ଶୁଣାଣିର ସିଧା ପ୍ରସାରଣକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

0

ନୂଆଦିଲ୍ଲୀ : ନ୍ୟାୟ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୋର୍ଟରେ ଶୁଣାଣିଗୁଡିକର ସିଧାପ୍ରସାରଣ ବା ଲାଇଭ୍‍ ଷ୍ଟ୍ରିମିଂକୁ ସୁପ୍ରିମକୋର୍ଟ ସୋମବାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏଥିକ୍ରମେ କୋର୍ଟଗୃହରେ ବିଭିନ୍ନ ମାମଲା ଉପରେ ଶୁଣାଣିର ସିଧାପ୍ରସାରଣ ହେବ। ଲୋକେ ସିଧାସଳଖ ଶୁଣାଣି ପ୍ରକ୍ରିୟା ଦେଖିପାରିବେ। ଏ ନେଇ ପ୍ରସ୍ତାବିତ ନିୟମାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କ ଅଟର୍ଣ୍ଣି ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ବଳାତ୍କାର, ବୈବାହିକ କଳହ ଓ ରୁଦ୍ଧଦ୍ୱାର ଶୁଣାଣି ଲାଗି ଉଦ୍ଦିଷ୍ଟ ମାମଲାଗୁଡିକ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏଗୁଡିକର ଶୁଣାଣିକୁ ସିଧାପ୍ରସାରଣ କରାଯିବ ନାହିଁ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ସ୍ପଷ୍ଟ କରିଛନ୍ତି। ସାଧାରଣ ଜନତାଙ୍କୁ ନ୍ୟାୟ ବ୍ୟବସ୍ଥା ସହିତ ସାମିଲ କରିବା ତଥା ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଲାଇଭ୍‍ ଷ୍ଟ୍ରିମିଂ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆଜିର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତାରେ ସମର୍ଥନ କରିଥିଲେ। ଏହି ବ୍ୟବସ୍ଥା ପ୍ରଥମେ ପ୍ରଧାନ ବିଚାରପତିଙ୍କ ଅଦାଲତରୁ ଆରମ୍ଭ କରାଯାଇ ପରେ ଦେଶର ଅନ୍ୟ କୋର୍ଟଗୁଡିକରେ ଲାଗୁ କରାଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ମତ ଦେଇଥିଲେ। ପ୍ରଧାନ ବିଚାରପତି ମିଶ୍ର, ବିଚାରପତି ଏ.ଏମ୍‍. ଖାନ୍‍ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ୩ ଜଣିଆ ପୀଠ କେନ୍ଦ୍ରର ପରାମର୍ଶକୁ ସମର୍ଥନ କରିଛନ୍ତି। ଏଥିସହିତ ଜୁଲାଇ ୨୩ ସୁଦ୍ଧା ସିଧାପ୍ରସାରଣ ସମ୍ବନ୍ଧୀୟ ପ୍ରସ୍ତାବିତ ନିୟମାବଳୀ କୋର୍ଟରେ ଦାଖଲ କରିବାକୁ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ନିୟମାବଳୀ ପ୍ରସ୍ତୁତି ନିମନ୍ତେ ବେଣୁଗୋପାଳଙ୍କୁ ନିଜନିଜର ପରାମର୍ଶ ଜଣାଇବାକୁ ପୀଠ ମାମଲାର ପକ୍ଷଗୁଡିକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ପାଇବା ପରେ ଏହି ନିୟମାବଳୀ କାର୍ଯ୍ୟକାରୀ ହେବ।
କୋର୍ଟରେ ଶୁଣାଣିଗୁଡିକର ସିଧାପ୍ରସାରଣ, ଭିଡିଓ ରେକର୍ଡିଂ ଏବଂ ପ୍ରତିଲିପି ପ୍ରସ୍ତୁତି ଦାବିରେ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆଇନଛାତ୍ର ସ୍ୱପ୍ନୀଳ ତ୍ରିପାଠୀ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଶୁଣାଣିର ସିଧା ପ୍ରସାରଣ ଦ୍ୱାରା ସାଧାରଣ ଲୋକେ କୋର୍ଟ ପ୍ରକ୍ରିୟା ବିଷୟରେ ଅବଗତ ହୋଇପାରିବେ ଏବଂ ଯେକୌଣସି ତ୍ରୁଟିପୂର୍ଣ୍ଣ ସୂଚନା ପ୍ରସାରଣକୁ ରୋକାଯାଇପାରିବ ବୋଲି ଜୟସିଂହ ଆବେଦନରେ ଦର୍ଶାଇଥିଲେ। ସେହିଭଳି ସୁପ୍ରିମକୋର୍ଟ ପରିସରରେ ସିଧାପ୍ରସାରଣ ପ୍ରକୋଷ୍ଠ ସ୍ଥାପନ ସହିତ ଆଇନ ଛାତ୍ରଛାତ୍ରୀଙ୍କୁ ଏହାର ସୁବିଧା ନେବାର ସୁଯୋଗ ପ୍ରଦାନ କରିବାକୁ ଆବେଦନକାରୀ ଛାତ୍ର ତ୍ରିପାଠୀ ନିବେଦନ କରିଥିଲେ। ଏହି ଆବେଦନ ଉପରେ ନିଜର ମତାମତ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ମେ’୩ରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। କେନ୍ଦ୍ର ପକ୍ଷରୁ ଆବେଦନକୁ ସମର୍ଥନ କରି ବେଣୁଗୋପାଳ କହିଛନ୍ତି, ବିଭିନ୍ନ ରାଷ୍ଟ୍ରରେ ଏଭଳି ବ୍ୟବସ୍ଥାର ପ୍ରଚଳନ ରହିଛି। ସାମ୍ବିଧାନିକ ପୀଠରେ ହେଉଥିବା ଶୁଣାଣି ସମେତ ସମସ୍ତ ମାମଲା ଶୁଣାଣିର ସିଧାପ୍ରସାରଣ ହେବା ଉଚିତ।
ଏହାପୂର୍ବରୁ ବିଚାର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଆଭିମୁଖ୍ୟ ନେଇ ୨୦୧୭ ମାର୍ଚ୍ଚରେ ସୁପ୍ରିମକୋର୍ଟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅତିକମ୍‍ରେ ଦୁଇଟି ଲେଖାଏଁ କୋର୍ଟ ଏବଂ ଏହା ପରିସରରେ ସିସିଟିଭି କ୍ୟାମେରା ଖଞ୍ଜିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଥିଲେ। ଅଗଷ୍ଟରେ ସମସ୍ତ ଅଧସ୍ତନ କୋର୍ଟଗୁଡିକ ପାଇଁ ଏହି ନିର୍ଦେଶ ଲାଗୁ କରାଯାଇଥିଲା। ଏହାଦ୍ୱାରା ବ୍ୟାପକ ଜନସ୍ୱାର୍ଥ ସାଧନ ହେଉଥିବା ଲକ୍ଷ୍ୟ କରାଯାଇଥିଲା।

Leave A Reply