୨୦୩୦ ସୁଦ୍ଧା ବିଶ୍ଵର ୪ର୍ଥ ବଡ଼ ଅର୍ଥବ୍ୟବସ୍ଥାର ଦେଶ ହେବ ଭାରତ, ୨୦୫୦ ସୁଦ୍ଧା ତୃତୀୟ ସ୍ଥାନ
ଆମେରିକାକୁ ଅତିକ୍ରମ କରି ଚୀନ ହେବ ବିଶ୍ଵର ବୃହତ୍ତମ ଅର୍ଥବ୍ୟବସ୍ଥା
ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶରେ ପରିଣତ ହେବ ଏବଂ ୨୦୫୦ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବ । ୨୧୦୦ ମସିହା ପର୍ଯ୍ୟନ୍ତ ନିଜର ସ୍ଥିତି ବଜାୟ ରଖିପାରିବ। ଅନ୍ୟପକ୍ଷରେ ବିଶ୍ଵର ବୃହତ୍ତମ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାକୁ ଚୀନ ଅତିକ୍ରମ କରି ଶୀର୍ଷସ୍ଥାନରେ ପହଞ୍ଚିବ । ୨୦୫୦ ସୁଦ୍ଧା ଚୀନ, ଆମେରିକା ଓ ଭାରତ ବିଶ୍ଵର ତିନି ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବେ । ବିଦେଶୀ ପତ୍ରିକା ‘ଲାନସେଟ୍’ ପକ୍ଷରୁ କରାଯାଇଛି ଏହି ଆକଳନ । ଦେଶର ମୋଟ ଜିଡିପି, ଜନସଂଖ୍ୟା, କାର୍ଯ୍ୟକ୍ଷମଙ୍କ ବୟସ ଆଧାରରେ କରାଯାଇଥିବା ସର୍ବେକ୍ଷଣକୁ ଆଧାର କରି ଲାନସେଟ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।
ଲାନସେଟ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ଚୀନ୍ର ଅର୍ଥବ୍ୟବସ୍ଥା ଆମେରିକାର ଅର୍ଥବ୍ୟବସ୍ଥାଠାରୁ ବଡ଼ ହେବ। ୨୦୧୭ କୁ ମୂଳ ବର୍ଷ ଭାବରେ ବିବେଚନା କରାଯାଇ ପତ୍ରିକା ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି । ୨୦୧୭ ରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ୱରେ ସପ୍ତମ ସ୍ଥାନରେ ରହିଥିଲା ଓ ୨୦୨୦ରେ ଏହା ୫ମ ସ୍ଥାନରେ ରହିଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର ଅର୍ଥବ୍ୟବସ୍ଥା ୪ର୍ଥ ସ୍ଥାନକୁ ଉନ୍ନୀତ ହେବ । ଆମେରିକା, ଚୀନ, ଜାପାନ ପରେ ଭାରତ ୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ପରିଣତ ହେବ । ତେବେ ୨୦୫୦ ବେଳକୁ ଭାରତ ଜାପାନକୁ ଓ ଚୀନ ଆମେରିକାକୁ ଅତିକ୍ରମ କରିବାକୁ ସକ୍ଷମ ହେବ । ଅର୍ଥାତ୍ ୨୦୫୦ରେ ଚୀନ ପ୍ରଥମ, ଆମେରିକା ଦ୍ବିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିବ । ଜାପାନ ୪ର୍ଥ, ଫ୍ରାନ୍ସ ୫ମ ଓ ଇଂଲଣ୍ଡ ୬ଷ୍ଠ ସ୍ଥାନ ଅଧିକାର କରିବ ବୋଲି ଲାନସେଟ୍ ପ୍ରକାଶ କରିଛି ।
ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ୨୦୪୭ ସୁଦ୍ଧା ଭାରତ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ବୋଲି ଆକଳନ କରିଛନ୍ତି । ସେହିପରି ଜାପାନ ସେଣ୍ଟର ଫର ଇକୋନୋମିକ ରିସର୍ଚର ଏକ ରିପୋର୍ଟରେ ୨୦୨୯ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ଆକଳନ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୫ ସୁଦ୍ଧା ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶରେ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି।
Comments are closed.