ବିଜେପି ସହ ମେଣ୍ଟ ସମ୍ପର୍କ ବଜାୟ ରଖିବ ଜେଡିୟୁ

0

ନୂଆଦିଲ୍ଲୀ  : ବିଜେପି ସହିତ ମେଣ୍ଟ ସମ୍ପର୍କ ବଜାୟ ରଖିବା ନେଇ ସଂଯୁକ୍ତ ଜନତା ଦଳ (ଜେଡିୟୁ) ନିଷ୍ପତ୍ତି ନେଇଛି। ରବିବାର ନୂଆଦିଲ୍ଲୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜେଡିୟୁ ଲୋକସଭା ନିର୍ବାଚନକୁ ଅଲଗା ଲଢିବା ଓ ବିଜେପି ଠାରୁ ମେଣ୍ଟ ସମ୍ପର୍କ ତୁଟାଇବା ନେଇ ଚର୍ଚ୍ଚା ହୋଇଆସୁଥିବାବେଳେ ଏହି କାର୍ଯ୍ୟକାରିଣୀ ବୈଠକ ପରେ ଏହାର ଅବସାନ ଘଟିଛି। ବୈଠକ ପରେ ଜେଡିୟୁ ସାଧାରଣ ସଂପାଦକ ସଞ୍ଜୟ କୁମାର ଝା କହିଛନ୍ତି ଯେ ବିଜେପି ସହିତ ଦଳର କୌଣସି ମତଭେଦ ନାହିଁ। ୨୦୧୯ ନିର୍ବାଚନକୁ ରାଜ୍ୟର ଶାସକ ମେଣ୍ଟ ଏକାଠି ହୋଇ ଲଢିବ। ତେବେ କିଏ କେତେ ଆସନରେ ଲଢିବ ତାହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ। ଏ ସମ୍ପର୍କରେ ସମସ୍ତ ନିଷ୍ପତ୍ତି ନେବାର ଅଧିକାରୀ ଦଳର ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଉପରେ ଛାଡି ଦିଆଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ୨୦୧୯ ନିର୍ବାଚନରେ ଜେଡିୟୁ ବିହାରର ୪୦ ଲୋକସଭା ଆସନରୁ ୧୯ରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ୨୧ଟି ଆସନ ବିଜେପି ଓ ଏନଡିଏ ସହଯୋଗୀଙ୍କ ଲାଗି ଛାଡିବାକୁ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଦଳ ନୀତୀଶଙ୍କ ନିଷ୍ପତ୍ତି ଦ୍ୱାରା ପରିଚାଳିତ ହେବାକୁ ସର୍ବସମ୍ମତି ପ୍ରକାଶ କରିଛି। ୨୦୧୯ ନିର୍ବାଚନ ପାଇଁ ନୀତୀଶ ଦଳ ପାଇଁ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ଝା କହିଛନ୍ତି।
ନୂଆଦିଲ୍ଲୀର ବିହାର ଭବନରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶନିବାର ସନ୍ଧ୍ୟାରେ ନୀତୀଶ କୁମାର ଦଳର ବରିଷ୍ଠ ନେତାଙ୍କ ସହିତ ଏହି ମେଣ୍ଟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଜେଡିୟୁ ଓ ବିଜେପି ମଧ୍ୟରେ ମତଭେଦ ନେଇ ବିଭିନ୍ନ ମନ୍ତବ୍ୟ ଦେଇ ଆସୁଥିଲେ। ଏପରିକି ନୀତୀଶ ପୂନର୍ବାର ମହାମେଣ୍ଟକୁ ଫେରିବାର ସମ୍ଭାବନା ରହିଥିବା କୁହାଯାଉଥିଲା। ମାତ୍ର ଆରଜେଡି କହିଥିଲା ଯେ ନୀତୀଶଙ୍କ ପାଇଁ ମହାମେଣ୍ଟରେ ପ୍ରବେଶ ପଥ ବନ୍ଦ ହୋଇଯାଇଛି। ତେଜସ୍ୱୀ କହିଥିଲେ ଯେ ନୀତୀଶ ମହାମେଣ୍ଟରୁ ଓହରି ବିଜେପି ସହିତ ହାତ ମିଳାଇବା ଦ୍ୱାରା ବିହାରବାସୀଙ୍କୁ ବଡ ଧୋକା ଦେଇଛନ୍ତି। ମହାମେଣ୍ଟକୁ ଜେଡିୟୁର ଫେରିବା ପ୍ରସଙ୍ଗରେ ଦଳର ନେତା କେସି ତ୍ୟାଗୀ ଜବାବ ରଖିଛନ୍ତି। ତ୍ୟାଗୀ କହିଛନ୍ତି ଯେ ଆରଜେଡି ସହିତ ମେଣ୍ଟ ପ୍ରସଙ୍ଗରେ କଂଗ୍ରେସ ପ୍ରଥମେ ନିଜର ଜବାବ ରଖିବା ଦରକାର। ସେ କହିଛନ୍ତି ଯେ ଆରଜେଡି ଭଳି ଦୁର୍ନୀତିଗ୍ରସ୍ତ ଦଳ ସହିତ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଯାଇ ଜେଡିୟୁ ଯାହା କିଛି ନିଷ୍ପତ୍ତି ନେବ।
୨୦୧୫ ବିଧାନସଭା ନିର୍ବାଚନ ସମୟରେ ଆରଜେଡି, ଜେଡିୟୁ ଓ କଂଗ୍ରେସ ମହାମେଣ୍ଟ କରିଥିଲେ। ପରେ ନୀତୀଶଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ମାତ୍ର ଏହି ସରକାର ପରବର୍ତ୍ତୀ ସମୟରେ ଭାଙ୍ଗିଯିବାରୁ ନୀତୀଶ ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିଥିଲେ। ବିଜେପି ସହିତ ମେଣ୍ଟ କରିବା ପରେ ନୀତୀଶ ବିହାରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନ୍ୟତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହା ଦ୍ୱାରା ବିଜେପି ସହିତ ମତପାର୍ଥକ୍ୟ ହୋଇଥିଲା। ଏପରି କି ଆଗାମୀ ନିର୍ବାଚନରେ ଉଭୟଙ୍କର ମେଣ୍ଟ ନେଇ ଆଶଙ୍କା ଦେଖାଯାଇଥିଲା।

Leave A Reply