ଅଭିଯାନ ଶେଷ, ଥାଇଲାଣ୍ଡ ଗୁମ୍ଫାରୁ ସମସ୍ତ ଫୁଟ୍‍ବଲ ଖେଳାଳି ଏବଂ ପ୍ରଶିକ୍ଷକ ଉଦ୍ଧାର

0

ବ୍ୟାଂକକ୍‍ : ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଫସିଥିବା ୧୨ଜଣ ଫୁଟ୍‍ବଲ ଖେଳାଳି ଓ ସେମାନଙ୍କର ଜଣେ ପ୍ରଶିକ୍ଷକଙ୍କୁ ଉଦ୍ଧାର କରାଯାଇଛି। ରବିବାର ଓ ସୋମବାର ୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ମଙ୍ଗଳବାର ଆଉ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହାସହ ଅଭିଯାନର ଅନ୍ତ ହୋଇଛି। ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏପର୍ଯ୍ୟନ୍ତ ପିଲାମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଉଦ୍ଧାର ହୋଇଥିବା ପିଲାମାନଙ୍କ ନିକଟକୁ ଯିବା ଲାଗି ସେମାନଙ୍କ ପିତାମାତାଙ୍କୁ ଅନୁମତି ଦିଆଯାଇ ନାହିଁ। ପିଲାମାନଙ୍କୁ ସଂକ୍ରମଣ ହେବା ଆଶଙ୍କାରେ ସେମାନଙ୍କ ନିକଟକୁ କାହାକୁ ଯିବା ଲାଗି ଅନୁମତି ଦିଆଯାଇ ନାହିଁ ବୋଲି ଉଦ୍ଧାରକାରୀ ଦଳର ମୁଖ୍ୟ ନାରୋଙ୍ଗସାକ୍‍ ସୋଟ୍ଟାନାକୋର୍ଣ୍ଣଙ୍କ କହିଛନ୍ତି । ତେବେ ଅମ୍ଳଜାନ ଅଭାବରୁ ପିଲାମାନେ ଦୁର୍ବଳ ହୋଇପଡିଛନ୍ତି। ଅପରପକ୍ଷରେ ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଏକ ଛୋଟ ବୁଡ଼ା ଜାହାଜ ନେଇ ଥାଇଲାଣ୍ଡରେ ପହଞ୍ଚିଥିଲେ। ହେଲେ ତାହା ବ୍ୟବହାର କରାଯାଇନାହିଁ।
ଉଲ୍ଲେଖ ଯେ ଥାଇଲାଣ୍ଡର ଚିଆଙ୍ଗ ରାଇ ପ୍ରଦେଶର ଥାମ ଲୁଆଙ୍ଗ ଗୁମ୍ଫା ଭିତରେ ପିଲାମାନେ ୧୮ ଦିନ ଫସି ରହିଥିଲେ। ଜୁନ୍‍ ୨୩ ତାରିଖରେ ପିଲାମାନେ ପୁଟ୍‍ବଲ ଅଭ୍ୟାସ ପରେ କୌତୂହଳବଶତଃ ଗୁମ୍ଫା ଭିତରେ ପଶିଥିଲେ। ତେବେ ବର୍ଷା ଯୋଗୁଁ ଗୁମ୍ଫା ଭିତରେ ପାଣି ପଶିଯାଇଥିଲା। ଫଳରେ ପିଲାମାନେ ବାହାରକୁ ଆସିବା ଲାଗି ରାସ୍ତା ପାଇପାରି ନଥିଲେ। ପିଲାମାନଙ୍କ ବୟସ ୧୧ରୁ ୧୬ବର୍ଷ ହୋଇଥିବାବେଳେ ପ୍ରଶିକ୍ଷକଙ୍କ ବୟସ ୨୫ବର୍ଷ। ପିଲମାନେ ୱାଇଲ୍ଡ ବୋଅର୍ସ ଫୁଟବଲ ଦଳର ସଦସ୍ୟ। ଜୁନ୍‍ ୨୫ରେ ପିଲାମାନଙ୍କୁ ଖୋଜିବା ଲାଗି ଥାଇଲାଣ୍ଡ ନୌସେନାର ଯବାନମାନେ ଗୁମ୍ଫାରେ ପଶିଥିଲେ। ଜୁଲାଇ ୨ରେ ପିଲାମାନଙ୍କୁ ଠାବ କରାଯାଇଥିଲା ଓ ସେମାନେ ଜୀବିତ ଥିବା ଜଣାପଡିଥିଲା। ପିଲମାନଙ୍କୁ ପାଣିରେ ବୁଡିବା ସମୟରେ ମାସ୍କ ଓ ଅମ୍ଳଜାନ ବ୍ୟବହାର ବିଷୟରେ ଶିକ୍ଷା ଦିଆଯାଇଥିଲା। ଜୁଲାଇ ୮ ପ୍ରଥମ ପର୍ଯ୍ୟାୟରେ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଜୁଲାଇ ୯ରେ ଆଉ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲାବେଳେ ଜୁଲାଇ ୧୦ରେ ବାକି ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ଅଭିଯାନରେ ଥାଇଲାଣ୍ଡ ନୌସେନାର ୫ ଯବାନଙ୍କ ସହିତ ଆମେରିକା, ବ୍ରିଟେନ, ଜାପାନ, ଚୀନ, ଅଷ୍ଟ୍ରେଲିଆ, ଲାଓସ ଓ ମ୍ୟାଁମାରର ୧୩ଜଣ ବିଦେଶୀ ବିଶେଷଜ୍ଞ ସାମିଲ ହୋଇଥିଲେ।

Leave A Reply