mission shakti banner

ସନ୍ଦେହ ଘେରରେ ସମ୍ପର୍କୀୟ, ସୋନପୁର ଟ୍ରିପଲ ମର୍ଡର

- ଘର ଭିତରୁ ରକ୍ତାକ୍ତ ଟାଙ୍ଗିଆ ଉଦ୍ଧାର

nua o banner

ସୋନପୁର: ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିଲାଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କେହିଁ ଦୁର୍ବୃତ୍ତ ଘରେ ପଶି ଗୋଟିଏ ପରିବାର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର୍‍ ମାରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସ୍ୱାମୀସ୍ତ୍ରୀଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରିଥିବା ବେଳେ ପୁଅର କ୍ଷତବିକ୍ଷତ ମୃତ ଦେହ ଘର ନିକଟ ବିଲ ପାଖରୁ ଉଦ୍ଧାର କରିଛି। ଖବର ପାଇ ଏସପି ଦେବୀ ପ୍ରସାଦ ଦାଶ, ଏସଡିପିଓ ମିହିର କୁମାର ପଣ୍ଡା, ଡିଏସପି ଆନନ୍ଦ ବର୍ଦ୍ଧନ ଗୁରୁ, ଥାନା ଅଧିକାରୀ ନିରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଘଟଣା ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରା ଉଚୁରା କରିଛନ୍ତି। ତେବେ ଉଭୟ ପୁଲିସ ଓ ଫରେନ୍‍ସିକ୍‍ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହତ୍ୟାକାରୀର କୌଣସି ଟେର୍‍ ମିଳି ପାରିନାହିଁ। ତେବେ କିଏ କାହିଁକି, କେଉଁ ଉଦ୍ଦେଶ୍ୟରେ ହତ୍ୟା କରିଛି ତାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ବିବରଣୀରୁ ପ୍ରକାଶ ଯେ, ସିଲାଟି ଗାଁ ତଳିପଡାର ଗୁଲୁ ଭୋଇ (୬୦) ଙ୍କ ଘର ଗାଁରୁ ସାମାନ୍ୟ ଦୁରରେ ଥିବା ବେଳେ ସେଠାରେ ତାଙ୍କ ସହିତ ସ୍ତ୍ରୀ ବୈଦେହୀ ଭୋଇ (୫୫) ଓ ପୁଅ ଶିବ ଭୋଇ (୨୫) ରହୁଥିଲେ। ସବୁ ଦିନ ପରି ଗତକାଲି ରାତିରେ ମଧ୍ୟ ଖାଇପିଇ ଗୁଲୁ ଭୋଇ ଓ ତାଙ୍କ ସ୍ତ୍ରୀ ଘର ଭିତରେ ଶୋଇଥିବା ବେଳେ ପୁଅ ଶିବ ଘର ବାରଣ୍ଡାରେ ଶୋଇଥିଲେ। କିନ୍ତୁ ଆଜି ସକାଳୁ ଡେରୀ ପର୍ଯ୍ୟନ୍ତ ପରିବାରର କେହି ନଉଠିବାରୁ ଗ୍ରାମବାସୀ ସନ୍ଦେହରେ ସେହି ଘରକୁ ଯାଇ ଦେଖିବା ବେଳେ ଶିବଙ୍କ କ୍ଷତବିକ୍ଷତ ମୃତ ଦେହ ଘର ବାଡିପଟେ ପଡିଥିବା ବେଳେ ଘର ଭିତରେ ସ୍ୱାମୀସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିବା ଦେଖିବାକୁ ପାଇ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତେବେ ହତ୍ୟାକାରୀ ପ୍ରଥମେ ବାରଣ୍ଡାରେ ଶୋଇଥିବା ଶିବକୁ ହତ୍ୟା କରିବା ପରେ ଘରର ଆଜବେସ୍‍ଷ୍ଟସ୍‍ ଛାତ ଉପରକୁ ଚଢି ଘର ପାହାଚରେ ଭିତରକୁ ପଶି ସ୍ୱାମୀସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ମୃତ ଗୁଲୁଙ୍କ ମୃତ ଶରୀର ଶୋଇଥିବା ଖଟରେ ହିଁ ପଡିଥିବା ବେଳେ ସ୍ତ୍ରୀ ବୈଦେହୀଙ୍କ ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ଘର ଭିତରେ ହତ୍ୟାକାରୀ ପ୍ରଥମେ ଗୁଲୁଙ୍କୁ ଆକ୍ରମଣ କରିବା ସମୟରେ ହଠାତ ବୈଦହୀ ଉଠି ପଡି ବାରଣ କରୁଥିବା ବେଳେ ତାଙ୍କୁ ମଧ୍ୟ ହତ୍ୟା କରିଥିବା ପୁଲିସ ଅନୁମାନ କରିଛି। ତେବେ ଏହି ତିନି ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ୟାକାରୀ କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣା ପଡିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପରିବାର ସହ କାହାରି ଶତୃତା ନଥିବାରୁ କିଏ ଓ କାହିଁକି ଏଭଳି ନିର୍ମମ ହତ୍ୟା କରିଛି ତାକୁ ନେଇ ପୁଲିସ ଅଧିକ ଖୋଳତାଡ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ଏସପି ଦେବୀ ପ୍ରସାଦ ଦାଶଙ୍କୁ ଯୋଗାଯୋଗ କରିବାରେ ହତ୍ୟାକାରୀ ଏହି ହତ୍ୟାକାଣ୍ଡରେ ଏକ ଟାଙ୍ଗିଆ ବ୍ୟବହାର କରିଥିଲା ଯାହାକୁ ପୁଲିସ ସେହି ଘର ଭିତରୁ ଉଦ୍ଧାର କରି ସାରିଛି। ଏପରିକି ଏହି ହତ୍ୟାକାଣ୍ଡରେ ସେହି ପରିବାର ଜଣେ ନିକଟ ସମ୍ପର୍କୀୟ ସମ୍ପୃକ୍ତ ଥିବା ପୁଲିସର ତଦନ୍ତରୁ ସ୍ପଷ୍ଟ ହୋଇ ସାରିଥିଲେ ସୁଦ୍ଧା ତଦନ୍ତରେ ବାଧାସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ତାକୁ ଗୋପନ ରଖାଯାଇଛି। କିନ୍ତୁ ତୁରନ୍ତ ତାକୁ ଗିରଫ କରାଯିବା ପାଇଁ ପୁଲିସର ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ଅଞ୍ଚଳକୁ ଯାଇ ସାରିଛନ୍ତି। ତେଣୁ ହତ୍ୟାକାରୀ ନିଶ୍ଚିତ ଧରା ପଡିବ ବୋଲି ଏସ୍‍ପି ସୂଚନା ଦେଇଛନ୍ତି।

Comments are closed.