କାଲି ମୌସୁମୀ ଅଧିବେଶନ: ୨୦୧୪ରୁ ଅଟକି ରହିଛି ମୋଦି ସରକାରଙ୍କ ୪୦ଟି ବିଲ୍‍

0

ନୂଆଦିଲ୍ଲୀ: ସଂସଦରେ ବୁଧବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅପରପକ୍ଷରେ ଗୃହ ଅଚଳ ଯୋଗୁଁ ଅଟକି ରହିଥିବା ଅଧ୍ୟାଦେଶ, ବିଲର ତାଲିକା ଲମ୍ବି ଚାଲିଛି। ୨୦୧୪ରୁ କେବଳ ୪୦ଟି ବିଲ ସଂସଦରେ ଗୃହିତ ହେବା ଅପେକ୍ଷାରେ ରହିଥିବାବେଳେ ଆଗାମୀ ଅଧିବେଶନରେ ଏସବୁ ଅନୁମୋଦିତ ହେବ ଏଭଳି ଆଶା କରାଯାଇ ପାରେ। ଅପରପକ୍ଷରେ ବିପକ୍ଷ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ରଣନୀତି ଆପଣେଇବେ ନିଶ୍ଚିତ। ଏଭଳି ପରିସ୍ଥିତିରେ ମୌସୁମୀ ଅଧିବେଶନ ଦୂର ସଫଳ ହେବ ଏହାକୁ ନେଇ ମଧ୍ୟ ଆଶଙ୍କା ରହିଛି। କେନ୍ଦ୍ରରେ ସରକାର ଗଠନ କରିବା ପରଠାରୁ ଲମ୍ବିତ ବିଲ୍‍ ତାଲିକା ମଧ୍ୟରୁ କେବଳ ୧୨ଟି ବିଲକୁ ଲୋକସଭାରେ ବହୁମତ ମିଳିଛି। ତେବେ ରାଜ୍ୟସଭାରେ ଉପରୋକ୍ତ ବିଲ ଅଟକି ରହିଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏନଡିଏ ବାକି ରହିଥିବା ବିଲ ଉଭୟ ଗୃହରେ ବହୁମତ ହାସଲ କରିବାକୁ ଉଦ୍ୟମ କରିବ, ଅପରପକ୍ଷରେ ବିରୋଧୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିବାର ରଣନୀତି ଆପଣେଇବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଅଧିବେଶନ ସଂସଦ ହୋ-ହଲ୍ଲା ମଧ୍ୟରେ ସମ୍ପନ୍ନ ହେବ ଏଭଳି ଆକଳନ କରାଯାଉଛି।
ଚଳିତ ବର୍ଷରେ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନି ତାଲାକ, ଭୂମି ଅଧିଗ୍ରହଣ, ଆରଟିଆଇ କର୍ମୀ ସୁରକ୍ଷା, ଟ୍ରାନ୍ସଜେଣ୍ଡର ଅଧିକାର, ଆର୍ଥିକ ଅପରାଧରେ ଫେରାର ଆଇନ, ନଦୀ ବିବାଦ ପରି ବିଲକୁ ଅନୁମୋଦନ କରିବାକୁ ଉଦ୍ୟମ କରିବ। ଏଥିମଧ୍ୟରୁ ତିନି ତାଲାକ ଓ ଭୂମି ଅଧିଗ୍ରହଣ ବିଲ ସରକାରଙ୍କ ପାଇଁ ଆଗାମୀ ନିର୍ବାଚନରେ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ସରକାର ସ୍ଥିର କରିଛନ୍ତି।
ଅପରପକ୍ଷରେ ରାଜ୍ୟରେ ପଡ଼ି ରହିଥିବା ବିଲଗୁଡ଼ିକ ବହୁମତ ସାବ୍ୟସ୍ତ କରିବା ସରକାରଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜରେ ପରିଣତ ହୋଇଛି। ରାଜ୍ୟ ସଭାରେ ଏନଡିଏ ପାଖରେ ସୀମିତ ଆସନ ରହିଛି। ବିଗତ ଦିନରେ ରାଜ୍ୟସଭାରେ ବ୍ୟାପକ ହାଙ୍ଗାମା ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ଭୂମି ଅଧିଗ୍ରହଣକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବାର ପ୍ରୟାସରେ ସରକାର କେତେ ଦୂର ସଫଳ ହେବେ ଏହାକୁ ନେଇ ଆଶଙ୍କା ରହିଛି।
ସେହିପରି ନାଗରିକତା ବିଲ ସରକାରଙ୍କ ପ୍ରମୁଖତା ମଧ୍ୟରେ ଅନ୍ୟତମ। ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରି ରହିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ବିଲର ଆବଶ୍ୟକତା ରହିଛି। ଆସାମ ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ଏଭଳି ବିଲକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ମୋଦୀ ସରକାର ଚେଷ୍ଟା ଚଲାଇଛନ୍ତି।
ମୋଦୀ ସରକାର ମୁସଲିମ ମହିଳାଙ୍କ ଅଧିକାରକୁ ବେଶ୍‍ ଗୁରୁତ୍ୱ ଦେଉଥିବାବେଳେ ଏହାକୁ କଂଗ୍ରେସ ସମର୍ଥନ କରିବାର ଆଶା କ୍ଷୀଣ ରହିଛି। ସେହିପରି ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆରୋପ ପ୍ରତ୍ୟାରୋପ ଅଧିବେଶନର କାର୍ଯ୍ୟକାରିତାକୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ଇ ଦିଆଯାଇ ନପାରେ।

Leave A Reply