www.samajalive.in
Thursday, December 11, 2025
14.1 C
Bhubaneswar

ଘରୋଇ କଂପାନୀ-ଶାସକ ଦଳ ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୨ ଜିଲ୍ଲାବାସୀଙ୍କ ଜୀବନ ସଂକଟରେ : ବିଜେପି

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ହେଉଛି ରାଜ୍ୟର ବିକାଶ ପାଇଁ, ସ୍ଥାନୀୟ ଅଂଚଳବାସୀଙ୍କ ବିକାଶ ପାଇଁ। ମାତ୍ର ଲାଭାନ୍ୱିତ ହେଉଛନ୍ତି କିଛି ଶାସକ ଦଳର ନେତା, ମାଫିଆ । ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି। ଶିଳ୍ପାଂଚଳ ଭାବେ ପରିଚିତ ଏହି ଅଂଚଳରେ ଥିବା ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି। ବିନା ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି। ଏହା ଦ୍ୱାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି। ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି। ସ୍ଥାନୀୟ ବାସିନ୍ଦାମାନେ ବେଆଇନ ଭାବେ ପାଉଁଶ ଗଦାକୁ ବିରୋଧ କଲେ, କିଛି ନ୍ୟସ୍ତସ୍ୱାର୍ଥ ମାଫିଆମାନଙ୍କ ଦ୍ୱାରା ସେମାନଙ୍କୁ ମାରି ଦିଆଯିବାର ଧମକ ମାଧ୍ୟମରେ ଭୟଭୀତ କରାଯାଇ ଆତଙ୍କ ସୃଷ୍ଟି କରାଯାଉଛି। ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ୨ଟି ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଅଭିଯୋଗ ଆସିବା ପରେ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚଳିତ ମାସ ୯ ଏବଂ ୧୩ ତାରିଖ ଦୁଇ ଦିନ ଧରି ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାଉଁଶ ଗଦା ହୋଇଥିବା ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ନିରୀକ୍ଷଣ କରିଥିଲେ। ଏହି ପ୍ରତିନିଧି ଦଳ ଝାରସୁଗୁଡା ଜିଲ୍ଲାର ପଂଚପଡା, କଟିକେଲା, ସିରିଆପାଲି ଏବଂ ସମ୍ବଲପୁର ଜିଲ୍ଲାର ଶ୍ରୀପୁରା, ଡେର୍ବା, ଗୁମକୁର୍ମା, ଲାରିଆପାଲି, ଗୁଲାମାଲ୍‍ ଆଦି ଅଂଚଳ ପରିଦର୍ଶନ କରିଥିଲେ। ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଂକର ଓରାମ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏବଂ ପରବର୍ତୀ ସମୟରେ ସାଂସଦ ସୁରେଶ ପୁଜାରୀ ଏବଂ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ପ୍ରମୁଖ ସାମିଲ ହୋଇଥିଲେ।

- Advertisement -

ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଓ ଷ୍ଟିଲ୍‍, ସମଲେଶ୍ୱରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍‍ ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି। ଏହା ଦ୍ୱାରା ପରିବେଶ ପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି। ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ
ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି। ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହିରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ା କଂପାନୀରୁ ଅନାବଶ୍ୟକ ବିଷାକ୍ତ ପାଉଁଶକୁ ଡମ୍ପିଙ୍ଗ୍‍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରା
ନିଆଯିବାର ଆଇନ ଥିବା ସତ୍ୱେ ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରା ଅଧିକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେଉଛି। ପାଉଁଶ ଗାଡି ଯାତାୟତ କରୁଥିବା ରାସ୍ତାର ଉଭୟ ପାଶ୍ୱରେ ଗଛ ଲଗାଯିବା, ପାଣି
ଦ୍ୱାରା ରାସ୍ତାକୁ ଓଦା କରାଯିବାର ଆଇନ ଥିବା ସତ୍ୱେ ଗଛ ଲଗାଯାଉନାହିଁ। ପାଉଁଶ ବୋଝେଇ ଗାଡି ସବୁ ଗହଳିପୂର୍ଣ୍ଣ ଅଂଚଳ ଦେଇ ଯାତାୟତ କରୁଥିବାରୁ ସେ ଅଂଚଳବାସୀ ନାନାଦି ହଇରାଣର ଶିକାର ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାର୍ଶ୍ବସ୍ଥିତ ପଂଚପଡା ଡଂପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥିଲା। ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଂଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ବିଧାୟକ ନାଉରୀ ନାଏକ କହିଛନ୍ତି।
ଚାକିରୀ ଯୋଗାଇ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଗ୍ରାମବାସିଙ୍କଠାରୁ ଜମି ହାତେଇବା ପରେ ପରିବେଶକୁ ଦୁଷିତ କରି ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି। ବିଷାକ୍ତ ପାଉଁଶ ପାଣି ଚାଷ ଜମିରେ ମିଶିଯାଇ ବହୁ କ୍ଷତି ଘଟାଉଥିବାର ବାରମ୍ବାର ଅଭିଯୋଗ ସତ୍ୱେ ଉଭୟ ପ୍ରଶାସନ ଏବଂ କଂପାନୀ କର୍ତୃପକ୍ଷ ନା ଏଥି ପ୍ରତି ଧ୍ୟାନ ଦେଉଛନ୍ତି ନା କ୍ଷତିଗସ୍ତଙ୍କୁ କ୍ଷତିପୁରଣ ଦେଉଛନ୍ତି। ପାଉଁଶ ପରିବହନର ଠିକା ନେଇଥିବା ଗ୍ଲୋବାଲ ଲଜିଷ୍ଟିକ, ୟୁନାଇଟେଡ ଲଜିଷ୍ଟିକ ଏବଂ ଦାସ ଟ୍ରାନସ୍ପୋର୍ଟ ସମସ୍ତ ନିୟମକାନୁନକୁ ହେୟଜ୍ଞାନ କରି କାର୍ଯ୍ୟ କରୁଛନ୍ତି। ଏ ସମସ୍ତ ବେଆଇନ ଏବଂ ନିୟମ ଉଲ୍ଲଂଘନକାରୀ କାର୍ଯ୍ୟ ଶାସକ ଦଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀ, କିଛି ନିର୍ଦ୍ଧିଷ୍ଟ ନେତା ଓ ମାଫିଆଙ୍କ ପ୍ରରୋଚନାରେ କରାଯାଉଛି। ସ୍ଥାନିୟବାସିନ୍ଦା ଏବଂ ଗ୍ରାମବାସୀ ଏହାକୁ ବିରୋଧ କଲେ ତାଙ୍କୁ ମାରି ଦେବାର ଧମକ ଦେଇ ଭୟଭୀତ କରାଯାଉଛି ବୋଲି ରାଜ୍ୟ ସଂପାଦକ  ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି। ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀର ପରିଚୟ ଅଟେ। ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରାଯାଇଛି। ଉଭୟ ଜିଲ୍ଲାର ବାସ୍ତବ ସମସ୍ୟାକୁ ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନରେ ଉପସ୍ଥାପନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଜେପି ସମସ୍ତ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories