www.samajalive.in
Sunday, December 14, 2025
23.1 C
Bhubaneswar

ବୁଡ଼ାଇବ ବର୍ଷା; ୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର : ଗତକାଲିର ଲଘୁଚାପ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଦ୍ବିତୀୟ ଲଘୁଚାପ ସୃଷ୍ଟି ହୋଇଛି। ପୁଣି ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା କାଲି ୧୦ରୁ ଅଧିକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପରିଣାମସ୍ବରୂପ ରାଜ୍ୟରେ ଆଉ କିଛିଦିନ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଲାଗିରହିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୨୩ ତାରିଖରେ ଏହି ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ୧୦ଟି ଜିଲା ପାଇଁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି, ବଲାଙ୍ଗିର, ସୋନପୁର ଓ କୋରାପୁଟ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଜିଲାରେ ବର୍ଷା ହେବ। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପାହାଡ଼ିଆ ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ସହ ମାଟି ଧସିବା ଆଶଙ୍କା ଅଛି। ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର୍, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଡ୍ରେନେଜ ଚ୍ୟାନେଲ୍‌ ସଫା କରିବା ସହ ଦୁର୍ବଳ ନଦୀ ବନ୍ଧ ମରାମତି ପାଇଁ କୁହାଯାଇଛି। ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖିବା ଏସ୍‌ଆରସି ନିର୍ଦେଶ ଦେଇଛନ୍ତି। ତେବେ ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ୨୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ। ଆଜି ସଂଧ୍ୟା ୫ଟା ସୁଦ୍ଧା ପାରାଦ୍ବୀପରେ ସର୍ବାଧିକ ୧୫୩ ମିଲି ମିଟର୍ ବର୍ଷା ହୋଇଛି। ସେହିପରି ଚାନ୍ଦବାଲିରେ ୮୬ ମିମି, ବାରିପଦାରେ ୭୮ ମିମି, କୋରାପୁଟରେ ୭୫ ମିମି, ବଲାଙ୍ଗିରରେ ୭୦ ମିମି, ମାଲକାନଗିରିରେ ୬୬ ମିମି, ଭୁବନେଶ୍ବରରେ ୫୮ ମିମି, କଟକରେ ୪୬ ମିମି, ବାଲେଶ୍ବରରେ ୪୧ ମିମି, ସମ୍ବଲପୁରରେ ୨୨ ମିମି ବର୍ଷା ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories