www.samajalive.in
Sunday, December 7, 2025
14.1 C
Bhubaneswar

ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଦ୍ୟୁଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ, ଆଉ ୧୫ଟି ସହରରେ ସ୍ଥାପିତ ହେବ ବାୟୁ ପ୍ରଦ୍ୟୁଷଣ ପରିଚାଳନା ଷ୍ଟେସନ

ଭୁବନେଶ୍ୱର: ନିର୍ଦ୍ଧାରିତ ସାଧାରଣ ସେବା ପ୍ରଦାନରେ ନୂତନମାନକ ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ବୋର୍ଡର ପରିଚାଳନା ପରିଷଦ ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦେଶ ଦେଇଛନ୍ତି।
ଶ୍ରୀ ତ୍ରିପାଠୀ କହିଥିଲେ ଯେ ଓଡ଼ିଶା ଖଣିଜ, ଜଙ୍ଗଲ ଓ ସାମୁଦ୍ରିକ ସମ୍ପଦରେ ଭରପୁର। ସେହି ଅନୁପାତରେ ରାଜ୍ୟ ମଧ୍ୟ ଶିଳ୍ପ ସମୃଦ୍ଧ ହେବା ଦରକାର। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ବ୍ୟବସରାୟ ଅନୁକୂଳ ବାତାବରଣ ବୃଦ୍ଧି ନିମନ୍ତେ ପ୍ରଦ୍ୟୁଷଣ ବୋର୍ଡ ନିଜର ସେବା ପ୍ରଦାନ କାର୍ଯ୍ୟକୁ ଅଧିକ ସରଳ ଓ ସୁଗମ କରିବା ଆବଶ୍ୟକ। ଏଥିପାଇଁ ପ୍ରକ୍ରିୟା ପୁନଃ ନିର୍ଦ୍ଧାରଣ ସହ ସଫ୍ଟୱେୟାର୍‍ ମାଧ୍ୟମରେ ‘ଅଫିସ୍‍ ଅଟୋମେସନ୍‍’ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ତେବେ ପ୍ରକ୍ରିୟା ସରଳୀକରଣବେଳେ ପରିବେଶ ସୁରକ୍ଷା ନିୟମର ଅନୁପାଳନ ସହ କୌଣସି ବୁଝାମଣା ନ କରିବା ପାଇଁ ମଧ୍ୟ ସେ ନିର୍ଦେଶ ଦେଇଥିଲେ। ଏହିନିମନ୍ତେ ତୁରନ୍ତ ନିର୍ଦ୍ଧିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟଶାସନ ସଚିବ ବୋର୍ଡର ସଦସ୍ୟ ସମ୍ପାଦକ ଡ.କେ.ମୁରୁଗେସାନ୍‍ଙ୍କୁ ନିର୍ଦେଶ ଦେଇଥିଲେ।
ବୋର୍ଡର କାର୍ଯ୍ୟ ଦକ୍ଷତା ବୃଦ୍ଧି କରି ସେବା ପ୍ରଦାନ ଓ କ୍ରମବର୍ଦ୍ଧିଷ୍ଣ ପ୍ରଦ୍ୟୁଷଣ ନିୟନ୍ତ୍ରଣରେ ନୂତନମାନକ ସ୍ଥାପନ କରିବାକୁ ମୁଖ୍ୟଶାସନ ସଚିବ ବୋର୍ଡଙ୍କୁ କହିଥିଲେ। ବିଭିନ୍ନ ପ୍ରମାଣପତ୍ର ଓ ସ୍ୱୀକୃତି ପ୍ରଦାନ ନିମନ୍ତେ ଉଦ୍ଧିଷ୍ଟ ଫର୍ମକୁ ସରଳ ଓ ସଂକ୍ଷିପ୍ତ କରିବା, କ୍ଷେତ୍ର ପରିଦର୍ଶନ ଓ ବିବରଣୀ ପ୍ରଦାନ ସମୟ କମାଇବା ଏବଂ ସବୁଦାୟ ପ୍ରକ୍ରିୟାକୁ ସଫ୍ଟୱେୟାର୍‍ ଦ୍ୱାରା ସ୍ୱୟଂକ୍ରିୟ କରି ପ୍ରକ୍ରିୟା ପୁନଃ-ନିର୍ଦ୍ଧାରଣ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ଅତ୍ୟାଧୁନିକ ‘ଉତ୍ପାଦନ ପ୍ରଯୁକ୍ତି ବିଦ୍ୟା’ ଏବଂ ‘ପ୍ରଦ୍ୟୁଷଣ ନିରାକରଣ ଉପାୟମାନ’ ଅବଲମ୍ବନ ନିଶ୍ଚିତ କରାଇ କ୍ରମ ବର୍ଦ୍ଧିଷ୍ଣୁ ପ୍ରଦ୍ୟୁଷଣ ନିରାକରଣ କରିବାକୁ ସେ ନିର୍ଦେଶ ଦେଇଥିଲେ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‍ ମୋଡ୍‍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦେଶକ ତଥା ବୋର୍ଡର ସଦସ୍ୟ ସମ୍ପାଦକ ଡ.ମୁରୁଗେସାନ୍‍ ବୋର୍ଡର କାର୍ଯ୍ୟକଳାପ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବିଭିନ୍ନ କାର୍ଯ୍ୟରେ ବୋର୍ଡର ଅଗ୍ରଗତି ସମୀକ୍ଷା କରି ନୂତନ ୧୫ଟି ପ୍ରଦ୍ୟୁଷଣ ସମ୍ବେଦନଶୀଳ ସହରରେ ସ୍ୱୟଂକ୍ରିୟ ବାୟୁ ପ୍ରଦ୍ୟୁଷଣ ପରିଚାଳନା ଷ୍ଟେସନ୍‍ ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସହରରେ ଏହି ୧୫ଟି ଷ୍ଟେସନ୍‍ ସ୍ଥାପନ ନିମନ୍ତେ ପରିବେଶ ନିର୍ଦେଶକ ଡ.ମୁରୁଗେସାନ୍‍ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ଏହିସବୁ ଷ୍ଟେସନ୍‍ରୁ ବହୁ ପରିମାଣରେ ସାଙ୍କେତିକ ତଥ୍ୟ ମିଳିବ। ସେସବୁର ବୈଜ୍ଞାନିକ ଅନୁଧ୍ୟାନ ଏବଂ ଅନୁଶୀଳନ କରି ଶିଳ୍ପାନୁଷ୍ଠାନ ଓ ନାଗରିକମାନଙ୍କ ଅବଗତି ଓ ସଚେତନତା ନିମନ୍ତେ ୱେବ୍‍ସାଇଟ୍‍ରେ ସନ୍ନିବଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମ୍ପ୍ରତି ବାୟୁ ଓ ଜଳର ସ୍ୱଚ୍ଛତାସ୍‍ତର ବିଷୟରେ ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ଏକ ୱେବ୍‍ ପୋର୍ଟାଲ୍‍ ପ୍ରସ୍ତୁତି ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା।
‘ପ୍ରକ୍ରିୟା ପୁନଃ-ନିର୍ଦ୍ଧାରଣ’ ଓ ‘ତ୍ୱରିତ ସେବା ପ୍ରଦାନ’ ସରଳୀକରଣର କାର୍ଯ୍ୟାନ୍ୱୟନ ନିମନ୍ତେ ସାପ୍ତାହିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ ସହ ଏହାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ସଦସ୍ୟ ସମ୍ପାଦକଙ୍କୁ ନିର୍ଦେଶ ଦେଇଥିଲେ। ଏକ ମାସ ମଧ୍ୟରେ ଏଥିରେ ଦୃଶ୍ୟମାନ ସଫଳତା ହାସଲ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories