www.samajalive.in
Monday, December 8, 2025
14.1 C
Bhubaneswar

ବିନା ଭକ୍ତ ଓ ରକ୍ତରେ ହେଲା ଛତର ଯାତ୍ରା: ମୁଖ୍ୟ ରାସ୍ତାରେ ବଳି ବନ୍ଦ; ଘର ସମ୍ମୁଖରେ ବଳିଦେଲେ ମାନସିକଧାରୀ

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆଜି ବିନା ଭକ୍ତ ଓ ରକ୍ତରେ ପାଳିତ ହୋଇଯାଇଛି। ଭବାନୀପାଟଣା ସହରର ୪ କିମି ମୁଖ୍ୟ ରାଜରାସ୍ତା ଉପରେ ମା’ ମାଣିକେଶ୍ୱରୀ ବିନା ଭକ୍ତଙ୍କ ଗହଣରେ କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟ ମନ୍ଦିରକୁ ବାହାରି ଛତର ଯାତ୍ରାରେ ଯାଇଥିଲେ।
ଶୁକ୍ରବାର ମହାଅଷ୍ଟମୀ ମଧ୍ୟରାତ୍ରିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ)ଙ୍କ ସମ୍ମୁଖରେ ପୋଢବଳି ଦିଆଯାଇଥିଲା। ଏହା ପରେ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଭୋର ପ୍ରାୟ ୪ଟା ୧୫ମି. ସମୟରେ ଭବାନୀପାଟଣାର ପଶ୍ଚିମ ଦିଗରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯାଇଥିଲା। ଶନିବାର ପ୍ରାତଃକାଳରେ ଜେନାଖାଲରେ ରୀତିନୀତି ଅନୁଯାୟୀ ବୋଦା ବଳି ଓ ଗୁପ୍ତ ପୂଜା ପରେ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ବିନା ଭକ୍ତ ଓ ରକ୍ତରେ ମୁଖ୍ୟ ୨୬ ନମ୍ବର ଜାତୀୟ ରାଜପଥର ୪ କିମି ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମକରି ମା’ଙ୍କୁ କୌଣସି ଭକ୍ତ ନିଜର ମାନସିକ କରିଥିବା ଛିଟକନା, ବେଲପତ୍ର, ମନ୍ଦାରଫୁଲ ମାଳ ଚଢାଇ ପାରିନଥିଲା।
ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯେଉଁ ମୁଖ୍ୟରାସ୍ତା ଓ ସଂଯୋଗୀ ରାସ୍ତା ଗୁଡିକ ରକ୍ତରଞ୍ଜିତ ହୋଇଯାଉଥିଲା, ତାହା ଆଜି ଶୁଖିଲା ପଡିଥିଲା। ପୂର୍ବର ମା’ ରକ୍ତ ଉପରେ ଝୁମି ଝୁମି ନିଜ ମନ୍ଦିରକୁ ଫେରୁଥିବା ବେଳେ ଆଜି କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ରାସ୍ତା ଭକ୍ତ ଓ ରକ୍ତ ବିନା ଖାଁ ଖାଁ ଲାଗୁଥିଲା।  ତେବେ ପ୍ରଶାସନର କଟକଣାକୁ ଖାତିର ନକରି କିଛି ମାନସିକଧାରୀ ଭକ୍ତ ନିଜ ଘର ସମ୍ମୁଖରେ ପୂଜାର୍ଚ୍ଚନା କରିବା ସହ ବଳି ଦେଉଥିବା ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ପ୍ରଶାସନର କଟକଣା ଯୋଗୁଁ ଛତର ସମ୍ମୁଖରେ କେବଳ ରାଜଉଆସ ଦ୍ୱାରା ନିମନ୍ତ୍ରିତ ଘୁମୁରା ଦଳକୁ ଛାଡି ଦେଲେ ଅନ୍ୟ କୌଣସି ସାଂସ୍କୃତିକ ଦଳ ଭାଗ ନେଇ ପାରିନଥିଲେ।
ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାର ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମା’ଙ୍କ ଛତରକୁ ପୂଜକ ମଧୁସୂଦନ ବେହେରା ବହନ କରିଥିବା ବେଳେ ଧବଳେଶ୍ୱର ବାହୁ ପାଟ୍ଟଖଣ୍ଡା ବହନ କରିଥିଲେ। ଜିଲାପାଳ ଗାଭିଲ ପରାଗ ହର୍ଷଦ, ଏସ୍‌ପି ବାତୁଲା ଗଙ୍ଗାଧର, ଭବାନୀପାଟଣା ଉପଜିଲାପାଳ ସୁଶାନ୍ତ ସିଂ, ଅତିରିକ୍ତ ଏସ୍‌ପି ମଣି ପାତ୍ର, ଏସ୍‌ଡିପିଓ ଭବାନୀପାଟଣା, ଟାଉନ୍‌ ଥାନା ଆଇଆଇସି ସତ୍ୟ ନାରାୟଣ ନନ୍ଦ,  ଲୋକ ସମ୍ପର୍କ ବିଭାଗ ଭାରପ୍ରାପ୍ତ ଅଧିକାରୀ ତଥା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏପିଡି ବିମ୍ବାଧର ସାହୁଙ୍କ ସମେତ ମାଜିଷ୍ଟ୍ରେଟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବାକୁ ମିଳିଥିଲା।
ପ୍ରଶାସନ ତରଫରୁ ଗତକାଲିଠାରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବା ସହ ସହରକୁ ସଂଯୋଗ କରୁଥିବା ୪୫ଟି ରାସ୍ତାକୁ ସିଲ୍‌ କରିଦିଆଯାଇଥିଲା।
ସହରକୁ ବାହାରୁ କୌଣସି ଗାଡି ମଟର ଓ ଜନସାଧାରଣକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ସେହିପରି ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ଓ ଜେନାଖାଲ ପଡା ଠାରୁ ପରଦେଶୀପଡା, ନୂଆ ବସ୍‌ଷ୍ଟାଣ୍ଡ, ଘୋଡାଘାଟ ଛକ, ପ୍ୟାଲେସରୋଡ (ଜଗନ୍ନାଥ ମନ୍ଦିର ପଡା), ମାଣିକେଶ୍ୱରୀ ମନ୍ଦିର, ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯାଇ କୌଣସି ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଇନଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories