www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟଙ୍କ ମୁହଁରେ ହସ ଫୁଟାଇବ ଆଇପିଏଲ୍‍: ଭୋଗଲେ

ଦୁବାଇ : ସବୁ ପ୍ରତୀକ୍ଷାର ଅନ୍ତଃ ଘଟାଇ ଶନିବାରଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଘରୋଇ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍। ସାରାଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଦେଶରେ ହେଉ ପଛେ; ଆଇପିଏଲ୍‍ ଆୟୋଜନ ବାସ୍ତବ ରୂପ ନେଇଛି। କିଛିମାସ ପୂର୍ବରୁ ଏହା ଦିବାସ୍ୱପ୍ନ ପରି ଲାଗୁଥିବା ବେଳେ ବିସିସିଆଇର ପ୍ରୟାସ ଓ ୟୁଏଇ ସରକାରଙ୍କ ସହଯୋଗରେ ଏହା ସମ୍ଭବ ହୋଇଛି। ଅବଶ୍ୟ ସେପ୍ଟେମ୍ବର-ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍‍ ଆୟୋଜନ ଅସ୍ୱାଭାବିକ ଲାଗିପାରେ; ତେବେ ଏହା ନିଶ୍ଚିତ ଭାବେ ଭାରତୀୟଙ୍କ ମୁହଁରେ ହସ ଫୁଟାଇବ ବୋଲି ବିଶିଷ୍ଟ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗ୍‍ଲେ କହିଛନ୍ତି।
ଗତ ମାର୍ଚ୍ଚରୁ କରୋନା କବଳରେ ସାରା ଭାରତ। ବହୁ ଭାରତୀୟ ସେମାନଙ୍କ ବେଉସା ହରାଇଥିବା ବେଳେ ଆର୍ଥିକ ଅନଟନର ଶିକାର ହୋଇଛନ୍ତି। ସ୍ଥିତି ସ୍ୱାଭାବିକ ହେବ ଏବଂ କରୋନା ଭାରତକୁ ଛାଡ଼ି ଚାଲିଯିବ ଆଶାରେ ସେମାନେ ୬ ମାସ ଅପେକ୍ଷା କଲେଣି। ସେମାନଙ୍କ ମୁହଁରୁ ହସ ଲିଭିଯାଇଛି। ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼େଇରେ ଭୟ, ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ସେମାନେ ବଞ୍ଚୁଛନ୍ତି। ଏପରି ସମୟରେ ୫୩ ଦିନ ଧରି ୟୁଏଇରେ ଖେଳା ଯାଉଥିବା ଆଇପିଏଲ୍‍ର ୧୩ଶ ସଂସ୍କରଣ ଦୁଶ୍ଚିନ୍ତାରେ ଦିନ କାଟୁଥିବା ଭାରତୀୟଙ୍କ ମୁହଁରେ ହସ ଫୁଟାଇବ ବୋଲି ହର୍ଷ ଭୋଗ୍‍ଲେ କହିଛନ୍ତି। ପ୍ରତିବର୍ଷ ଗ୍ରୀଷ୍ମକାଳରେ ଆୟୋଜନ ହେଉଥିବା ଆଇପିଏଲ୍‍ ଏଥର ଶରତ ଋତୁରେ ଆୟୋଜନ ହେଉଥିଲେ ହେଁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ଭାରତୀୟଙ୍କ ଦୃଷ୍ଟିଭଙ୍ଗୀ ସମାନ ରହିବ। କରୋନା ଛାଟରେ ଜର୍ଜରିତ ଭାରତୀୟଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତି ହେବ। କରୋନା ଯୋଗୁଁ ଭାରତୀୟମାନେ ମନୋରଞ୍ଜନ କ’ଣ; ତାହା ଭୁଲି ଯାଇଛନ୍ତି। ପୁଣି ଶରତ ଋତୁ ପାର୍ବଣର ଋତୁ ହୋଇଥିବା ବେଳେ କରୋନା ଯୋଗୁଁ ଏଥିରେ ମଧ୍ୟ କଟକଣା ଲାଗିଛି। ତେଣୁ ଆଇପିଏଲ୍‍ ହିଁ ପ୍ରତି ଭାରତୀୟଙ୍କ ପାଇଁ ମନୋରଞ୍ଜନର ଏକମାତ୍ର ମାଧ୍ୟମ ପାଲଟିଛି ବୋଲି ଭୋଗ୍‍ଲେ କହିଛନ୍ତି। ଏକ ସମ୍ବାଦପତ୍ରରେ ତାଙ୍କ ସ୍ତମ୍ଭରେ ହର୍ଷ ଭୋଗ୍‍ଲେ ଲେଖିଛନ୍ତି; ଗତ ୬ ମାସ ଭାରତୀୟଙ୍କ ପାଇଁ ଜୀବନର ସବୁଠାରୁ କଠିନ ୬ ମାସ ହୋଇଛି। ଅନିଶ୍ଚିତତା ସେମାନଙ୍କୁ ଆଚ୍ଛାଦିତ କରିଛି। ବହୁ ଲୋକ ଜୀବିକା ହରାଇଛନ୍ତି। କିଛି ଲୋକ ସେମାନଙ୍କ ଆତ୍ମୀୟଙ୍କୁ ହରାଇଛନ୍ତି। ବହୁତ ଲୋକଙ୍କ ପାଇଁ ବଞ୍ଚିବା ସବୁଠାରୁ ବଡ଼ ଆହ୍ୱାନ ଭାବେ ଛିଡ଼ାହୋଇଛି। ଏପରି ସମୟ ଆସିବ ବୋଲି କେହି ଭାବିନଥିଲେ। ଏପରି ସମୟରେ ଭାରତ କିଛି ଖୁସି ଚାହେଁ। ଦେଶ ଏପରି ଉତ୍ସବ ପାଳନ କରିବାକୁ ଚାହେଁ; ଯାହା ସମସ୍ତଙ୍କୁ ଏକାଠି କରିବ ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବ। ଘର ବନ୍ଦ ରହିବାର ନିରାଶାରୁ ମୁକ୍ତି ପାଇବାକୁ ଭାରତୀୟମାନେ ଚାହାନ୍ତି। ସାମୟିକ ଭାବେ ହେଉ ପଛେ; ଭାରତ ଏପରି କଠିନ ସମୟରୁ ବାହାରିବାକୁ ଚାହେଁ। ତେଣୁ ଆଇପିଏଲ୍‍ ୟୁଏଇରେ ଆୟୋଜନ ହେଉ ପଛେ; ଏହା ସାମୟିକ ଭାବେ ଭାରତୀୟଙ୍କ ମୁହଁରେ ହସ ଫୁଟାଇବ। ଆଇପିଏଲ୍‍ ସାରା ବିଶ୍ୱକୁ ବଦଳାଇ ପାରିବନାହିଁ। ତେବେ ଏହା କିଛି ଭାରାକ୍ରାନ୍ତ ଶରୀରରେ ଆଶ୍ୱସ୍ତିର ଲେପ ଲଗାଇବ। ପ୍ରତିବର୍ଷ ଆଇପିଏଲ୍‍ ମୋତେ ରୋମାଞ୍ଚିତ କରିଥାଏ। ହେଲେ ଚଳିତବର୍ଷର ଆଇପିଏଲ୍‍ ଅଧିକ ରୋମାଞ୍ଚିତ କରୁଛି। ଏହା କେବଳ ଏକ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ନୁହେଁ। କିଛିଦିନ ଲାଗି ଆଇପିଏଲ୍‍ ଆମ ଜୀବନରେ ସ୍ୱାଧୀନତା ଓ ଖୁସି ଆଣିବା ମୁଁ ଦେଖିବାକୁ ଚାହେଁ। କୌଣସି ଏକ ଦଳ ଆଇପିଏଲ୍‍ ଜିତିବ। କୌଣସି ଖେଳାଳି ନୂତନ ରେକର୍ଡ କରିବେ। ଅନ୍ୟ କେହି ସର୍ବଶ୍ରେଷ୍ଠ ଖେଳାଳିର ପୁରସ୍କାର ପାଇବେ। ତେବେ ସବୁଠାରୁ ବଡ଼ କଥା ହେଉଛି ଆଇପିଏଲ୍‍ ତୁମକୁ ଖୁସିଦେବ। ଏଥିପାଇଁ ବିସିସିଆଇ କଠିନ ପରିଶ୍ରମ କରି ବିଦେଶରେ ଆଇପିଏଲ୍‍ ଆୟୋଜନ କରିବାର ଯଥାର୍ଥତା ରହିଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories