ଭୀମ ଭୋଇ ମେଡିକାଲରୁ ଭିଡିଓ ଭାଇରାଲ ଘଟଣା ; ଡ୍ୟୁଟି ସମୟରେ ଫୋନ ଖେଳରେ କେବେ ଲାଗିବ ଲଗାମ ?

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଠିକରେ ଚିକିତ୍ସା କରାଯାଉ ନାହିଁ ବୋଲି ମହିଳାଙ୍କ ଦ୍ୱାରା ଭିଡିଓ ଭାଇରାଲ ହେବା ପରେ ଜନସାଧାରଣରେ ନାନାଦି ପ୍ରଶ୍ନ ଉଠୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା କାଳରେ ଲୋକେ ସ୍ୱାସ୍ଥ୍ୟ ସେବା ତ ଦୂରରେ ଥାଉ ସେମାନଙ୍କ ସହ ଠିକରେ ପଦେ ଭଲ ବ୍ୟବହାର ଦେଇ କଥା ହେଉନଥିବାରୁ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ। ତେବେ ଏସବୁ ଭିତରେ ସବୁଠୁ ବଡ ପ୍ରସଙ୍ଗ ଉଠିଛି ଡାକ୍ତରଖାନାରେ ଡ୍ୟୁଟି ସମୟରେ ମୋବାଇଲ ଫୋନ ଖେଳିବା କେତେ ଯୁକ୍ତି ଯୁକ୍ତ। ଆଜିକାଲି ଅଧିକାଂଶ ଲୋକଙ୍କ ହାତରେ ସ୍ମାଟ୍ ଫୋନଟିଏ ସାଧାରଣ କଥା ହୋଇଥିବା ବେଳେ ଡାକ୍ତର, ନର୍ସ ତଥା ମେଡିକାଲ କର୍ମଚାରୀମାନେ ମଧ୍ୟ ଧରିବା କିଛି ବଡ କଥା ନୁହେଁ। ଯେତେ ଦୂରେ ଥିଲେ ମଧ୍ୟ ମୋବାଇଲ ଫୋନ ଯୋଗେ ଜରୁରୀ ସୂଚନା ଆଦାନ ପ୍ରଦାନ କରାଯାଇ ପାରୁଛି। ହେଲେ କୋଭିଡ ପାଇଁ ଥିବା ଆଇସିୟୁ ତଥା ଅତିସମ୍ବେଦନଶୀଳ ସ୍ଥାନରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଅନୁମତି ନାହିଁ। ଯଦି ଡାକ୍ତରଖାନାରେ ଏଭଳି ନିୟମ କାନୁନ ଥିବା ବେଳେ କେଉଁ ଆଧାରରେ ଡାକ୍ତର, ନର୍ସ ତଥା ମେଡିକାଲ କର୍ମଚାରୀମାନେ ତାକୁ ବ୍ୟବହାର କରୁଛନ୍ତି। ସେମାନଙ୍କୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି କି? କେଉଁ ପରିସ୍ଥିତିରେ ମୋବାଇଲ ଫୋନ ବ୍ୟବହାର କରିପାରିବେ ଓ କେଉଁଠି ହେବା ଦରକାର। ଏସବୁର ଅନେକ ପ୍ରଶ୍ନ ଭିତରେ କିନ୍ତୁ ଡ୍ୟୁଟି ଅପେକ୍ଷା ଟାଇମ ପାସ୍ ପାଇଁ ବ୍ୟବହାର କରୁଛନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି। ଅତି ସମ୍ବେଦନଶୀଳ କୁହାଯାଉଥିବା ଡାକ୍ତରଖାନାର ଆଇସିୟୁ ଭିତରେ ବ୍ୟକ୍ତିଗତ ମୋବାଇଲକୁ ବାଦ ଦେବା ପାଇଁ ଦାବି ହେଉଛି। ସେ ଡାକ୍ତର ହୁଅନ୍ତୁ କି ନର୍ସ। ଏସବୁ ପାଇଁ ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡ ଲାଇନ ଜାରି କରିବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଏହା ସହ ସିସି କ୍ୟାମେରା ଜରିଆରେ ମେଡିକାଲ ଅଧିକାରୀ, କର୍ମଚାରୀ ତଥା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଆଚରଣ ଓ ଉଚ୍ଚାରଣକୁ ତଦାରଖ କରିବା କଥା। ବଲାଙ୍ଗିର ଡାକ୍ତରଖାନା ଦିନକୁ ଦିନ ଅବ୍ୟବସ୍ଥା ବଢି ଚାଲିଥିବା ବେଳେ ମେଡିକାଲ କର୍ତ୍ତୁପକ୍ଷ ମଧ୍ୟ ହାତବାନ୍ଧି ବସିଛନ୍ତି। ଗୋଟିଏ ପଟେ କୋଭିଡ ପରିଚାଳନା ତୃଟିଗତ ଥିବା ବେଳେ ଯେଉଁ ରୋଗୀମାନେ ଆସୁଛନ୍ତି ତାଙ୍କୁ ଠିକଣା ସମୟରେ ଚିକିତ୍ସା କରାଯାଉ ନାହିଁ। ରାଜ୍ୟ ସରକାର ବଲାଙ୍ଗିର ମେଡିକାଲ କଲେଜ ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି।

Comments are closed.