www.samajalive.in
Friday, December 12, 2025
16.1 C
Bhubaneswar

ରାୟର ଆପତ୍ତିଜନକ ତର୍ଜମା; ତଦନ୍ତ କରିବ ସିବିଆଇ

ହାଇଦରାବାଦ : ନ୍ୟାୟପାଳିକା ଓ ବିଚାରପତିଙ୍କ ପ୍ରତି ସମ୍ମାନହାନିକାରକ ମନ୍ତବ୍ୟର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। ଅନେକ ରାୟକୁ ବିକୃତ ତର୍ଜମା ଓ ଆପତ୍ତିଜନକ ଭାବେ ଉପସ୍ଥାପନ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଉଛି। ଏହା ହାଇକୋର୍ଟର ସମ୍ମାନରେ ଆଞ୍ଚ ଆଣୁଛି। ହାଇକୋର୍ଟ ଏହାକୁ ନିନ୍ଦା କରିବା ସହ ଏଭଳି ମନ୍ତବ୍ୟ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ତଦନ୍ତ କରିବ ଏବଂ ସରକାର ଏଥିରେ ସହଯୋଗ କରିବେ ବୋଲି ନିର୍ଦେଶନାମାରେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ୪୯ଜଣ ରାଜନେତା ଓ ସାମାଜିକ କର୍ମୀଙ୍କୁ ନୋଟିସ ଜାରି କରିଛନ୍ତି। ଏମାନେ ସମସ୍ତେ ଶାସକ ଦଳ ୱାଇଏସ୍‌ଆର କଂଗ୍ରେସ ପାର୍ଟିର ନେତା ବା ସମର୍ଥକ। ସିବିଆଇ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ ସହିତ ୮ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ରାୟର ଆପତ୍ତିଜନକ ତର୍ଜମା ପ୍ରତି ଜଣେ ଆଇନଜୀବୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପ୍ରତି ରାଜ୍ୟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପୁଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଆବେଦନକାରୀ ସିବିଆଇ ତଦନ୍ତ ପାଇଁ ଆବେଦନରେ ଦାବି କରିଥିଲେ। ହାଇକୋର୍ଟ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବା ସହ ଏଭଳି ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟ ବିଚାରପତି ଏନ୍‌.ଭି ରମଣଙ୍କ ବିରୋଧରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ ବୋବଡେଙ୍କକୁ ପତ୍ର ଲେଖିବାର ଦିନକ ପରେ ହାଇକୋର୍ଟଙ୍କ ଆଭିମୁଖ୍ୟ ମହତ୍ତ୍ବପୂର୍ଣ୍ଣ ମନେ ହେଉଛି। ଜଗନ୍‌ ରବିବାର ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ବିଚାରପତି ଜଷ୍ଟିସ ରମଣଙ୍କ ପରାମର୍ଶକ୍ରମେ ତାଙ୍କ ନିର୍ବାଚିତ ସରକାର ବିରୋଧରେ କାମ କରୁଛନ୍ତି ଓ ସରକାର ଭାଙ୍ଗିବାକୁ ପ୍ରୟାସ ଚଳାଇଛନ୍ତି ବୋଲି ଅଭିଯୋଗ କରି ଚିଠି ଲେଖିଥିଲେ। ପ୍ରଧାନ ବିଚାରପତି ଏହି ପତ୍ର ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି; କାରଣ ଏଭଳି ଅଭିଯୋଗ ସୁପ୍ରିମକୋର୍ଟରେ ପ୍ରଥମ। ପ୍ରଧାନ ବିଚାରପତି ଏହି ଅଭିଯୋଗକୁ କୌଣସିମତେ ଚାପି ରଖିପାରିବେ ନାହିଁ। ଅନ୍ୟୂନ ପୂର୍ଣ୍ଣାଙ୍ଗ ପୀଠ ଡକାଇ ଏହା ଉପରେ ବିଚାରବିମର୍ଶ କରିବା ସହ ଚିଠିର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅପରପକ୍ଷରେ ଜଗନ୍‌ଙ୍କ ଚିଠି ଓ ସୋମବାରର ସିବିଆଇ ତଦନ୍ତ ନିର୍ଦେଶ ରାଜ୍ୟ ହାଇକୋର୍ଟ ଓ ସରକାରଙ୍କ ମଧ୍ୟରେ ବିବାଦକୁ ତୀବ୍ର କରିଥିବା କୁହାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories