www.samajalive.in
Sunday, December 7, 2025
14.1 C
Bhubaneswar

ଜଳଘେରରେ ତିଗିରିଆ ଅଞ୍ଚଳର ୧୭ ଟି ଗାଁର ପ୍ରାୟ ୨୦ ହଜାର ଜନସାଧାରଣ

ତିଗିରିଆ : ହୀରାକୁଦ ଜଳଭଣ୍ଡାରରୁ କ୍ରମାଗତ ଭାବେ ‘ଫାଟକ ଖୋଲି ଜଳ ନିଷ୍କାସନ ଜାରି ରହିଥିବାରୁ ମହାନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ପ୍ରଭାବରେ ତିଗିରିଆ ବ୍ଲକରେ ବନ୍ୟାସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଗତ ଗୁରୁବାର ମଧ୍ୟ ରାତ୍ରିରୁ ଏହି ବ୍ଲକ ଅନ୍ତର୍ଗତ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମ ଗଭୀର ଜଳଘେରରେ ରହିଛନ୍ତି। ଶୁକ୍ରବାର ଅପରାହ୍ଣ ଠାରୁ ପୁନର୍ବାର ମହାନଦୀରେ ଜଳସ୍ତରର ସ୍ଥାନୀୟରେ କ୍ରମାଗତ ଭାବେ ବଢ଼ିଚାଲିଥିବାରୁ ତିଗିରିଆର ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାର ପରିମାଣ ବୃଦ୍ଧି ପାଇଛି। ଶନିବାର ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହି ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତର ରଘୁରାମପୁର ଗ୍ରାମ ସଂଯୁକ୍ତ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ସହ ଜନବସତିକୁ ଜଳ ପ୍ରବେଶ କରିଥିବା ବେଳେ କୋଇଲକନ୍ୟାର କେତେକ ଜନବସତି ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି।

ଯାହା ଫଳରେ ଲୋକେ ନିଜର ଆସବାର ଓ ଖାଦ୍ୟସାମଗ୍ରୀକୁ ସ୍ଥାନାନ୍ତର କରୁଥିବା ଦେଖିବାକୁ ମିଳିଛି। ଅନେକ ବ୍ୟକ୍ତି ବିଶେଷ ଛାତ ଉପରକୁ ନିଜର ଆସବାବ ନେଇ ସୁରକ୍ଷିତ କରୁଥିବା ଦେଖିବାକୁ ମିଳିଛି। ରବିବାର ସକାଳ ସୁଦ୍ଧା ଏହି ଦୁଇ ଗ୍ରାମର ଜନବସତିରେ ବନ୍ୟାଜଳ ପ୍ରବେଶ କରିବା ନିଶ୍ଚିତ ହୋଇପଡ଼ିଛି। ଚଷାଆଁରା ଠାରୁ ଗନ୍ଧର୍ପା, ହନୁମନ୍ତିଆ ଏବଂ ଖଳିନାଳ ଦେଇ ବନ୍ୟାଜଳ ପ୍ରବାହିତ ହୋଇଛି। ନଦୀକୂଳର ଜନବସତିଗୁଡ଼ିକୁ ରହିଥିବା ବିଭିନ୍ନ ସଂଯୋଗୀ ରାସ୍ତାଗୁଡ଼ିକ ଧୀରେ ଧୀରେ ବିଛିନ୍ନ ହେବାରେ ଲାଗିଛି। ପୂର୍ବରୁ ବଡ଼ବନ୍ଧିଆଣି ରାସ୍ତା ତଥା ଖଣ୍ଡହତା-ସୋମପଡ଼ା ରାସ୍ଥାରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଶୁକ୍ରବାର ଠାରୁ ପାଇକିଆରା-ଚଷାଆଁରା-ତେନ୍ତୁଳିଆ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି। ଶନିବାର ସକାଳୁ ଗାଇନାଳ ଠାରେ ମଧ୍ୟ ବନ୍ୟାଜଳ ୫‘ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଏଠାରେ ମଧ୍ୟ ଯୋଗାଯୋଗା ବିଛିନ୍ନ ହୋଇଛି। ନୂଆ ପୋଲ ନିର୍ମାଣ ପାଇଁ ପୁରୁଣାପୋଲକୁ ଭାଙ୍ଗି ଦିଆଯାଇଥିବାରୁ ଚଳିତ ଥର ଖୁବ ଶିଘ୍ର ଏଠାରେ ଯୋଗାଯୋଗ ବିଛିନ୍ନ ହୋଇଛି। କଳିବିର ସୁନେଇ ରୂପେଇ ଠାରେ ଏବଂ କୋଇଲକନ୍ୟା-ବନମାଳିପୁର ରାସ୍ତାରେ ବନ୍ୟାଜଳ ପ୍ରବାହ କାରଣୁ ସେଠାରେ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି।

- Advertisement -

ନଦୀକୂଳବର୍ତ୍ତୀ ତିଗିରିଆ ବ୍ଲକର ୩ଟି ପଞ୍ଚାୟତ ଯଥା ଗଦାଧରପୁର, ହାଟମାଳ ଓ ବଡ଼ନାଉପୁଟ ବାହ୍ୟ ଜଗତ ସହ ଯୋଗାଯୋଗ ଲାଗି ରହିଥିବା ସମସ୍ତ ମୁଖ୍ୟ ଗମନାଗମନ ରାସ୍ତାରେ ବନ୍ୟାଜଳ ମାଡ଼ି ଚାଲିଛି। ଏଣୁ ଯୋଗାଯୋଗ ବିଛିନ୍ନ କାରଣରୁ ଉପରୋକ୍ତ ତିନି ପଞ୍ଚାୟତକୁ ବନ୍ୟାଜଳ ଆଜି ସନ୍ଧ୍ୟାସୁଦ୍ଧା ଘେରାବନ୍ଦୀ କରିଛି। ପ୍ରଭାବରେ ନଦୀକୂଳବର୍ତ୍ତୀ ତିନି ପଞ୍ଚାୟତର ୧୮ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ସହିତ ୩ହଜାରରୁ ଊର୍ଦ୍ଧ୍ବ ଗୃହପାଳିତ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ବଡ଼ନାଉପୁଟ ପଞ୍ଚାୟତର ବଡ଼ନାଉପୁଟ, ବଉଳାଙ୍ଗ, ଶାଳିଜଙ୍ଗା ଓ ଖଣ୍ଡହତା, ହାଟମାଳ ପଞ୍ଚାୟତର ହାଟମାଳ, ଶୁଣ୍ଠିପାଳ, ବିଷ୍ଣୁପୁର, ସାମପୁର ଓ ନନ୍ଦପୁର, ଗଦାଧରପୁର ପଞ୍ଚାୟତର ଗଦାଧରପୁର, ହରିଶରଣପୁର, କୋଇଲକନ୍ୟା, କଳିବିର, ମାନପୁର, ସାନନାଉପୁଟ, କଣ୍ଠିପୁର ଓ ରଘୁରାମପୁର ଏହିପରି ୧୭ଟି ଗ୍ରାମର ଜନସାଧାରଣ ଓ ଗୋରୁଗାଇ ଜଳବନ୍ଦୀ ହୋଇ ରହିଛନ୍ତି। ଏକମାତ୍ର ଗଦାଧରପୁର ଠାରେ ରହିଥିବା ହରିଶରଣପୁର-ମାନପୁର-ବିଧାରପୁର ସଂଯୋଗୀ ରାସ୍ତାରେ ତିଗିରିଆ ସହ ଯୋଗାଯୋଗ ରହିଥିଲେ ମଧ୍ୟ ଗଦାଧରପୁର ଠାରେ ତାହା ଆଜି ରାତିରେ ଜଳବନ୍ଦୀ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏଣେ ନଦୀକୂଳବାସୀଙ୍କ କୌଣସି ଜରୁରୀ ପରିସ୍ଥିତି କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟାରେ ବିନ୍ଧାଣିମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆସିବା ପାଇଁ ହେଲେ ବୋଟର ଆବଶ୍ୟକତା ରହିଛି। ଏଣୁ ତୁରନ୍ତ ଗାଇନାଳ ଠାରେ ଏକ ବୋଟ ମହଜୁଦ କରାଯିବାକୁ ନଦୀକୂଳବାସୀ ଦୃଢ଼ ଦାବି କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories