ମାୟାବୀ ରାକ୍ଷସ ମାରୀଚଟା। ଜାଣିଲା ବେଳକୁ ଲେଡ଼ିଗୁଡ଼ କହୁଣିକି ବୋହି ଯାଇଥିଲା। ସୀତା ଚୋରି ହୋଇଯାଇଥିଲେ। କୁହା ତ ଗଲା, ‘‘ହେମ କୁରଙ୍ଗୀ ନ ଚ ପୂର୍ବବାର୍ତ୍ତା, ନ ଶ୍ରୁୟତେ ବେଦେ ପୁରାଣଶାସ୍ତ୍ର, ତଥାପି ଦୃଷ୍ଟ୍ବା ରଘୁନନ୍ଦନସ୍ୟ ବିନାଶ କାଳେ ବିପରୀତ ବୁଦ୍ଧିଃ’’। ଭୀମସେନଙ୍କର ବି ସେମିତି ଭ୍ରମ ହୋଇଥିଲା। ରାଜ୍ୟରେ ମରୁଡ଼ି ପଡ଼ିଲା, ଲୋକେ ଅନାହାରରେ ମରିବେ, ଏ କଥା କେମିତି ସମ୍ଭବ? ଧର୍ମରାଜ ଯୁଧିଷ୍ଠିରଙ୍କ ଛାତି ଫାଟିଯାଉଥାଏ। ସିଏ ଭୋଟନିଆ ଆଜିର ମନ୍ତ୍ରୀ-ରଜା ନୁହନ୍ତି, ଏଗୁଡ଼ାକ ତ ସବୁବେଳେ ଚିତାକଟା କୁମ୍ପାନୀର। ‘‘କହିବ କୋମଳ ବଚନ, ଚିତା କାଟିବ ଘନଘନ’’ ମନ୍ତ୍ରରେ ଅଭିମନ୍ତ୍ରିତ। ଭୀମସେନଙ୍କୁ ସେ ଧନପତି କୁବେରଙ୍କ ପାଖୁ ପଠାଇଲେ ହଜାର ଭରଣ ଧାନ ମାଗିବାକୁ, ଭୀମସେନ ଅଗତ୍ୟା ଗଲେ। ଭାବୁଥିଲେ କେଡ଼େ ଧନୀ ସେ! କେମିତି ହୋଇଥିବେ! ମାତ୍ର ଯାହା ଦେଖିଲେ, ତାଙ୍କ ଆଖି ଖୋସି ହୋଇଗଲା। ଭାବିଲେ, ଆରେ ଏଇଟା କି ଧାନ ଦେବ? ମୂଷାଲଣ୍ଡିରୁ ଧାନ ବାଛୁଛି। ୟେ କୁବେର ନ ହୋଇପାରନ୍ତି ବି। କୁବେରଙ୍କ ଖମାରି ଅବା ହୋଇଥିବ ଭାବି ପଚାରିଲେ, ‘‘ରାଜା ଯୁଧିଷ୍ଠିରଙ୍କ ପ୍ରେରିତ ତାଙ୍କ ସାନ ଭାଇ ଭୀମସେନ ମୁଁ, କୁବେରଙ୍କ ସହ ସାକ୍ଷାତର ଅଭିପ୍ରାୟ।’’ ଠିଆ ହୋଇପଡ଼ିଲେ କୁବେର, ବଡ଼ ବିନୟର ସହ ପ୍ରଣାମ କରି, ନିଜେ କୁବେର ବୋଲି ପରିଚୟ ଦେଇ, ଆସିବାର କାରଣ ପଚାରିଲେ। କ’ଣ ବା କହିବେ, ମୂଷା ଲଣ୍ଡିରୁ ଧାନ ବାଛୁଥିବା ଏ କୃପଣ, ୟେ ତ ଆଉ ନକଲି କୁବେର ନୁହନ୍ତି! କହିଲେ ‘‘ଆପଣ ସ୍ବୟଂ କୁବେର ମହାରାଜ’’। ରାଜ୍ୟରେ ମରୁଡ଼ି ପଡ଼ିଛି। ଖାଦ୍ୟାଭାବରେ ଲୋକେ କଷ୍ଟ ପାଉଛନ୍ତି। ଆପଣଙ୍କ ଠାରୁ ଧାନ ଭିକ୍ଷା କରିବାକୁ ରାଜା ଯୁଧିଷ୍ଠିର ମତେ ପଠାଇଛନ୍ତି।’’ କହିଲେ, ‘‘ୟେ ତ ମୋର ପରମ ସୌଭାଗ୍ୟ। ଧନ ସଞ୍ଚୁଛୁ, ରୋଜଗାର କରୁଛୁ, ଲୋକଙ୍କ ସେବା ପାଇଁ। ଅନ୍ୟଥା ଚୋରି ବିବେଚିତ ହେବ। ଭୀମସେନଙ୍କ କହିବା ମୁତାବକ ଏକ ହଜାର ଭରଣ ଧାନ ବହୁ ଶଗଡ଼ରେ ବୋଝେଇ କରି ପଠାଇଲେ। ହଠାତ୍ ବାଟରେ ବର୍ଷା ହେଲା। ଶୁଖିଲା ମାଟି ସଡ଼କ କାଦୁଆ ତ ହେଲାନାହିଁ, ଧାନଶଗଡ଼ମାନ ସେଥିରେ ଦବିଗଲା। ଯୁଧିଷ୍ଠିରଙ୍କ ଆଦେଶରେ କୁଣ୍ଠିତ ଭୀମ ଏ ଖବର ଧନପତି କୁବେରଙ୍କୁ ଜଣାଇଲେ, ଭାବିଲେ କୁବେର ଖପ୍ପା ହୋଇଯିବେ। ମାତ୍ର ଢେର ଆଶ୍ବାସନା ଭାବରେ କହିଲେ, ‘‘ଆପଣ ସମସ୍ତ ଧାନ ସେଇ କାଦୁଅ ରାସ୍ତାରେ ଢାଳି ଦିଅନ୍ତୁ ଓ ମୁଁ ଆଉ ଧାନ ଶଗଡ଼ ପଠାଉଛି, ସେ ଶଗଡ଼ ସେଇ ଧାନ ବିଛା ରାସ୍ତାରେ ବେଶ୍ ଚାଲିଯିବ।’’ ବିସ୍ମିତ ଭୀମ କିନ୍ତୁ କୁବେରଙ୍କ ଏ ମାନସିକତାର ଟେର ପାଇପାରୁ ନ ଥା’ନ୍ତି। ତାଙ୍କ ପାଖୁ ପୁଣି ଫେରିଲେ, ଏଥର ହାତ ଯୋଡ଼ିଦେଲେ। କହିଲେ ‘‘ମୂଷାଲଣ୍ଡିରୁ, ଗାତରୁ ଧାନ ବାଛୁଥିବା ଜଣେ ହଜାର ହଜାର ଭରଣ ଧାନ ଦେଇ ଦେଇପାରେ, ଫିଙ୍ଗିଦେଇ ବି ପାରେ!’’ ସ୍ମିତ ହସି କୁବେର କହିଲେ, ‘‘ପାଣ୍ଡବ ଗୌରବ ହେ ଭୀମସେନଜୀ, ଧନର ବିନର୍ବ୍ୟୟ ଓ ଅକାରଣ ଖର୍ଚ୍ଚ ଧନାଗମର ପ୍ରତିକୂଳ, ଅଲକ୍ଷଣା ଓ ଦାରିଦ୍ର୍ୟର ୟେ ଲକ୍ଷଣ।’’
ଏ କଥା ମନକୁ ଆସିଲାବେଳେ, ଦିନେ ନୌବାଣିଜ୍ୟରେ, କୃଷିରେ ଏ ରାଜ୍ୟର ଉତ୍କର୍ଷତା କଥା ମନକୁ ଆସୁଛି। କୋଣାର୍କରେ ଖୋଦିତ ଉତ୍କଳର ଗୌରବ ଗାଥାକୁ ଦେଖି ନୀଳକଣ୍ଠ ସେଦିନ ଲେଖିଥିଲେ, ‘‘କହ କହ ବୀରେ ଉଠିବ ଶିଳାରୂପ ବରଜି, ଥରେ ହେଲେ ଫୁଙ୍କି ଦିଅନ୍ତ ଭେରି ଉଠୁ ଗରଜି। ଦୂର ଗିରି ବନ ସାଗର ହେଉ ପ୍ରତିଧ୍ବନିତ, କୃଷକ ସଇନି ଗରବେ ଭୂମି ହେଉ କମ୍ପିତ।’’ ସତରେ କୁଆଡ଼େ ଗଲା ସେ ଉତ୍କଳୀୟ ଶୌର୍ଯ୍ୟ, ବୀର୍ଯ୍ୟ, କାଇଁ ଏ ସ୍ପର୍ଦ୍ଧିତ କୃଷକ? କୁହାଯାଉଥିଲା ‘‘ବାଣିଜ୍ୟେ ବସତି ଲକ୍ଷ୍ମୀଃ ତଦର୍ଦ୍ଧଂ କୃଷି କର୍ମଣି’’। କାଇଁ ସେ କଥା? କୃଷକ ଆଜି ଭିକାରି। ଋଣ ଜାଲରେ ଛଟପଟ। ଭୋଟ ସୌଦାଗର ଏ ନେତାମାନେ ଏବେ କୃଷିନୀତି ଘୋଷଣା କରିଛନ୍ତି। ତାଙ୍କ ଖାତାକୁ କାଳିଆ ନେଳିଆ ଯୋଜନାରେ ଶହଶହ ଟଙ୍କା ପଇଠ କରି ତାଙ୍କୁ ମାନସିକ ଭିକାରି ଓ ବନ୍ଧକ ବନେଇ ଦେଇଛନ୍ତି। କୃଷକମାନେ ତାଙ୍କ ଅମଳକୁ ସାଇତି ରଖିଲେ, ତା’ର ବର୍ଦ୍ଧିତ ମୂଲ୍ୟ ପାଇ ପାରନ୍ତେ ଯାହା ଦଲାଲ୍ମାନେ ମଝିରୁ ମାରି ନେଉଛନ୍ତି। ତେଣୁ ରାଜ୍ୟରେ ଶୀତଳ ଭଣ୍ଡାର କୋଟି କୋଟି ଟଙ୍କାରେ ସରକାର ଛାଇଦେଲେ, କମ୍ ଦାମ୍ରେ ଫସଲ ସଂରକ୍ଷଣର ବି ସୁବିଧା ହୋଇଗଲା। ଏବେ ତ ଦଲାଲ ମଲେ! ମାତ୍ର ଚାଷୀ ମରିବେ ସିନା ଦଲାଲ କୋଉ ମରିବେ? ଏଗୁଡ଼ା ଅମରୀ ଲଟା କିସମର। ପେଞ୍ଚ ପାଞ୍ଚ କରି ଶୀତଳ ଭଣ୍ଡାର ସବୁ ଅକାମୀ, ଅଚଳ କରିଦେଲେ। ‘‘ମୂଳୁ ମାଇଲେ ଯିବ ସରି…’’। ଶୀତଳ ଭଣ୍ଡାର ଆଉ କୋଉ ଥିବ ଯେ ଚାଷୀଏ ଗୋଡ଼ ଲମ୍ବେଇବେ? ରାଜ୍ୟରେ ପ୍ରାୟ ସବୁ ଶୀତଳ ଭଣ୍ଡାର ଅଚଳ, ଅକାମୀ। ସମବାୟ ମନ୍ତ୍ରୀ ଓ ଢେର ଲୋକପ୍ରିୟ ନେତା ବାବୁ ରଣେନ୍ଦ୍ର ପ୍ରତାପଙ୍କ ନିର୍ବାଚନ ମଣ୍ଡଳୀକୁ ଇସ୍ତମାରି ପଟା କରିଦେଇଥିବା ଏଇ ମାନନୀୟ ମନ୍ତ୍ରୀ ମହୋଦୟଙ୍କ ମଣ୍ଡଳୀରେ ଜାନକୀବାବୁ ଗୋଟେ ଶୀତଳ ଭଣ୍ଡାର ତାଙ୍କ ରାଜୁତିରେ କରିଥିଲେ। ତା’ ତ କୋଉ ଯୁଗରୁ ପଡ଼ିଛି। ବିସ୍ମୟ ଲାଗୁଛି ଖୋଦ ସମବାୟ ମନ୍ତ୍ରୀଙ୍କ ଏ ଶୀତଳଭଣ୍ଡାର କଂକ୍ରିଟ ଛାତ ଉପରେ ଦଶ-ପନ୍ଦର ଫୁଟର ଗଛ ଠିଆ ହୋଇ ‘ବଣ’ର ଭ୍ରମ ସୃଷ୍ଟି କରିଛି। ଏଗୁଡ଼ାକ ହେଲେ ଉପୁଡ଼ା ଯାଇପାରନ୍ତାନି? ଶୀତଳ ଭଣ୍ଡାର କେବଳ ନୁହଁ; ତାଙ୍କ ନିର୍ବାଚନ ମଣ୍ଡଳୀରେ ସମସ୍ତ ସମବାୟ ସଂସ୍ଥା ଏବେ ମୃତ, ମୁମୂର୍ଷୁ। ତାଙ୍କ ନିର୍ବାଚନ ମଣ୍ଡଳୀରେ ଯେ ତା’ ଘଟିଛି ତା’ ନୁହଁ, ରାଇଜସାରା ଏଇ ଅବସ୍ଥା। ସରକାର କିନ୍ତୁ କୃଷି ନୀତି, ସମବାୟ ନୀତି ଘୋଷଣା କରି ଚାଲିଛନ୍ତି। ସମବାୟ ମନ୍ତ୍ରୀଙ୍କ ଅଞ୍ଚଳରେ କୃଷିଋଣ, କୃଷି ରିଆତି ସବୁ କେମିତି ଜାଲିଆତିରେ ଚାଲିଛି, ତା’ ଏବେ ପ୍ରକାଶ ପାଉଛି। ମାତ୍ର କ’ଣ ହେବ?
ବିଶ୍ବ ମିତବ୍ୟୟିତା ଦିବସ ବିଷୟରେ ବାର୍ତ୍ତା ଦେଇ ମାନନୀୟ ନବୀନଜୀ କହିଲେ, ‘‘ମିତବ୍ୟୟିତାକୁ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଅନୁରୋଧ କରୁଛି।’’ ଧନଶାଳୀ ହେବାର ମନ୍ତ୍ରଟିଏ ୟେ। କଥା ତ ଅଛି ‘‘କିଂ କଣସ୍ୟ କୁତୋଧନଂ, କିଂ କ୍ଷଣସ୍ୟ କୁତୋ ବିଦ୍ୟା।’’ ମାତ୍ର ତାଙ୍କ ସରକାର କ’ଣ କରୁଛନ୍ତି? କୋଟି କୋଟି ଟଙ୍କାରେ ନିର୍ମିତ ୧୨୭ ଶୀତଳ ଭଣ୍ଡାର ମଧ୍ୟରୁ ଏବେ ସରକାରୀ ହିସାବରେ ୭୯ଟି ଭଣ୍ଡାର ଖତ ଖାଇ ସରକାରଙ୍କ ଯୋଜନାକୁ ଖତେଇ ହଉଛି। ଖାଲି ଶୀତଳ ଭଣ୍ଡାର ନୁହେଁ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଆକାଶଛୁଆଁ କରିବାର ପ୍ରଚାର ଚଳାଇଥିବା ‘ଫାଇବ-ଟି’ ଟିକେ ରାଜ୍ୟର ଥାନା ସବୁକୁ ଦେଖୁ ନାହାନ୍ତି। କୋଟି କୋଟି ଟଙ୍କାର ଗାଡ଼ି, ମଟର, ଟ୍ରକ, ମଟର ସାଇକଲ ଜବତ ନାଁରେ ସେଠି ପଡ଼ି କେମିତି ଖତ ଖାଉଛି। ତାକୁ ମାଟିରେ କିଆଁ ମିଶଉଛ, ଲୁହା ଦରରେ ବିକିଦେଉନ ହେଲେ, ବିଶ୍ବ ମିତବ୍ୟୟିତା ଦିବସରେ ୟେ ଉପହାର ଭଳି ଲାଗେ। ଯାହାକୁ ଲାଗୁଛି ଲାଗୁଥାଉ, ସରକାରଙ୍କୁ ଲାଗୁନି। କଥା ତ ଅଛି ‘‘ଲାଜ ନ ଥାଇ ଲଜଉଥାଉ, ଫଟା ମୁରଦଙ୍ଗ ବଜଉଥାଉ। ନିର୍ଲଜ୍ଜ ଲାଉ ଟେକିଟାକି ଦେଲେ ପିଢ଼ାକୁ ଯାଉ, ଡଙ୍କଥିଲେ ମେଲିଥାଉ।’’
Comments are closed.