www.samajalive.in
Saturday, December 6, 2025
23.1 C
Bhubaneswar

ୟୁରିଆ ଓ ପଟାସ ସାର ଅଭାବ, ଚାଷୀଙ୍କୁ ଲୁଟୁଛନ୍ତି ଦୋକାନୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସାରର କୃତ୍ରିମ ଅଭାବ ତଥା କଳା ବଜାର ହେଉଥିବା ନେଇ ଅଭିଯୋଗ ହୋଇଛି। ଚାଷୀମାନେ ସେମାନଙ୍କ ଜମିରେ ୟୁରିଆ ଏବଂ ପଟାସ ସାର ପକାଇବାକୁ ଆଗ୍ରହ ରଖୁଥିବା ବେଳେ ସାରର ଅଭାବ ଯୋଗୁଁ ତାହା କରିପାରୁନଥିବା ଅଭିଯୋଗ ହେଉଛି। ଏବେ ଧାନ ଥୋଡ ଧରିବାର ସମୟ ହୋଇଥିବା ବେଳେ ଗଛର ସୁରକ୍ଷା ଲାଗି ଏବଂ ଉତ୍ତମ ଅମଳ ଲାଗି ୟୁରିଆ ଓ ପଟାସ ସାରର ଆବଶ୍ୟକତା ପଡୁଛି। ମାତ୍ର ଦୁଃଖର ବିଷୟ ଖପ୍ରାଖୋଲ ବ୍ଲକର ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ମିଳୁନଥିବା ନେଇ ଅଭିଯୋଗ ହୋଇଛି।  ଖପ୍ରାଖୋଲ ବ୍ଲକର ୨୨ଟି  ପଞ୍ଚାୟତରେ ପ୍ରାୟ ୧୩ ହଜାର ୭୦୦ ହେକ୍ଟର  ଖରିଫ ଧାନ ଚାଷ କରାଯାଇଛି।  ଲଗାତାର ମରୁଡି ହେଉଥିବାରୁ ଚାଷୀ ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଥିବା ବେଳେ ଧାର କରଜ କରି ଧାନ ଚାଷ କରିଛନ୍ତି। କରୋନା ମହାମାରୀ ସମୟରେ ସାର କଳାବଜାରୀ ଚାଷୀଙ୍କ ଉପରେ ବେଡି ଉପରେ କୋରଡା ସଦୃଶ ହୋଇଛି।  ଏହି ବ୍ଲକର କେତେକ ଅଞ୍ଚଳରେ ସ୍ୱିକୃତୀପ୍ରାପ୍ତ ସାର ଦୋକାନ ରହିଥିବାବେଳେ ଅନ୍ୟ କେତେକ ସ୍ଥାନରେ କିଛି ଅଣସ୍ୱୀକୃତିପ୍ରାପ୍ତ ଦୋକାନୀ ମଧ୍ୟ ସାର ବିକ୍ରୀ କରୁଛନ୍ତି। ଲାଇସେନସ ପ୍ରାପ୍ତ ବ୍ୟବସାୟୀମାନେ ସାରର ଉଚିତ ଦାମ ନେଉଥିବା ବେଳେ ଅଣସ୍ୱୀକୃତିପ୍ରାପ୍ତ ଦୋକାନୀମାନେ ଚାଷୀମାନଙ୍କ ଠାରୁ ଚଢା ଦର ନେଉଥିବା ଅଭିଯୋଗ ହେଉଛି। କୃଷି ବିଭାଗ  ପକ୍ଷରୁ ଏହି ବେଆଇନ ଦୋକାନ ଉପରେ ଚଢଉ କରାଯାଇ ନଥିବାରୁ ସେମାନେ ଚାଷୀମାନଙ୍କୁ ଲୁଟିବାର ସୁଯୋଗ ପାଉଥିବା ଚାଷୀ ଅଭିଯୋଗ କରୁଛନ୍ତି। କୃଷି ବିଭାଗ ପକ୍ଷରୁ ସ୍ୱିକୃତୀପ୍ରାପ୍ତ ଦୋକାନ ଉପରେ ଚଢଉ କରାଯାଇଥିବା ବେଳେ ଅଣସ୍ୱୀକୃତିପ୍ରାପ୍ତ ଦୋକାନ ଗୁଡିକରେ ପ୍ରାୟତଃ ଚଢାଉ କରାଯାଉନାହିଁ। ଅନ୍ୟ ପକ୍ଷରେ ସ୍ୱିକୃତୀ ପ୍ରାପ୍ତ ଦୋକାନୀ ବିଭିନ୍ନ ଆଳ ଦେଖାଇ ସାରର କୃତିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। କେତେକ ଅସାଧୁ ବ୍ୟବସାୟୀ ୟୁରିଆ ସାର ବସ୍ତା ପିଛା ୫୫୦ ଟଙ୍କାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଯାହାର ସରକାରୀ ମୂଲ୍ୟ ୨୬୭.୫୦ । ପଟାସ ସାର ବସ୍ତା ୮୭୦ଟଙ୍କା ରହିଥିବା ବେଳେ ଏହି ଅସାଧୁ ବ୍ୟବସାୟୀମାନେ ୯୨୫ ଟଙ୍କାରେ ବିକ୍ରୀ କରୁଥିବା ଜାଣିବାକୁ ମିଳିଛି। ଦୁଇଗୁଣରୁ ଅଧିକ ମୂଲ୍ୟର କଳାବଜାରରେ ସାର ବିକ୍ରି ହେଉଥିବା ବେଳେ ଗରିବ ଚାଷୀ ବାଧ୍ୟ ହୋଇ କିଣୁଥିବା ଜାଣିବାକୁ ମିଳିଛି। ଖପ୍ରାଖୋଲ ବ୍ଲକ ଅଂଚଳରେ ୪୩ ଗୋଟି ସ୍ୱୀକୃତିପ୍ରାପ୍ତ ସାର ଦୋକାନ ରହିଥିବା ବେଳେ ତଥାପି ସାର କଳାବଜାର ହେଉଅଛି। ଅନ୍ୟ ପକ୍ଷରେ ସେବା ସମବାୟ ସମିତି ଗୁଡିକ ଆବଶ୍ୟକ ପରିମାଣର ସାର ଉଠାଉନଥିବାରୁ ଏହା ସାର ଅଭାବର ମୁଖ୍ୟ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କୁ ପଚାରିବାରୁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ବିଭିନ୍ନ ଅଭିଯୋଗ ରେ ଦୁଇଜଣ ସ୍ୱୀକୃତି ପ୍ରାପ୍ତ ଦୋକାନୀଙ୍କର ଲାଇସେନସ ରଦ୍ଧ କରାଯାଇଛି। ଯେଉଁମାନେ ଅଧିକ ଦରରେ ସାର ବିକ୍ରୀ କରୁଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories