ଶ୍ରୀମନ୍ଦିରରେ ପ୍ରଶାସକ ପଦ ଉଚ୍ଛେଦ କର : ଶଙ୍କରାଚାର୍ଯ୍ୟ
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଶାସକ ପଦ ଉଚ୍ଛେଦ କରି ପ୍ରବନ୍ଧକ ନିଯୁକ୍ତ କରିବାକୁ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଶରଧାବାଲିରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ ଯୋଗଦେଇ ସେ କହିଲେ ଶ୍ରୀମନ୍ଦିରକୁ ମହାଶୋଷଣର କେନ୍ଦ୍ର କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଶହ ଶହ ବର୍ଷର ନିଷେଧାଦେଶ ଉଲ୍ଲଘଂନ କଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ। ମନ୍ଦିର ପ୍ରତି ବିପଦର ଆଶଙ୍କା କରି ଗଜପତିଙ୍କ ପୂର୍ବଜ ସିଂହଦ୍ୱାର ନିକଟରେ ପତିତପାବନଙ୍କୁ ପ୍ରତିଷ୍ଠା କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଜାଣିବା ପାଇଁ ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶର ଆବଶ୍ୟକତା ନାହିଁ। ନୀଳଚକ୍ର ଦର୍ଶନ କଲେ
ମଧ୍ୟ ତାହା ମିଳିବ। ସର୍ବୋଚ୍ଚ ନ୍ୟାୟାଳୟ ହୁଅନ୍ତୁ ବା ସରକାର ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ ଅନୁଚିତ। ଏଥିପାଇଁ ଶଙ୍କରାଚାର୍ଯ୍ୟ ଅଧିକୃତ ଅଟନ୍ତି। ମଠମନ୍ଦିର ଜମିବାଡି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ କରି ପ୍ରଶାସନ ଶୋଷଣରାଜ କରିବାକୁ ଉଦ୍ୟମ କରୁଛି। ରାଜ୍ୟ ସରକାର ଶଙ୍କରାଚାର୍ଯ୍ୟଙ୍କୁ ଉପେକ୍ଷା କରୁଛନ୍ତି। ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ ଶାସନତନ୍ତ୍ରର ସୀମା ବାହାରେ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଶାସକ କିଏ ବୋଲି ଶଙ୍କରାଚାର୍ଯ୍ୟ ଶ୍ରୀ ସରସ୍ୱତୀ ପ୍ରଶ୍ନ କରିଛନ୍ତି। ତେଣୁ ପ୍ରଶାସକ ପଦବୀ ଉଚ୍ଛେଦ କରି ପ୍ରବନ୍ଧକ ନିଯୁକ୍ତ କରାଯିବା ସପକ୍ଷରେ ସେ ମତ ଦେଇଛନ୍ତି।
ରଥଯାତ୍ରାରେ ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ଉଲ୍ଲଘଂନ କରାଯାଉଥିବା ଗୁରୁଜୀ କହିଛନ୍ତି। ସେ କହିଲେ ଗୋଟିଏ ଦିନରେ ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇ ରାତିସୁଦ୍ଧା ଆଡ଼ପମଣ୍ଡପରେ ବିଜେ କରିବାର ବିଧି ରହିଛି। ପ୍ରଶାସନ ଏହାକୁ ଉଲ୍ଲଘଂନ କରି ଚାଲିଥିଲେ ମଧ୍ୟ ସେବକ ନିରବ ରହିଛନ୍ତି। ସଂଯୁକ୍ତ ରାଷ୍ଟ୍ର ବେଦକୁ ମାନ୍ୟତା ଦେଇଛି। ଭାରତ ସରକାର ବେଦର ପ୍ରଚାର ପ୍ରସାର ଦିଗରେ ଅବହେଳା କରୁଛନ୍ତି। ଶ୍ରୀମନ୍ଦିର ପ୍ରତିଷ୍ଠା ନେଇ ଐତିହାସିକ ତଥ୍ୟ ଲୁଚାଇବା ଏକ ଅପରାଧ। ଆଦିଶଙ୍କରାଚାର୍ଯ୍ୟ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ଭାରତର ଶିକ୍ଷା ଓ ରକ୍ଷା ନୀତି ନିଜସ୍ୱ ନୁହେଁ ବୋଲି ଗୁରୁଜୀ କହିଛନ୍ତି। ସେ କହିଲେ ଶାସ୍ତ୍ର ବିରୋଧୀ ମାର୍ଗ ପରିବର୍ତ୍ତେ ସରକାର ଶାସ୍ତ୍ରସମ୍ମତ ମାର୍ଗ ଆପଣାଇବା ଉଚିତ। ଗାନ୍ଧିଜୀଙ୍କ ସମାଧି ସହ ଶ୍ରୀମନ୍ଦିରକୁ ତୁଳନା କରାଯାଇ ପାରିବ ନାହିଁ। ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଏହା ମନେ ରଖିବା ଉଚିତ। ରାଧାବଲ୍ଲଭ ମଠ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ସମାବେଶରେ ମହନ୍ତ ରାମକୃଷ୍ଣ ଦାସ ସଭାପତିତ୍ୱ କରିଥିଲେ। ହରିହରାନନ୍ଦ ଗୁରୁକୁଳ ଆଶ୍ରମ ଅଧ୍ୟକ୍ଷ ସ୍ୱାମୀ ପ୍ରଜ୍ଞାନାନନ୍ଦ ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଡଃ ରାମଚରଣ ଦାସ, ମହନ୍ତ ସୁବଳ ଚରଣ ଦାସ, ମହନ୍ତ ଚିନ୍ତାମଣି ପର୍ବତ ଏବଂ ବ୍ରହ୍ମଚାରୀ ସତ୍ୟାନନ୍ଦ ଉଦ୍ବୋଧନ ଦେଇ ସ୍କନ୍ଧପୁରାଣ ପୁରୁଷୋତ୍ତମ ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।