www.samajalive.in
Friday, December 12, 2025
16.1 C
Bhubaneswar

ବାଘମରା ନାଳରେ ପୋଲ ନିର୍ମାଣ ପାଇଁ ଚେଙ୍ଗୁଆବାସୀଙ୍କ ଦାବି

ବଡ଼ସାହି : ଚାଷୀ ତଥା ଚାଷ ପାଇଁ ସରକାର ପ୍ରଣୟନ କରୁଛନ୍ତି ବିଭିନ୍ନ ଯୋଜନା। ତେବେ ଉଭୟ ପାଇଁ ଜରୁରୀ ଗମନାଗମନ ବ୍ୟବସ୍ଥା। ଗମନାଗମନ ସୁବିଧା ଚାଷ କାର୍ଯ୍ୟ ପାଇଁ ଯେତିକି ଆବଶ୍ୟକ, ତା’ଠାରୁ ଅମଳ ଫସଲ ଯଥା ସମୟରେ ଘରକୁ ଆଣିବା ଓ ବିକ୍ରିବଟା କରିବା ସେତିକି ଗୁରୁତ୍ୱପୂର୍ଣ୍ଣ। ଗାଁ ଗଣ୍ଡାରେ ରାସ୍ତାଘାଟ ପାଇଁ ସଭିଏଁ ଚିନ୍ତିତ। ପରନ୍ତୁ ଚାଷଜମିକୁ ସବୁଦିନିଆ ଗମନାଗମନ ପାଇଁ ଦୃଷ୍ଟି ଦିଆଯାଉନଥିବାରୁ ପରିବର୍ତ୍ତିତ କୃଷି ଶୈଳୀ ଚାଷକାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଛି। ଯାହାର ଉଦାହାରଣ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଧୀନ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମରେ ଦେଖିବାକୁ ମିଳିଛି।

ଚେଙ୍ଗୁଆ ଗ୍ରାମରେ ବସବାସ କରୁଥିବା ପରିବାର ମଧ୍ୟରୁ ହାତଗଣତିଙ୍କୁ ଛାଡ଼ିଦେଳେ ସଭିଏଁ କୃଷକ। ଧାନ ଓ ଅଣଧାନ ଫସଲ ଚାଷ କରି ସମସ୍ତେ ନିଜର ପରିବାର ଚଳାଇଥାନ୍ତି। ଗଙ୍ଗାହାର ନଦୀ ସଂଲଗ୍ନରେ ଥିବା ଏହି ଗ୍ରାମବାସୀଙ୍କ ପାଳଜମି ଅତ୍ୟନ୍ତ ଉର୍ବର। ବର୍ଷରେ ୨/୩ଥର ଧାନ ଫସଲ ଅମଳ ସହିତ ଡ଼ାଲି ଜାତୀୟ ଓ ପନିପରିବା ଚାଷ ପାଇଁ ଅଞ୍ଚଳରେ ପରିଚିତ ଏହି ଗ୍ରାମ। ବାଲେଶ୍ୱର ଜିଲା ସୀମାନ୍ତରେ ଥିବାରୁ ରେମୁଣା, ନୀଳଗିରି ଓ ବାଲେଶ୍ୱର ପରିବା ବଜାରରେ ଚେଙ୍ଗୁଆ ଗ୍ରାମର ସତେଜ ପରିବା ଗ୍ରାହକଙ୍କ ପ୍ରଥମ ପସନ୍ଦ। ଋତୁକାଳୀନ ଚାଷ ପ୍ରାରମ୍ଭରେ ଗ୍ରାମର ଅଗ୍ରଣୀ ଚାଷୀ ସର୍ବପ୍ରଥମ ପନିପରିବା ଉତ୍ପାଦନ କରିଥାନ୍ତି। ଉଦାହରଣ ସ୍ୱରୂପ ଶୀତ ଋତୁ ପ୍ରବେଶ ପୂର୍ବରୁ ମୂଳା, କୋବି, ବିଲାତି ଓ ଧଣିଆପତ୍ର ଅମଳ। ତେବେ ଚାଷୀଙ୍କ ଦୁଃଖ ବାଘମରା ନାଳ। ଚେଙ୍ଗୁଆ ଆଦିବାସୀ ସାହିରୁ ପେରିକୁଲି ମୌଜାକୁ ସଂଯୋଗ କରୁଥିବା ଏମଜିଏନଆରଇଜିଏସ ସଡ଼କରେ ରହିଛି ଏହି ନାଳ। ସ୍ଥାୟୀ ପୋଲ ନିର୍ମାଣ ହେଉ ନଥିବାରୁ ଗ୍ରାମବାସୀ ବାଉଁଶ ପୋଲଟିଏ ନିର୍ମାଣ କରି ଚାଷଜମିକୁ ଯାଉଛନ୍ତି। ଚାଷକାର୍ଯ୍ୟରେ ସହାୟତା ଯୋଗାଉଥିବା ବଳଦ ନେବା ବେଳେ ପାଣିରେ ପଶି ଯିବାକୁ ପଡ଼ୁଛି। ବନ୍ୟାପରେ ଜୋକ ସାଲୁବାଲୁ ପାଇଁ ବଳଦ ଦେହରେ ଜୋକ କାଢୁକାଢ଼ୁ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। ଟ୍ରାକ୍ଟର ଓ ପାୱାରଟିଲର ତଥା ଅନ୍ୟାନ୍ୟ କୃଷିକାର୍ଯ୍ୟ ସମ୍ପାଦନ କରୁଥିବା ବର୍ତ୍ତମାନ ସମୟର ମେସିନ ମଧ୍ୟ ଚାଷଜମିକୁ ଯାଇପାରୁନି। ଫଳରେ ଖତ ନେବା, ହଳ କରିବା ଓ ଫସଲ ଅମଳ କରିବା କଷ୍ଟସାଧ୍ୟ ହେଲାଣି। ଯାହାଫଳରେ ଅମଳ ଫସଲ କ୍ଷେତରେ ସଢ଼ିବା ସାର ହେଉଛି। ସମସ୍ତ ଘଟଣାକୁ ନେଇ ସରପଞ୍ଚ ମଞ୍ଜୁ ସିଂ ବିଡ଼ିଓ କରୁଣାକର ଧିନ୍ଦାଙ୍କୁ ପୋଲ ନିର୍ମାଣ ପାଇଁ ଜଣାଇଥିଲେ। ବିଡ଼ିଓ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି। ତେବେ ନିର୍ମାଣ ହେବାକୁ ଥିବା ପୋଲର ଅଟକଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ କ୍ଷମତାରୁ ଅଧିକ ହୋଇଥିବାରୁ ସେ ଘଟଣା ଜିଲାପାଳଙ୍କ ଦୃଷ୍ଟିକୁ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ବାରିପଦା ଯାଇ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତିଙ୍କୁ ଭେଟି ବନ୍ୟାପ୍ରବଣ ଅଞ୍ଚଳର ଆବଶ୍ୟକତା ସମ୍ବନ୍ଧରେ ଅବଗତ କରିବା ସହିତ ଜିଲାପାଳଙ୍କୁ ପୋଲ ନିର୍ମାଣ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବାଇଧର ସିଂ, ଦିଲିପ କୁମାର ପ୍ରଧାନ, ହରିଶ୍ଚନ୍ଦ୍ର ସାମଲ, ହରେକୃଷ୍ଣ ପ୍ରଧାନ, ହରିହର ସାହୁ, ଗୁଣାକର ସାମଲ, ବିଶ୍ୱମ୍ବର ଦାସ, ଧିରେନ୍ଦ୍ର ମାଟିଆ ଓ ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଚାଷୀ ଯଥାଶୀଘ୍ର ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories